ଭୁବନେଶ୍ବର: ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ରାମମନ୍ଦିର ସାମ୍ନାରେ ଶୋଇଥିବା ଦୃଷ୍ଟିବାଧିତ ମା’ କୋଳରୁ ଚୋରି ହୋଇଥିଲା ଦେଢ଼ ବର୍ଷର ଶିଶୁପୁତ୍ର ଶୁଭମ୍‌ ଓରଫ କେଶବ। କମିସନରେଟ୍‌ ପୁଲିସର ଚାରି ଚାରିଟି ଟିମ୍‌ ପାଖାପାଖି ୫୦ ଘଣ୍ଟା ସର୍ଚ୍ଚ ଅପରେସନ୍‌ କରି କେଶବକୁ ସୋମବାର ରାତିରେ ବାଲେଶ୍ବରରୁ ଉଦ୍ଧାର କରିଛନ୍ତି। ଖନ୍ତାପଡ଼ା ଥାନା ବୋଇତା ଗାଁର ପ୍ରଶାନ୍ତ ପଣ୍ଡାଙ୍କ ସ୍ତ୍ରୀ ଝେଲମ୍‌ରାଣୀ ପଣ୍ଡାଙ୍କ ନିକଟରୁ ପୁଲିସ କେଶବକୁ ଉଦ୍ଧାର କରି ଆଜି ମା ଜୟନ୍ତୀ ମଲ୍ଲିକଙ୍କୁ ହସ୍ତାନ୍ତର କରିଛି। ଏଥିସହିତ କେଶବକୁ ଫଳରସ(ଜୁସ୍‌) ଦେବା ବାହାନାରେ ମା’ କୋଳରୁ ଉଠାଇ ନେଇଥିବା କେଦାରସନ ପଣ୍ଡାକୁ ଗିରଫ କରାଯାଇଛି। ପୁଲିସ ଝେଲମରାଣୀକୁ ଅଟକ ରଖି ପଚରାଉଚରା କରୁଛି ଏବଂ ପିଲା ଚୋରି ପଛର କାରଣ ଜାଣିବାକୁ ମାରାଥନ୍‌ ଜେରା କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଏକ୍ସରେ କହିଛନ୍ତି ଯେ ଶିଶୁଟି ମା’ କୋଳକୁ ଫେରିବା ତାଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ମା’ ମୁହଁରେ ହସ ଦେଖି ସେ ବେଶ୍‌ ଆନନ୍ଦିତ। ଗରିବ, ଅସହାୟ ମହିଳାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଦିଗରେ ପୁଲିସର ପଦ‌କ୍ଷେପ ପ୍ରଶଂସନୀୟ। ଏଭଳି ସମ୍ବେଦନଶୀଳ ଘଟଣାରେ ଗରିବଙ୍କୁ ନ୍ୟାୟ ଦେବା ତାଙ୍କ ସରକାରର ପ୍ରାଥମିକତା ବୋଲି ସେ ଲେଖିଛନ୍ତି। ସୂଚନାଯୋଗ୍ୟ ଯେ ଘଟଣା ପରଠୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୁଲିସକୁ ଏନେଇ କଡ଼ା ନିର୍ଦ୍ଦେଶ ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ପୁଲିସ ଅପରେସନ୍‌ର ନିୟମିତ ମନିଟରିଂ କରୁଥିଲା। ଫଳରେ ପୁଲିସ ତତ୍ପରତା ପ୍ରଦର୍ଶନ କରି ତିନି ଦିନ ମଧ୍ୟରେ କେଶବକୁ ଉଦ୍ଧାର କରିଛି। 
Advertisment
ଧରାପଡ଼ିଲା ଅପହର୍ତ୍ତା, କାହିଁକି ଝେଲମଙ୍କୁ ଘାରିଥିଲା ପୁଅ ନିଶା?
