ପୁରୀ: ବେଳାମାର୍ଗରୁ ଅଢ଼େଇ ବର୍ଷର ଶିଶୁକନ୍ୟା ରାଧା ଅପହରଣ ହେବାର ୫ ମାସ ବିତିବାକୁ ବସିଲାଣି। କିନ୍ତୁ ରାଧା ଏବେ କେଉଁଠି ପୁଲିସ ଖୋଜି ବାହାର କରିପାରିଲାନାହିଁ। ଏନେଇ ବଳିଆପଣ୍ଡା ଥାନାରେ ମାମଲା ରୁଜୁ କରାଯାଇଥିଲା। ପୁରୀ ଏସ୍ପି ଡ. କେ ବିଶାଳ ସିଂହଙ୍କ ତତ୍ତ୍ବାବଧାନରେ ଜଣେ ବରିଷ୍ଠ ମହିଳା ଡିଏସ୍ପିଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ସୁଫଳ ମିଳିନଥିଲା। ତେଣୁ ମାମଲାର ତଦନ୍ତ ଦାୟିତ୍ବ କ୍ରାଇମ୍ବ୍ରାଞ୍ଚ ନେଉ ବୋଲି ଏସ୍ପି ଡ. ସିଂହ ଚିଠି କରିଥିଲେ। ଆଜି କ୍ରାଇମ୍ବ୍ରାଞ୍ଚ ଅଧିକାରୀମାନେ ବଳିଆପଣ୍ଡା ଥାନାରେ ପହଞ୍ଚି ମାମଲାର ଫାଇଲ୍କୁ ଯାଞ୍ଚ କରିଛନ୍ତି।
ସୂଚନାଯୋଗ୍ୟ, ବଳିଆପଣ୍ଡା ଥାନା ଅଞ୍ଚଳରେ ରହୁଥିବା କଟକ ନିଆଳି ଥାନା ଅନ୍ତର୍ଗତ ବଂଶୀପୁରର ସଞ୍ଜୟ ମଲ୍ଲିକ ପୁରୀ ବେଳାମାର୍ଗରେ ପଇଡ଼ ବ୍ୟବସାୟ କରନ୍ତି। ପ୍ରତିଦିନ ପରି ସେ ଗତ ଜୁଲାଇ ୨୬ ସନ୍ଧ୍ୟା ପ୍ରାୟ ୬ଟା ୨୦ରେ ପ୍ରଭୁପାଦ ହୋଟେଲ ସମ୍ମୁଖ ତାଙ୍କ ଦୋକାନରେ ପଇଡ଼ ବିକ୍ରି କରୁଥିଲେ। ହଠାତ ଏକ କାର୍ ସେଠାରେ ପହଞ୍ଚିଥିଲା। କାର୍ରେ ଚାଳକ ସମେତ ଜଣେ ମହିଳା ବସିଥିଲେ। ସଞ୍ଜୟଙ୍କ ଇସାରାରେ ତାଙ୍କ ବଡ଼ ଝିଅ ପଇଡ଼ ଆଣି କାର୍ରେ ବସିଥିବା ମହିଳାଙ୍କୁ ଦେବା ସମୟରେ ବଡ଼ ଭଉଣୀ ସହ ରାଧା ମଧ୍ୟ ଥିଲା। ମହିଳା ଜଣକ ୫ ଶହ ଟଙ୍କା ଧରାଇ ରେଜା କରିଦେବାକୁ କହିବାରୁ ସଞ୍ଜୟଙ୍କ ବଡ଼ଝିଅ ଏହାକୁ ନେଇ ବାପାଙ୍କ ପାଖକୁ ଯାଇଥିଲା। ଏହି ସମୟରେ ରାଧା ଅପହରଣ ହୋଇଯାଇଥିଲା। କାର୍ରେ ବସିଥିବା ମହିଳା ରାଧାକୁ ଅପହରଣ କରିଥାଇପାରେ ବୋଲି ସଞ୍ଜୟ ସନ୍ଦେହ କରି ବଳିଆପଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। ଆଇଆଇସି ସସ୍ମିତା ବେହେରା ନିକଟରେ ଥିବା ସିସି କ୍ୟାମେରାର ଫୁଟେଜ୍ ଓ ପିପିଲିସ୍ଥିତ ଟୋଲ୍ ଗେଟ୍ରୁ ମଧ୍ୟ ସିସି କ୍ୟାମେରା ଫୁଟେଜ୍ ଆଣି ତଦନ୍ତ ଆରମ୍ଭ କରିଥିଲେ। ପରେ ତଦନ୍ତ ଦାୟିତ୍ବ ଆଇୟୁସିଏଡବ୍ଲ୍ୟୁର ଡିଏସ୍ପି ତାରା ଜସ୍ମିନ ଗୁରିଆଙ୍କୁ ଦିଆଯାଇଥିଲା। କାର୍ଟି ଭୁବନେଶ୍ବରରେ ରହୁଥିବା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ବୋଲି ସନ୍ଦେହ କରି ସେଠାରେ ପୁଲିସ
ଚଢ଼ଉ କରିଥିଲା। କିନ୍ତୁ ଏଥିରେ ସତ୍ୟାସତ୍ୟ ନଥିବାରୁ ପୁଲିସ ଅପଦସ୍ଥ ହୋଇଥିଲା। ବାରମ୍ବାର ବଦଳୁଥିବା ସଞ୍ଜୟଙ୍କ ବୟାନକୁ ଆଧାର କରି ପୁଲିସ ଲଗାତାର ତଦନ୍ତ ଚଳାଇଥିଲେ ମଧ୍ୟ ସଫଳତାକୁ ଛୁଇଁ ପାରିନଥିଲା। ଏଭଳି ସ୍ଥିତିରେ ସଞ୍ଜୟଙ୍କ ନିବେଦନକୁ ଦୃଷ୍ଟିରେ ରଖି ଏସ୍ପି ଡ. ସିଂହ ମଧ୍ୟ ଏନେଇ କ୍ରାଇମ୍ବ୍ରାଞ୍ଚକୁ ଇତିମଧ୍ୟରେ ୩ ଥର ଚିଠି କରିଥିଲେ। ଆଜି କ୍ରାଇମ୍ବ୍ରାଞ୍ଚ ଅଧିକାରୀମାନେ ବଳିଆପଣ୍ଡା ଥାନାରେ ପହଞ୍ଚି ରାଧା ଅପହରଣ ମାମଲାର ଫାଇଲ୍କୁ ନେଇ ଯାଞ୍ଚ ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ କ୍ରାଇମ୍ବ୍ରାଞ୍ଚ ଅଧିକାରୀମାନଙ୍କ ଏହି ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ଅନ୍ୟପଟେ ଶିଶୁ ଚୋରି ରୢାକେଟ ରାଧାକୁ ନେଇ କେଉଁ କାମରେ ଲଗାଇଥିବ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ ୫ ମାସ ହେବ ଅପହୃତା ରାଧା ଏବେ କେଉଁଠି ବୋଲି ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/crime-branch.jpg)