ବରଗଡ଼: ଉପନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ଆଧାରରେ ମୁଖ୍ୟମନ୍ତ୍ରୀ ରବିବାର ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍ ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳ ଗସ୍ତ କରିବେ। ସବୁଠି ଜନସଭାକୁ ସମ୍ବୋଧିତ କରି ଧନ୍ୟବାଦ୍ ଜଣାଇବେ। ଦିନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ସତୀଭଟା ଏୟାର୍ଷ୍ଟ୍ରିପ୍ରେ ଅବତରଣ କରିବେ। ସେଠାରୁ ହେଲିକପ୍ଟରରେ ବାହାରି ଝାରବନ୍ଧ ଶକ୍ତିଛକ ହେଲିପେଡ୍ରେ ଓହ୍ଲାଇବେ।
ସେଠାରେ ସଭାରେ ଉଦ୍ବୋଧନ ଦେବା ପରେ ହେଲିକପ୍ଟରରେ ବାହାରି ୧୨.୩୦ରେ ପାଇକମାଳଠାରେ ପହଂଚିବେ। ସେଠାରୁ ସଭା ସାରି ପୁଣି ହେଲିକପ୍ଟରରେ ପଦ୍ମପୁର ଆର୍ଏଲ୍ କଲ୍ୟାଣ ମଣ୍ଡପସ୍ଥିତ ହେଲିପ୍ୟାଡ୍ରେ ଅବତରଣ କରିବେ। ମଧ୍ୟାହ୍ନଭୋଜନ ପରେ ଅପରାହ୍ଣ ୩.୪୫ରେ ସେ ହାଇସ୍କୁଲ ପଡ଼ିଆରେ ପହଂଚିବେ। ସେଠାରେ କାର୍ଯ୍ୟକ୍ରମ ସାରି ସତୀଭଟା ଏୟାରଷ୍ଟ୍ରିପ୍ରୁ ପୁଣି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ। ସୁରକ୍ଷା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମୋଟ୍ ୨୫ ପ୍ଲାଟୁନ୍ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଏହାବାଦ୍ ୫ଜଣ ଏଏସ୍ପି, ୧୬ ଡିଏସ୍ପି, ୩୨ଜଣ ଆଇଆଇସି, ଶହେ ଜଣ ଏସ୍ଆଇ/ଏଏସ୍ଆଇ ନିୟୋଜିତ ହେବେ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ ବିରୋଧୀଙ୍କ ତୀକ୍ଷ୍ଣ ନଜର
ପଦ୍ମପୁର ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶ୍ରୁତି ମୁତାବକ ନିର୍ବାଚନମଣ୍ଡଳୀକୁ ଗସ୍ତ କରୁଛନ୍ତି। ଭୋଟର୍ ଏବଂ ଜନସାଧାରଣଙ୍କୁ ରେକର୍ଡ ବିଜୟ ସକାଶେ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଏହି ଗସ୍ତ ରହିଥିବା କୁହାଯାଉଛି। ଏହି ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍ ପାଇଁ ମୁଖ୍ୟମନ୍ତ୍ରୀ ଅଲଗା ଅଲଗା ପ୍ୟାକେଜ୍ ଘୋଷଣା କରିବେ। କିଛି ନୂଆ ପ୍ରକଳ୍ପର ଶିଳାନ୍ୟାସ ବି କରିବେ। କିନ୍ତୁ ଏସବୁ ଭିତରେ ଏହି ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ। କାରଣ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଉ କ୍ବଚିତ୍ ବରଗଡ଼ ଜିଲ୍ଲା ଗସ୍ତ କରିବେ। ତେଣୁ ଏହି ଗସ୍ତକୁ ବିରୋଧୀ ଦଳ ତୀକ୍ଷ୍ଣ ନଜର ରଖିଛନ୍ତି। ବରଗଡ଼-ନୂଆପଡ଼ା ରେଳଲାଇନ୍, ପଦ୍ମପୁରକୁ ଜିଲ୍ଲା ଘୋଷଣା, ଚାଷୀଙ୍କ ୭ଦଫା ଦାବି ଏବଂ ଅଂଗ ନଦୀବନ୍ଧ ନେଇ ମୁଖ୍ୟମନ୍ତ୍ରୀ କ’ଣ ଘୋଷଣା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ। ବିଗତ ଉପନିର୍ବାଚନରେ ବରଗଡ଼-ନୂଆପଡ଼ା ରେଳଲାଇନ୍ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଥିଲେ। ପରେ ରେଳ ବଜେଟ୍ରେ ଏହି ପ୍ରକଳ୍ପ ନେଇ ଟଙ୍କା ଟିଏ ବି ଟୋକନ୍ ରାଶି ବରାଦ ହେଲାନି।
ସମ୍ଭବତଃ, ମୁଖ୍ୟମନ୍ତ୍ରୀ ଏହି ପ୍ରସଂଗକୁ ସାଧାରଣ ସଭାରେ ଉଠାଇ ପାରନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ସେ ରାଜ୍ୟର ଆଭିମୁଖ୍ୟ ଜନତାଙ୍କ ସମ୍ମୁଖରେ ରଖିପାରନ୍ତି। ତେଣୁ ତାଙ୍କ ଅଭିଭାଷଣକୁ ବିଶ୍ଳେଷଣ କରିବାକୁ ବିରୋଧୀ ଚଞ୍ଚଳ ଅଛନ୍ତି। ସେହିପରି ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଉପନିର୍ବାଚନର ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିଲେ। ରବିବାର ଗସ୍ତ ବେଳେ ସେ ଜିଲ୍ଲା ଗଠନ ନେଇ କିଛି ବିଧିବଦ୍ଧ ବିଜ୍ଞପ୍ତି ସଂପର୍କରେ ସୂଚନା ଦେବା ଯଥେଷ୍ଟ ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଚାଷୀଙ୍କୁ ସନ୍ତୋଷ କରିବା ପାଇଁ ବି ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ସମ୍ଭାବନା ରହିଛି। ପ୍ରସ୍ତାବିତ ଅଂଗ ନଦୀବନ୍ଧର ଭାଗ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଜଣାପଡ଼ିବ। ୨୦୧୫ରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ପରିବର୍ଦ୍ଧିତ ଭାବେ ୧୫ଶହ କୋଟି ଟଙ୍କା ଘୋଷଣା କରିଥିଲେ। କିନ୍ତୁ କାମ ଆରମ୍ଭ ହେଉନଥିବାରୁ ପଦ୍ମପୁରବାସୀ ଆଶା ଆଶଂକାରେ ରହିଛନ୍ତି। ଏହି ପ୍ରକଳ୍ପ ସଂପର୍କରେ ବି ମୁଖ୍ୟମନ୍ତ୍ରୀ ବିବରଣୀ ରଖିପାରନ୍ତି। ବିଗତ ଦିନରେ ପଦ୍ମପୁର ଯେତେଥର ନିର୍ବାଚନ ହୋଇଛି ଉପରୋକ୍ତ ୪ଟି ପ୍ରସଂଗ ହିଁ ନିର୍ବାଚନୀ ଏଜେଣ୍ଡାରେ ରହିଛି। ଯାହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ତେଣୁ ବିରୋଧୀଙ୍କ ସ୍ବର ଦବାଇବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ପ୍ରସଂଗ ଉପରେ କିଛି ନା କିଛି ଘୋଷଣା କରିବେ ବୋଲି କୁହାଯାଉଛି।