ଚିଟ୍‌ଫଣ୍ଡ ଠକେଇ: ୱାଇଜ୍‌ମେନ୍‌ ଏମ୍‌ଡି, ନିର୍ଦ୍ଦେଶକଙ୍କୁ ୫ ବର୍ଷ ଜେଲ୍‌

ବାଲେଶ୍ବର : ଚିଟ୍‌ଫଣ୍ଡ ସଂସ୍ଥା ‘ୱାଇଜମେନ୍‌ ରିସୋର୍ସେସ୍‌’ ବିରୋଧରେ ବିଚାରାଧୀନ ଠକେଇ ମାମଲାରେ ରାୟ ଶୁକ୍ରବାର ଦିନ ପ୍ରକାଶ ପାଇଛି। ଏହି ମାମଲାରେ ଉକ୍ତ ଠକସଂସ୍ଥାର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଓ ଜଣେ ନିର୍ଦ୍ଦେଶକଙ୍କୁ ବାଲେଶ୍ବର ଚିଟ୍‌ଫଣ୍ଡ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।

‘ୱାଇଜମେନ୍‌ ରିସୋର୍ସେସ୍‌’ ବିଭିନ୍ନ ଲୋଭନୀୟ ସ୍କିମ୍‌ ଜରିଆରେ ବାଲେଶ୍ବରର ଅନେକ ଜମାକାରୀଙ୍କଠାରୁ ବିପୁଳ ଅର୍ଥ ସଂଗ୍ରହ କରିଥିଲା। ୨୦୧୨ରେ ଶିଳ୍ପାଞ୍ଚଳ ଥାନା ବାମପଦା ଗ୍ରାମର ରବିନାରାୟଣ ସାହୁଙ୍କଠାରୁ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅନୀଲ କୁମାର ପାତ୍ର ଓ ତାଙ୍କ ସହଯୋଗୀ ଏମ୍‌ଆଇଏସ୍‌ ସ୍କିମ୍‌ରେ ଅଧିକ ସୁଧ ମିଳୁଛି ବୋଲି ପ୍ରଲୋଭିତ କରି ୨ ଲକ୍ଷ ଟଙ୍କା ଜମାରାଶି ସଂଗ୍ରହ କରିଥିଲେ। ଟଙ୍କା ଜମା ହେବାର ୯ ମାସ ଯାଏ ରବିଙ୍କ ଆକାଉଣ୍ଟକୁ ମାସିକ ୫ ହଜାର ୮୪୦ ଟଙ୍କା ଲେଖା ସୁଧ ଅର୍ଥ ଯାଇଥିଲା। ପରେ ସୁଧ ଅର୍ଥ ଜମା ନ ହେବାରୁ ରବି ସହଦେବଖୁଣ୍ଟା ଅଞ୍ଚଳରେ ଥିବା ସଂସ୍ଥାର କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହୋଇଥିଲେ। ସଂସ୍ଥା କାର୍ଯ୍ୟାଳୟ ବନ୍ଦ ହୋଇଯାଇଛି ବୋଲି ଜାଣିବା ପରେ ରବିଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଏ ନେଇ ସେ ‘ୱାଇଜମେନ୍‌ ରିସୋର୍ସେସ୍‌ ଲିମିଟେଡ୍‌’ର ପରିଚାଳନା ନିର୍ଦ୍ଦେଶକ ଓ ତାଙ୍କ ସହଯୋଗୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଆଇପିସି ୪୨୦, ୪୦୬, ୪୬୮, ୪୦୮, ୧୨୦ (ବି), ୩୪, ୪, ୫ ଓ ୬ ପ୍ରାଇସ୍‌ ଚିଟିଂ ଆଣ୍ଡ ମନି ସର୍କୁଲେସନ୍‌ ବ୍ୟାନିଂ ଆକ୍ଟ ସମେତ ଓପିଆଇଡିର ୬ ଧାରାରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ସିଂଲା ଥାନା ବଢ଼ାଣ ଗ୍ରାମର ଅନୀଲ କୁମାର ପାତ୍ର, ନିର୍ଦ୍ଦେଶକ ସିଂଲା ଥାନା ନିଶ୍ଚନ୍ତପୁର ଗ୍ରାମର ପ୍ରଭାସ ଚନ୍ଦ୍ର ଜେନା, ଯାଜପୁର ଜିଲ୍ଲା ଡୋଭବିଲ ଗ୍ରାମର ଦିଲ୍ଲୀପ କର, ବରହମପୁର ଥାନା ବାଲିସାହି ଗ୍ରାମର ରମେଶ କୁମାର ପାତ୍ର, ସିଂଲା ଥାନା ପଣହା ଗ୍ରାମର ପ୍ରଭାସ ଦତ୍ତ, ନୀଳଗିରି ଥାନା ପୁରୁଣାଗାଁ ଗ୍ରାମର ସତ୍ୟାନନ୍ଦ ପାତ୍ର, ବସ୍ତା ଥାନା ଦୁଣ୍ଡ ଗ୍ରାମର ରବୀନ୍ଦ୍ର ବିଶ୍ବାଳ ଓ ଶକୁନ୍ତଳା ବିଶ୍ବାଳଙ୍କ ନାମରେ କେସ୍‌ ନମ୍ବର ୨୦୬/୨.୬.୧୪ରେ ମାମଲା ରୁଜୁ କରିଥିଲା ପୁଲିସ।

ଏହି ମାମଲାର ବିଚାର କରି ବାଲେଶ୍ବର ଚିଟ୍‌ଫଣ୍ଡ ଅଦାଲତର ବିଚାରପତି ସଦାଶିବ ଜେନା ଦୁଇ ଅଭିଯୁକ୍ତ ୱାଇଜ୍‌ମେନ୍‌ ରିସୋର୍ସେସ୍‌ ଲିମିଟେଡ୍‌ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅନୀଲ କୁମାର ପାତ୍ର ଓ ଅନ୍ୟତମ ନିର୍ଦ୍ଦେଶକ ପ୍ରଭାସ ଚନ୍ଦ୍ର ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଲେଖା ଜେଲ୍‌ଦଣ୍ଡ ସହ ୪୦ ହଜାର ଟଙ୍କା ଲେଖା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଏହି ମାମଲାରେ ୧୦ ଜଣ ସାକ୍ଷୀ ଓ ୧୯ଟି ଦସ୍ତାବିଜ୍‌ ଆଧାରରେ ବିଚାରପତି ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର