ପୁରୀରୁ ଚୋରି ଶିଶୁ ସମ୍ବଲପୁରରୁ ଉଦ୍ଧାର

ଚୋରି ଶିଶୁକନ୍ୟାକୁ ଭିକ୍ଷାବୃତ୍ତିରେ ନିୟୋଜିତ କରିଥିଲେ କିନ୍ନର

ସମ୍ବଲପୁର : ପୁରୀରୁ କିଛି ମାସ ତଳେ ଚୋରି ହୋଇଥିବା ଏକ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ହୀରାକୁଦ ରେଳବାଇ କଲୋନିରେ ରହୁଥିବା ଜଣେ କିନ୍ନରଙ୍କଠାରୁ ଉଦ୍ଧାର କରାଯାଇଛି। ଉଦ୍ଧାର ବାଳିକାକୁ ଆଜି ସିଡବ୍ଲ୍ୟୁସିରେ ହାଜର କରାଯିବା ପରେ ବାଳିକାର ବାପା ରାଜେଶ ବେହେରାଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ପୁରୀ ବଲିଆପଣ୍ଡା ଥାନା ଅଂଚଳରେ ରହୁଥିବା ରାଜେଶ ବେହେରା ପୁରୀ ସ୍ବର୍ଗଦ୍ବାର‌ରେ କାମ କରିଥାନ୍ତି। ପ୍ରାୟ ଦେଢ଼ ମାସ ତଳେ ତାଙ୍କ ପତ୍ନୀ କୁଆଡ଼େ ଚାଲି ଯାଇଥିଲେ। ସେ ଚାଲିଯିବା ପରେ ରାଜେଶଙ୍କ ଦୁଇ ସନ୍ତାନଙ୍କୁ ଜଣେ ନାବାଳିକା ଦେଖାଶୁଣା କରୁଥିଲେ। ରାଜେଶଙ୍କ ଅନୁପସ୍ଥିତିରେ ନାବାଳିକା ଜଣକ ଅଚାନକ ଘରୁ ୨ ହଜାର ଟଙ୍କା ଓ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଧରି ସମ୍ବଲପୁର ଜିଲ୍ଲା ହୀରାକୁଦ ରେଳବାଇ କଲୋନିରେ ରହୁଥିବା ଜଣେ କିନ୍ନରଙ୍କ ପାଖକୁ ଚାଲି ଆସିଥିଲେ। କିନ୍ନର ନିଜ ପାଖ‌ରେ ଆଗରୁ ବି ଜଣେ ବାଳକକୁ ରଖିଥିଲେ। ସେ ଏହି ଦୁଇ ଜଣଙ୍କୁ ଭିକ୍ଷାବୃତ୍ତିରେ ନିୟୋଜିତ କରି ଅର୍ଥ ରୋଜଗାର କରୁଥିବା କୁହାଯାଇଛି। ଘଟଣା ସଂକ୍ରାନ୍ତରେ ଜଣାପଡ଼ିବା ପରେ ଜଣେ ସ୍ବେଚ୍ଛାସେବୀ ଚାଇଲ୍‌ଡ ଲାଇନ୍‌କୁ ସୂଚନା ଦେଇଥିଲେ। ଗତ ୨୬ ତାରିଖ ଦିନ ଚାଇଲ୍‌ଡ ଲାଇନ୍ ଟିମ୍ ଏକ ପରିତ୍ୟକ୍ତ ଘରେ ରହୁଥିବା କିନ୍ନରଙ୍କଠାରୁ ଏହି ଶିଶୁକନ୍ୟାକୁ ଉଦ୍ଧାର କରିଥିଲା।

ଘଟଣା ସଂକ୍ରାନ୍ତରେ ବଲିଆପଣ୍ଡା ଥାନାକୁ ସୂଚନା ଦିଆଯାଇଥିଲା। ପୁଲିସଠାରୁ ସୂଚନା ପାଇ ଆଜି ରାଜେଶ ସମ୍ବଲପୁର ଆସିଥିଲେ। ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ଶିଶୁକନ୍ୟାକୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିଲା। ସିଡବ୍ଲୁସି ଅଧ୍ୟକ୍ଷ ବ୍ରଜେନ୍ଦ୍ର କିଶୋର ପଣ୍ଡା, ସଦସ୍ୟ ପୁଷ୍ପା ମହାପାତ୍ର, ବାଣୀ ମହାପାତ୍ର, ଝରଣା ମିଶ୍ରଙ୍କ ଉପସ୍ଥିତିରେ ରାଜେଶଙ୍କ ବୟାନ ରେକର୍ଡ ପରେ ଶିଶୁକନ୍ୟାକୁ ତାଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ତେବେ, ପୁରୀରୁ ଚୋରି କରି ଆଣିଥିବା ନାବାଳିକା କିମ୍ବା କିନ୍ନରଙ୍କ ବିରୋଧରେ ପୁଲିସ ପକ୍ଷରୁ ‌କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। କିନ୍ନରଙ୍କ ପାଖରେ ଥିବା ଅନ୍ୟ ବାଳକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର ମଧ୍ୟ କରାଯାଇନାହିଁ।

ସମ୍ବନ୍ଧିତ ଖବର