ରୋଚକ ସ୍ଥିତିରେ ଚିକିଟି ବିଧାନସଭା : ବିଜେଡିରୁ ଉଷା, ଦୁଇ ଦଳରୁ ଦୁଇ ଭାଇ ଆଶାୟୀ

ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ): ବ୍ରହ୍ମପୁର ସ˚ସଦୀୟ କ୍ଷେତ୍ରର ଏକ ବିଧାନ ସଭା ଆସନ ହେଉଛି ଚିକିଟି। ଏହା ଜିଲ୍ଲାର ଏକ ସ୍ପର୍ଶକାତର ବିଧାନସଭା କ୍ଷେତ୍ର ଭାବେ ପରିଚିତ। ନିର୍ବାଚନ ବିଗୁଲ ବାଜି ସାରିଥିବାବେଳ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୧ରେ ଏହି ବିଧାନସଭା କ୍ଷେତ୍ରରେ ଭୋଟ ଅନୁଷ୍ଠିତ ହେବ। ଭୋଟକୁ ଆଉ ୧ମାସ ବାକି। ଚିକିଟି ଅଞ୍ଚଳରେ ରାଜନୀତି ପାଣିପାଗ ବି ବେଶ ଉଷ୍ମ। ତେବେ ଏହି ଆସନରୁ ବିଜେଡିର ପ୍ରାର୍ଥୀ ଏକରକମ ସ୍ପଷ୍ଟ ହୋଇ ସାରିଥିବା ବେଳେ ବିଜେପି ଓ କ˚ଗ୍ରେସର ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଅସ୍ପଷ୍ଟ ରହିଛି।

ଚିକିଟି ଏନ୍‌ଏସି, ଚିକିଟି ବ୍ଲକ ଓ ପାତ୍ରପୁର ବ୍ଲକକୁ ନେଇ ଏହି ନିର୍ବାଚନ ମଣ୍ତଳୀ ଗଠିତ। ୧୯୭୭ ମସିହାରେ ଏହି ଆସନରୁ ଜନତା ଦଳରୁ ଜଗନ୍ନାଥ ପତି ବିଜୟୀ ହୋଇଥିଲେ। ୧୯୮୦ ମସିହା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ଚିନ୍ତାମଣି ଦ୍ୟାନ ସାମନ୍ତରାୟ ଚିକିଟି ରାଜା ସଚିଦାନନ୍ଦ ଦେଓଙ୍କୁ ହରାଇ ୩୪୬୦ଖଣ୍ତ ଭୋଟରେ ବିଜୟୀ ହୋଇଥିଲେ। ଏହାପର ଚିନ୍ତାମଣି ଆଉ ପଛକୁ ଫେରି ଚାହିଁ ନ ଥିଲେ। ୧୯୮୫ରେ ଚିକିଟି ରାଜାଙ୍କ ବୋହୂ ତଥା ବର୍ତ୍ତମାନର ମନ୍ତ୍ରୀ ଉଷାଦେବୀ ନିର୍ବାଚନ ଲଢିଥିଲେ। କ˚ଗ୍ରେସ ପ୍ରାର୍ଥୀ ଚିନ୍ତାମଣି ଦ୍ୟାନ ସାମନ୍ତରା ତାଙ୍କୁ ପରାଜିତ କରି ୧୬, ୬୦୮ ଖଣ୍ତ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଆଉ ୧୯୯୦ ନିର୍ବାଚନରେ ଚିନ୍ତାମଣିଙ୍କୁ ଝଟ୍‌କା ଲାଗିଥିଲା। ଉଷାଦେବୀ ଜନତା ଦଳରୁ ପ୍ରାର୍ଥୀ ହୋଇ ୨୦, ୫୭୮ଖଣ୍ତ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ୧୯୯୫ ନିର୍ବାଚନ ପର ଠାରୁ ପୁଣି ଚିନ୍ତାମଣି ଦ୍ୟାନ ସମାନ୍ତରା ଉଷାଦେବୀଙ୍କୁ ହରାଇ ୨୮୯୩ ଖଣ୍ତ ଭୋଟରେ ବିଜୟୀ ହୋଇଥିଲା। କିନ୍ତୁ ୨୦୦୦ ନିର୍ବାଚନ ପର ଠାରୁ ଏହି ବିଧାନ ସଭାକ୍ଷେତ୍ରରୁ ଉଷାଦେବୀ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଛନ୍ତି। ଏବେ ନିର୍ବଚନୀ ବିଗୁଲ ବାଜି ସାରିଥିବାବେଳେ ଏହି ନିର୍ବାଚନ କ୍ଷେତ୍ରରୁ ଉଷାଦେବୀ ବିଜେଡିରୁ ପ୍ରାର୍ଥୀ ହେବା ଏକରକମ ସ୍ପଷ୍ଟ ।