ଶିଶୁ ଚୋରି ନେଇ ଖାରବେଳନଗର ଥାନ‌ାରେ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ ଉପରେ ଗୁରୁତ୍ବ ଦେଇଥିଲା। ଅପହର୍ତ୍ତା କେଦାରସନ ଭୁବନେଶ୍ବର ରେଳଷ୍ଟେସନ ଦେଇ ପଳାଇଥିବା ଜଣାପଡ଼ିବା ପରେ ପୁଲିସ କୋଲକାତା ପର୍ଯ୍ୟନ୍ତ ବିଭିନ୍ନ ଷ୍ଟେସନର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାରେ ଲାଗିପଡ଼ିଥିଲା। ରେଳବାଇ ପୁଲିସ ଏଥିରେ ବିଶେଷ ସହଯୋଗ କରିଥିଲା। ପୁଲିସ ୨୦୦ରୁ ଅଧିକ ସିସିଟିଭି ଯାଞ୍ଚ କରିଥିଲା। ଜଣାପଡ଼ିଲା ଯେ କେଦାରସନ ଭୁବନେଶ୍ବର ଷ୍ଟେସନ ୩ ନମ୍ବର ପ୍ଲାଟ୍‌ଫର୍ମରେ ଲାଗିଥିବା ଗୌହାଟି ଏକ୍ସପ୍ରେସ୍‌ରେ ପଳାଇଛି। ଶେଷରେ ରେଳବାଇ ପୁଲିସ ତାକୁ ବାଲେଶ୍ବର ଷ୍ଟେସନରେ ଜଣେ ମହିଳା(ଝେଲମରାଣୀ)ଙ୍କ ସହ ଠାବ କରିଥିଲା। ଏହାପରେ ତଦନ୍ତରୁ ଜଣାଗଲା ଯେ ବାଲେଶ୍ବର ଷ୍ଟେସନରୁ ସେମାନେ ଏକ ଅଟୋ ଓ ପରେ ବାଇକ୍‌ ଯୋଗେ ବୋଇତା ଗାଁରେ ପହଞ୍ଚିଥିଲେ। ତୁରନ୍ତ ଝେଲମରାଣୀ କେଶବକୁ ଲଣ୍ଡା କରିବା ସହ ଏକ ଝିଅ ପୋଷାକ ପିନ୍ଧାଇ ଦେଇଥିଲା। ସୋମବାର ରାତିରେ କମିସନରେଟ୍‌ ପୁଲିସର ଏକ ସ୍କ୍ବାଡ୍‌ ବୋଇତା ଗାଁରେ ପହଞ୍ଚି ଝେଲମରାଣୀକୁ କାବୁ କରିଥିଲା। ମାତ୍ର ଧରାପଡ଼ି ନଥିଲା ଅପହର୍ତ୍ତା କେଦାରସନ। ସେ କେଶବକୁ ଝେଲମରାଣୀଙ୍କୁ ହସ୍ତାନ୍ତର କରିବା ପରେ ପୁରୀ ପଳାଇଥିଲା। ରାତାରାତି ପୁଲିସ ଟିମ୍‌ ମୋବାଇଲ୍‌ ଫୋନ୍ ଟ୍ରାକ୍‌ କରି ପୁରୀରୁ ତାକୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ କେଦାରସନ ଜଣେ ପେସାଦାର ବାଇକ୍‌ ଚୋର। ଏକଦା ପାହାଳ ଥାନା ପୁଲିସ ତାକୁ ବାଇକ୍‌ ଚୋରି ମାମଲାରେ ଗିରଫ କରିଥିଲା। ପିଲା ଚୋରିକୁ ନେଇ ଉଭୟ କେଦାରସନ ଓ ଝେଲମରାଣୀ ପୁଲିସକୁ ମନଗଢ଼ା କାହାଣୀ କହିଛନ୍ତି। ଝେଲମରାଣୀଙ୍କ ଅସୁସ୍ଥ ପୁଅ ଭଲ ହେବା ପାଇଁ ତାଙ୍କୁ ଏକ ଅନାଥ ଶିଶୁର ଲାଲନପାଳନ କରିବାର ଥିଲା ବୋଲି ସେ କେଦାରସନକୁ କହିଥିଲେ। ତେଣୁ ଅନାଥ ପିଲାଟିଏ ପାଇବା ପାଇଁ କେଦାରସନ ଏହି କାଣ୍ଡ ଭିଆଇଥିଲା। କିନ୍ତୁ ଏହି କାହାଣୀ କେତେ ସତ ସେନେଇ ପୁଲିସ ଖୋଳତାଡ଼ କରୁଛି। ଏହି ପିଲାଚୋରି ପଛ‌ରେ ଅଙ୍ଗ ତସ୍କରୀ କିମ୍ବା ପ୍ରଚୁର ପଇସାରେ ପିଲା ବିକ୍ରି ଭଳି ଯୋଜନା ଥିଲା କି ନା, ସେଦିଗରେ ମଧ୍ୟ ପୁଲିସ ଛାନ୍‌ଭିନ୍‌ କରୁଛି।        
ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ କେଶବର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ଏହାପରେ ମା’ ଜୟନ୍ତୀଙ୍କୁ ଦିଆଯାଇଥିଲା। କେଶବକୁ ପାଇବା ପରେ ମା’ ଜୟନ୍ତୀଙ୍କ ଆଖିରୁ ଲୁହର ଧାର ବହିଯାଇଥିଲା। କୋହଭରା କଣ୍ଠରେ ସେ ମୁଖ୍ୟମନ୍ତ୍ରୀ ଓ ପୁଲିସକୁ ଧନ୍ୟବାଦ ଦେଇଥିଲେ। ପରେପରେ ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ଉଭୟ ମା’ ଓ ଶିଶୁକୁ ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି)ରେ ହାଜର କରାଯାଇଥିଲା ଏବଂ ସେମାନଙ୍କୁ ଏକ ସେଲ୍‌ଟର ହୋମ୍‌ରେ ରଖାଯାଇଛି।
କାହିଁକି ଝେଲମଙ୍କୁ ଘାରିଥିଲା ପୁଅ ନିଶା?
ଖନ୍ତାପଡ଼ା: ଦୁଇବର୍ଷ ଧରି କିଡ୍‌ନି ରୋଗରେ ପୁଅ ଆକ୍ରାନ୍ତ। କାଳେ କେତେବେଳେ କ’ଣ ହେବ! ସମ୍ଭବତଃ ଏହି ଆଶଙ୍କାରେ ପୁଅଟିଏ ପାଇବା ପାଇଁ ସେ ଆପରାଧିକ ପନ୍ଥା ଅବଲମ୍ବନ କରିଥିଲେ। ଶେଷରେ, ଚୋରି ହୋଇଥିବା ଶିଶୁପୁତ୍ରକୁ ରଖିବାର କେଇଘଣ୍ଟା ନ ପୂରୁଣୁ ଧରାପଡ଼ି ଯାଇଛନ୍ତି। ରୋଗାକ୍ରାନ୍ତ ପୁଅ ସହ ଦୁଇଝିଅ ଥାଉଥାଉ ପୁଣି ଏକ ପୁଅ ନିଶାରେ ଏଭଳି କାଣ୍ଡ ଘଟାଇବା କୁହାଯାଉଛି। 
ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବୋଇତା ଗ୍ରାମ ଆଦିବାସୀ ସାହିର ପ୍ରଶାନ୍ତ ପଣ୍ଡାଙ୍କ ପତ୍ନୀ ଝେଲମ ପଣ୍ଡା (୩୫)। ଗତ ୧୨ ତାରିଖ ରାତିରେ ଭୁବନେଶ୍ବର ରାମମନ୍ଦିର ସମ୍ମୁଖରେ ଭିକ ମାଗୁଥିବା ଜଣେ ଦୃଷ୍ଟିବାଧିତ ମା’ କୋଳରୁ ଦେଢ଼ବର୍ଷର ପୁଅ ଚୋରି ଘଟଣାରେ ଝେଲମଙ୍କୁ ଉଠାଇ ନେଇଛି କମିସନରେଟ୍‌ ପୁଲିସ୍‌। ସ୍ଥାନୀୟ ଲୋକଙ୍କ କହିବା କଥା, ପୂର୍ବରୁ ଝେଲମ ଯାତ୍ରାପାର୍ଟିରେ ଗୀତ ଗାଉଥିଲେ। ନିଜର ଗୋଟିଏ ଛୋଟ ଦୋକାନଟିଏ ମଧ୍ୟ ଅଛି। ପୁଅ କିଡ୍‌ନି ରୋଗରେ ଆକ୍ରାନ୍ତ ହେବାପରେ ଆଉ ଗୀତ ଗାଇବାକୁ ନଯାଇ ଘରେ ରହୁଥିଲେ। ଝେଲମଙ୍କ ସ୍ବାମୀ ବେଙ୍ଗାଲୁରୁଠାରେ ଏକ ଗ୍ୟାରେଜ୍‌ରେ କାମ କରୁଥିଲା ବେଳେ ଘରେ ପୁଅ ସହିତ ଆଉ ଦୁଇଝିଅ ଅଛନ୍ତି।
ଶିଶୁ ଚୋରି ଘଟଣା ସାରାରାଜ୍ୟରେ ଚର୍ଚ୍ଚା ଖେଳାଇ ଦେଇଥିଲା ବେଳେ ଝେଲମ ନିଜ ଘରେ ଥିଲେ। ଗତ ରବିବାର ଦିନ ବାଲେଶ୍ବର ଷ୍ଟେସନ୍‌ ନିକଟରେ ଘଟଣାର ମୁଖ୍ୟ ଅଭିଯୁକ୍ତଠାରୁ ସେ ଚୋରି ଶିଶୁକୁ ଗ୍ରହଣ କରିଥିଲେ। ଏହାପରେ ଶିଶୁଟିର ମୁଣ୍ଡ ଲଣ୍ଡାକରି ତା’ ନାଁ ରଖିଥିଲେ ‘ସୂର୍ଯ୍ୟକୁମାର ପଣ୍ଡା’। ସାହିଲୋକ ବି ଏ ସମ୍ପର୍କରେ ଟେର୍‌ ପାଇ ନଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ୫ଟି ଗାଡ଼ିରେ ୩୦ରୁ ୪୦ଜଣ ପୁଲିସ୍‌ ବୋଇତା ଗ୍ରାମରେ ପହଞ୍ଚିଥିଲେ। ପ୍ରଶାନ୍ତ ପଣ୍ଡାଙ୍କ ଘରେ ଚଢ଼ଉ କରି ଶିଶୁପୁତ୍ର ସହିତ ତାଙ୍କ ପତ୍ନୀ ଝେଲମଙ୍କୁ ଉଠାଇ ନେଇଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯାତ୍ରାପାର୍ଟିରେ ଥିବାବେଳେ ଝେଲମଙ୍କର ଏହି ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ସହିତ ଚିହ୍ନାଜଣା ହୋଇଥିଲା। ତାଙ୍କୁ ସେ ଗୋଟିଏ ପୁଅ ପାଇଁ କହିଥିଲେ। ଶେଷରେ, ରାମମନ୍ଦିର ଦୃଷ୍ଟିବାଧିତ ମହିଳାଙ୍କ ପୁଅ ଉପରେ ତା’ର ନଜର ପଡ଼ିଥିଲା। ସେ ଭିଡିଓ କଲ୍‌ କରି ଝେଲମ୍‌ଙ୍କୁ ଦେଖାଇଥିଲେ। ଏହାପରେ ଚୋରିକରି ତାଙ୍କୁ ଦେଇଥିଲେ।
ଅନ୍ୟପକ୍ଷରେ, ୩ଟି ପିଲା ଥାଉଥାଉ ଅଭିଯୁକ୍ତ ମହିଳା କାହିଁକି ପୁଅଟିଏ ପାଇବା ପାଇଁ ବ୍ୟଗ୍ର ହୋଇ ଉଠିଥିଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଙ୍ଗାଲୁରୁରୁ ୫ଦିନ ପୂର୍ବରୁ ଫେରିଥିବା ତାଙ୍କ ସ୍ବାମୀ ପ୍ରଶାନ୍ତ ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ଘରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି।