ଶରଧାପୁରରେ ଚିକେନ୍‌ଗୁନିଆ ଆତଙ୍କ, ଶତାଧିକ ଆକ୍ରାନ୍ତ, ଡେରା ପକାଇଛି ସ୍ବାସ୍ଥ୍ୟବିଭାଗ

ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅଧୀନ ଶରଧାପୁର ଗ୍ରାମରେ ଦେଖାଦେଇଛି ଚିକେନ୍‌ଗୁନିଆ ଜ୍ବରର ଆତଙ୍କ। ଶତାଧିକ ମହିଳା, ପୁରୁଷ, ବରିଷ୍ଠ ନାଗରିକ ଓ ଶିଶୁ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ଶରୀରର ଗଣ୍ଠି ଫୁଲିବା ସହ ଯନ୍ତ୍ରଣା ଆରମ୍ଭ ହେଉଛି। ଆଉ ମୁଣ୍ଡ ବୁଲାଉଛି। ଜ୍ବର କମିବା ନାଁ ନେଉନି। ଏହି ଘଟଣା ସାମ୍ନାକୁ ଆସିବା ପରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ସ୍ଥିତି ଦୁଇ ଦିନ ହେଲା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ରକ୍ତ ନମୁନା ସଂଗ୍ରହ ସାଙ୍ଗକୁ ଔଷଧ ଓ ସାଲାଇନ୍ ଦିଆଯାଉଛି। କିଛି ରୋଗୀ ଧରାକୋଟ ସ୍ବାସ୍ଥ୍ୟକେନ୍ଦ୍ର, ଆସିକା ଉପଖଣ୍ଡ ଡାକ୍ତରଖାନା ଓ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ତେବ‌େ ରୋଗ କମିବା ପରିବର୍ତ୍ତେ ଘରକୁ ଘର ବ୍ୟାପିବାରେ ଲାଗିଛି। ଯାହା କି ସ୍ବାସ୍ଥ୍ୟବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଗ୍ରାମର ‌ରୋହିତ ପ୍ରଧାନଙ୍କ ପରିବାରର ୭ଜଣ, ସନ୍ତୋଷ ଗୌଡ଼ଙ୍କ ୨ଜଣ, ଗଣେଶ ଗୌଡ଼ଙ୍କ ୩ଜଣ, ରଞ୍ଜନ ପ୍ରଧାନଙ୍କ ପରିବାରର ୩ଜଣ ସଦସ୍ୟ ଚିକେନ୍‌ଗୁନିଆରେ ଆକ୍ରାନ୍ତ ହୋଇଛନ୍ତି।

ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ବ୍ରଜରାଜ କର କହିଛନ୍ତି, ଗ୍ରାମବାସୀଙ୍କଠାରେ ଚିକେନ୍‌ଗୁନିଆର ଲକ୍ଷଣ ଦେଖାଦେଇଛି। ସ୍ବାସ୍ଥ୍ୟଟିମ୍‌କୁ ପଠାଯାଇ ଚିକିତ୍ସା ଜାରି ରହିଛି। ଆସନ୍ତାକାଲି ଆଉ ଏକ ଡାକ୍ତରୀ ଟିମ୍ ଗ୍ରାମକୁ ଯିବେ। ତେବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

ଅନ୍ୟପକ୍ଷରେ ଗ୍ରାମକୁ ଯୋଗାଣ ହେଉଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ପାଣି ବିଶୋଧନ ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୁଇଟି ନଳକୂପରୁ ପାଣି ପିଇବା ଉପଯୋଗୀ ହୋଇଥିଲେ ହେଁ, ଏଥିରେ ଭିଡ଼ ହେଉଥିବାରୁ ‌ଗ୍ରାମବାସୀ ପୋଖରୀ ଓ କେନାଲରୁ ପାଣି ସଂଗ୍ରହ କରୁଛନ୍ତି।

ସମ୍ବନ୍ଧିତ ଖବର