ଭୁବନେଶ୍ବର: ରାମମନ୍ଦିର ସାମନାରୁ ଦୃଷ୍ଟିବାଧିତ ମା’ଠାରୁ ଦେଢ଼ବର୍ଷର ଶିଶୁପୁତ୍ର ଅପହରଣ ଘଟଣାକୁ ୪୮ ଘଣ୍ଟା ବିତିଲାଣି। ହେଲେ ଏପର୍ଯ୍ୟନ୍ତ ଅପହର୍ତ୍ତା ସମ୍ପର୍କରେ ପୁଲିସ ବିଶେଷ ତଥ୍ୟ ସଂଗ୍ରହ କରିପାରିନାହିଁ। ତେବେ ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍ ଭିତରକୁ ଯାଇଥିବା ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି। ଏହି ଆଧାରରେ ପୁଲିସ ଅପହର୍ତ୍ତା ପାଖରେ ପହଞ୍ଚିବାକୁ ୫ଟି ଟିମ୍ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇଛି। କୋଲକାତାର ଖଡ଼ଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନ୍କୁ ସିସିଟିଭି ଫୁଟେଜ୍ ପଠାଇ ପୁଲିସ ଅପହର୍ତ୍ତା ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ଉଦ୍ୟମ ଚଳାଇଛି। ଏହାବାଦ୍ ଶିଶୁ କଲ୍ୟାଣ ସମିତି ଓ ଚାଇଲ୍ଡ ଲାଇନ୍ ଅଧିକାରୀମାନେ ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଅପରପକ୍ଷେ ଶିଶୁପୁତ୍ରଟିକୁ ହରାଇ ଦୃଷ୍ଟିବାଧିତ ମା’ଟି ବିକଳରେ କାନ୍ଦୁଥିବା ଦେଖିବାକୁ ମିଳିଛି।
ସିସିଟିଭିରେ ଅଭିଯୁକ୍ତ ରେଳରେ ପଳାଇଲା
ଗଠନ ହେଲା ୫ ଟିମ୍ ଖଡ଼ଗପୁର, ହାୱଡ଼ାକୁ ପଠାଗଲା ଫୁଟେଜ୍
ସିସିଟିଭି ଫୁଟେଜ ସହିତ ହ୍ୟୁମାନ ଓ ଟେକ୍ନିକାଲ୍ ଇଣ୍ଟେଲିଜେନ୍ସକୁ ଆଧାରକରି ଏବେ ଅପହୃତ ଶିଶୁକୁ ଖୋଜିବାକୁ କମିସନରେଟ୍ ପୁଲିସ୍ ଉଦ୍ୟମ ଚଳାଇଛି। ଗଠନ ହୋଇଥିବା ୫ଟି ଟିମ୍କୁ ଆର୍ପିଏଫ୍, ଜିଆର୍ପି, ରାଜ୍ୟ ବାହାର ପୁଲିସ୍ ମଧ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ରେଳଷ୍ଟେସନ୍ ଭିତରେ ପଶିବାର ଫୁଟେଜ୍ ମିଳିଥିବାରୁ ଟ୍ରେନ୍ ଯୋଗେ ଅପହରଣକାରୀ ରାଜ୍ୟ ବାହାରକୁ ଶିଶୁଟିକୁ ନେଇଯାଇଥିବା ସନ୍ଦେହ କରାଯାଉଛି। ତଥାପି ଖୁବ୍ଶୀଘ୍ର ଅପହରଣକାରୀ ଓ ଅପହୃତକୁ ଠାବ କରାଯିବ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି।
ସୂଚନା ଅନୁସାରେ, ଶନିବାର କାଳବୈଶାଖୀ ହେବାରୁ ଦୃଷ୍ଟିବାଧିତ ମା’ ଆଶ୍ରମକୁ ଫେରି ନପାରି ରାମମନ୍ଦିର ସମ୍ମୁଖରେ ରହିଯାଇଥିଲେ।
ରାତି ପ୍ରାୟ ୨ଟା ବେଳେ ଜୁସ୍ ପିଆଇବାକୁ ଦେବ କହି ଶିଶୁଟିକୁ ଅପହରଣକାରୀ ସାଙ୍ଗରେ ନେଇ ଚମ୍ପଟ ମାରିଥିଲା। ପରଦିନ ପୁଅକୁ ନପାଇ ମା’ ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ତେଣୁ ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ୍ ବାଲେଶ୍ବର, ଭଦ୍ରକ, କଲିକତା ଇତ୍ୟାଦି ସ୍ଥାନକୁ ଯାଇ ତଦନ୍ତ ଚଳାଇଛି। ଅଭିଯୁକ୍ତ ପାଖରେ ପହଞ୍ଚିବା ପାଇଁ ସ୍ଥାନୀୟ ଭିକ୍ଷୁକ, ବଞ୍ଜାରାମାନଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇଛି। ସେହିପରି ଅପହରଣ ସମୟରେ ଷ୍ଟେସନ ଅଞ୍ଚଳରେ ଥିବା ଟାୱାରରୁ କେତେ କଲ ହୋଇଛି, ତାହାର ତଥ୍ୟକୁ ମଧ୍ୟ ପୁଲିସ୍ ଯାଞ୍ଚ କରୁଛି। ଅହପୃତ ଶିଶୁର ମା’ ରହୁଥିବା ଚନ୍ଦ୍ରଶେଖରପୁର କନ୍ୟାଶ୍ରମକୁ ଯାଇ ମଧ୍ୟ ପୁଲିସ୍ ଟିମ୍ ପଚରାଉଚରା କରିଛି। ଏମିତିକି ଦୃଷ୍ଟିବାଧିତ ମହିଳାଙ୍କୁ ଛାଡ଼ି ଦେଇଥିବା ସ୍ବାମୀଙ୍କୁ ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/15/6X9TKqedvTwBCcYJ5NLB.jpg)