ଚିକିଟି ନିର୍ବାଚନମଣ୍ଡଳୀ: ଗଡ଼ରକ୍ଷା ବିଜେଡି ପାଇଁ ଚ୍ୟାଲେଞ୍ଜ୍‌

ବ୍ରହ୍ମପୁର, (ସୁଦୀପ୍ତ ଷଡ଼ଙ୍ଗୀ): ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାର ୧୩ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ବିଜେଡି ହାତକୁ ୧୨ଟି ବିଧାନସଭା ଆସନ ଯାଇଥିଲା। ଏହି ୧୨ଟି ବିଧାନସଭା ଆସନ ମଧ୍ୟରୁ ଚିକିଟି ନିର୍ବାଚନମଣ୍ଡଳୀ ଦୀର୍ଘ ଦୁଇ ଦଶନ୍ଧି ହେଲା ବିଜେଡି କବ୍‌ଜାରେ ରହିଛି। ଗତ ୫ଟି ବିଧାନସଭା ନିର୍ବାଚନରେ ବିଜେଡି ଏହି ଆସନରୁ ସହଜ ବିଜୟ ହାସଲ କରି ଚାଲିଛି। ଚିକିଟି ରାଣୀ ଉଷା ଦେବୀ ଲଗାତାର ଏହି ନିର୍ବାଚନମଣ୍ଡଳୀରୁ ବିଜେଡି ଟିକଟରେ ବିଜୟୀ ହୋଇଛନ୍ତି। କିନ୍ତୁ ଆଗାମୀ ୨୦୨୪ରେ ବିଜେଡିକୁ ଚିକିଟି ଗଡ଼ରକ୍ଷା କରିବା ପାଇଁ ଚାଲେଞ୍ଜ୍‌ର ସମ୍ମୁଖୀନ ହେବାକୁ ପଡ଼ିବ। ଗତ ୨୦୧୯ରେ ବିଜେଡି ପ୍ରାର୍ଥୀ ଉଷା ଦେବୀ ୭୩ ହଜାର ୩୫୩ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନସାମନ୍ତରା ୫୨ହଜାର ୭୧୮ ଭୋଟ୍‌ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ସୁବାସ ରାଉତ ମାତ୍ର ୩ ହଜାର ୭୪୭ ଭୋଟ୍‌ ପାଇଥିଲେ। ଏହି ବିଧାନସଭା କ୍ଷେତ୍ରରେ ଶକ୍ତି ସଂଚୟ କରୁଥିବା ବିଜେପି ଗଲାବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଫଳତା ପାଇଥିଲା। ପାତ୍ରପୁର ବ୍ଲକ କ୍ଷିତା ଦଖଲ କରିନେବା ସହ ଗୋଟିଏ ଜିଲ୍ଲା ପରିଷଦ ଆସନ ମଧ୍ୟ ଅକ୍ତିଆର କରି ନେଇଥିଲା। ଏବେ ଚିକିଟି ନିର୍ବାଚନମଣ୍ଡଳୀର ରାଜନୈତିକ ଦୃଶ୍ୟପଟ କିଛି ଅଲଗା ରହିଛି। ବିଜେପି ଆଗକୁ ମାଡ଼ି ଚାଲିଛି। ରାଜନୈତିକ ସମୀକ୍ଷକଙ୍କ ଆକଳନ ଅନୁସାରେ ଆଗାମୀ ୨୦୨୪ରେ ଚିକିଟି ବିଧାନସଭା ଆସନ ପାଇଁ ବିଜେଡି ଓ ବିଜେପି ମଧ୍ୟ କଡ଼ା ମୁକାବିଲା ହେବ।

ଚିକିଟି ନିର୍ବାଚନମଣ୍ଡଳୀ ଅଧୀନରେ ଚିକିଟି ଓ ପାତ୍ରପୁର ବ୍ଲକ୍ ରହିଛି। ଏହି ଦୁଇଟି ବ୍ଲକ୍‌ରେ ୬ଟି ଜିଲ୍ଲା ପରିଷଦ ଜୋନ୍‌ ରହିଛି। ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେପି ପାତ୍ରପୁର ବ୍ଲକ୍‌ର ୩୪ନମ୍ବର ଜୋନ୍‌ ଦଖଲ କରି ବିଜେଡିକୁ ଚକ୍‌ମା ଦେଇଥିଲା। ବିଜେପି ନେତା ମନୋରଂଜନ ଦ୍ୟାନସାମନ୍ତରାଙ୍କ ନେତୃ୍ତ୍ବରେ ପାତ୍ରପୁର ବ୍ଲକ୍‌ରେ ବିଜେପି ଆଗକୁ ମାଡ଼ି ଚାଲିଛି। ଏପରିକି ବିଜେପି ପାତ୍ରପୁର ବ୍ଲକ୍‌ ଅଧ୍ୟକ୍ଷ ପଦବି ମଧ୍ୟ ଦଖଲ କରିଛି। ମୋଟାମୋଟି ଭାବେ କହିବାକୁ ଗଲେ ପାତ୍ରପୁର ବ୍ଲକ୍‌ ବିଜେପି କବ୍‌ଜାରେ ରହିଛି। ଯାହାକି ବିଜେଡି ଶିବିର ପାଇଁ ଏବେ ଚିନ୍ତାର କାରଣ ହୋଇଛି। ଅପରପକ୍ଷେ ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ଅପେକ୍ଷା ୨୦୨୨ରେ ଚିକିଟି ନିର୍ବାଚନମଣ୍ଡଳୀରେ ବିଜେପିର ଭୋଟହାର ବୃଦ୍ଧି ପାଇଥିବା ବେଳେ ବିଜେଡିର ଭୋଟ କମିଥିବା ଲକ୍ଷ୍ୟ କରାଯାଇଛି। ବିଜେପି ସଂପ୍ରତି ଚିକିଟି ନିର୍ବାଚନମଣ୍ଡଳୀ ଉପରେ ସମ୍ପୂର୍ଣ୍ଣ ଫୋକସ୍‌ କରିଛି।

ବିଗତ ଦିନରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ତଥା ବ୍ରହ୍ମପୁର ଓ ଆସିକା ଲୋକସଭାର ବିଜେପି ପ୍ରଭାରୀ ଦର୍ଶନା ଜର୍ଦ୍ଦୋସ୍‌ ଚିକିଟି ନିର୍ବାଚନମଣ୍ଡଳୀ ଗସ୍ତ କରି ସଂଗଠନକୁ ସୁଦୃଢ଼ କରିବା ପାଇଁ ବରିଷ୍ଠ ନେତାଙ୍କୁ କର୍ଣ୍ଣମନ୍ତ୍ର ଦେଇଥିଲେ। ବିଜେପିର କେନ୍ଦ୍ରୀୟ କିମିଟି ମଧ୍ୟ ଚିକିଟି ଉପରେ ନଜର ରଖିଛି। ଏଣୁ ବିଜେପି ଆଗାମୀ ୨୦୨୪ରେ ପୂରାଦମ୍‌ରେ ନିର୍ବାଚନ ଲଢ଼ିବ ବୋଲି ଅନୁମାନ କରାଯାଉଛି। ସେପଟେ କଂଗ୍ରେସ ସଂଗଠନ ଏକ ପ୍ରକାର ସୁପ୍ତ ଅବସ୍ଥା‌ରେ ରହିଛି। ଦଳୀୟ ସଂଗଠନ ମଧ୍ୟ ସେତେଟା ଭଲ ସ୍ଥିତିରେ ନାହିଁ। ଏହି ଜାତୀୟ ଦଳ ତାର ସ୍ଥିତି ସୁଧାରିବାକୁ କେବଳ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ଉପରେ ନିର୍ଭରଶୀଳ।

ସମ୍ବନ୍ଧିତ ଖବର