ଏହି ନିର୍ବାଚନରୁ ଉଷାଦେବୀଙ୍କ ପୁଅ ମଧ୍ୟ ରାଜନୀତିରେ ପାଦ ଥାପିବାର ସମ୍ଭାବନା ରହିଥିବା କୁହାଯାଉଛି। ୨୦୧୪ ନିର୍ବାଚନରେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସମାନ୍ତରାୟ ନିର୍ବାଚନ ଲଢି ନ ଥିଲେ। ତାଙ୍କ ସାନପୁଅ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କ˚ଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଏହାପରେ ସେ ଦଳ ଛାଡି ଭାଜପାରେ ଯୋଗଦେଇଛନ୍ତି। ବର୍ତ୍ତମାନ ଚିକିଟି ନିର୍ବାଚନମଣ୍ତଳୀରୁ ସେ ଭାଜପାରୁ ପ୍ରାର୍ଥୀ ହେବାକୁ ଆଶାୟୀ ରହିଛି। ଏହାସହିତ ଗତ ଥର ଭାଜପାରୁ ପ୍ରାର୍ଥୀ ହୋଇଥିବା ଉଦୟ ନାଥ ପ୍ରଧାନ ମଧ୍ୟ ଏଥର ପ୍ରାର୍ଥୀ ପାଇଁ ଦୌଡରେ ରହିଛନ୍ତି। ଅନ୍ୟପକ୍ଷରେ କ˚ଗ୍ରେସ ଟଳମଳ ସ୍ଥିତିରେ ରହିଛି। ପୁଅ ଭାଜପାରେ ମିଶି ସାରିଥିବା ପୂର୍ବତନ ବାଚସ୍ପତି ଚିନ୍ତାମଣି ବ୍ରହ୍ମପୁର ଲୋକସଭା ପାଇଁ ଆଶାୟୀ ରହିଛନ୍ତି। ଅନ୍ୟପକ୍ଷରେ ଚିନ୍ତାମଣି ଦ୍ୟାନ ସମାନ୍ତରାୟଙ୍କ ବଡପୁଅ ରବୀନ୍ଦ୍ର ଦ୍ୟାନ ସମାନ୍ତରାୟ ଏବ˚ ପ୍ରମୋଦ କୁମାର ଦାସ କ˚ଗ୍ରେସର ଲଢିବା ଲାଗି ଆଶାୟୀ ରହିଛନ୍ତି। ଯଦି ଭାଜପା ମନୋରଞ୍ଜନକୁ ପ୍ରାର୍ଥୀ କରେ ଏବଂ କ˚ଗ୍ରେସ ରବୀନ୍ଦ୍ରକୁ ପ୍ରାର୍ଥୀ କରେ, ଗୋଟିଏ ପରିବାର ଦୁଇ ଭାଇ ଦୁଇଟି ଦଳରୁ ପ୍ରତିଦ୍ବନ୍ଦ୍ବିତା କରିବେ।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି     ଉଷାଦେବୀ    ୭୪, ୮୪୯
କ˚ଗ୍ରେସ   ମନୋରଞ୍ଜନ ଦ୍ୟାନ ସମାନ୍ତରାୟ   ୪୨,୭୦୧
ବିଜେପି    ଉଦୟ ନାଥ ପ୍ରଧାନ   ୪,୫୯୦

ସମ୍ବନ୍ଧିତ ଖବର