କରୋନା କାଳରେ ବଢ଼ୁଛି ଶିଶୁ ନିର୍ଯାତନା, ଶିଶୁ ଅଧିକାର ସୁରକ୍ଷା ଆୟୋଗର ୫ ସଦସ୍ୟ ପଦ ଖାଲି

ଭୁବନେଶ୍ବର : ଶିଶୁମାନଙ୍କ ଅଧିକାରକୁ ନିଶ୍ଚିତ କରିବା ପାଇଁ ସରକାର ନାନା ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପ୍ରତିଷ୍ଠା କରାଯାଇଛି। ଶିଶୁ ଅଧିକାରର ସୁରକ୍ଷା ପାଇଁ ଆୟୋଗ କେବଳ ସରକାରଙ୍କୁ ସୁପାରିସ୍‌ କରନ୍ତି ନାହିଁ; ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ ସିଭିଲ୍‌ ଅଦାଲତର କ୍ଷମତା ମଧ୍ୟ ଆୟୋଗକୁ ଦିଆଯାଇଛି। ହେଲେ ଏହି ଆୟୋଗ ଏବେ ଏକପ୍ରକାର ଅଚଳ ଅବସ୍ଥାରେ ରହିଛି। କମିସନର ୫ଟି ସଦସ୍ୟ ପଦ ଗତ ବର୍ଷରୁ ଖାଲି ପଡ଼ିଛି। ଜଣେ ସଦସ୍ୟା ଓ ଜଣେ ସଚିବଙ୍କୁ ନେଇ ଅଧ୍ୟକ୍ଷା କମିସନକୁ ଚଳାଉଛନ୍ତି। ଅଧ୍ୟକ୍ଷାଙ୍କ ସମେତ ସମସ୍ତ ସଦସ୍ୟଙ୍କ କାର୍ଯ୍ୟକାଳ ଗତ ବର୍ଷ ମେ ମାସରୁ ପୂରି ଯାଇଥିଲା। ଅଧ୍ୟକ୍ଷାଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ ସରକାର ବୃଦ୍ଧି କରିଥିଲେ ମଧ୍ୟ ନୂଆ ସଦସ୍ୟ ନିଯୁକ୍ତ କରିନାହାନ୍ତି କିମ୍ବା କାର୍ଯ୍ୟକାଳ ବୃଦ୍ଧି କରିନାହାନ୍ତି।

OdiaWeb

କରୋନା କାଳରେ ସାରା ରାଜ୍ୟରେ ସର୍ବାଧିକ ଶିଶୁ ନିର୍ଯାତନାର ଶିକାର ହୋଇଛନ୍ତି। ବଡ଼ବଡ଼ିଆଙ୍କ ଘରେ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିବା ବେଳେ ପ୍ରତିଷ୍ଠିତ ଲୋକଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। କେବଳ ନିର୍ଯାତନା ନୁହେଁ, କରୋନା କାଳରେ ଅନେକ ଶିଶୁ ବାପା ମା’ଙ୍କୁ ହରାଇଛନ୍ତି। ଏଭଳି ସ୍ଥିତିରେ ଶିଶୁଟିର ସୁରକ୍ଷା ଓ ଯତ୍ନ ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି। ଏହା ପାଳନ ହେଉଛି କି ନାହିଁ ତାହାକୁ ନିଶ୍ଚିତ କରିବା ଦାୟିତ୍ବ କମିସନ ନେଇଛନ୍ତି। ଶିଶୁ ଅଧିକାର ସୁରକ୍ଷା ନେଇ କମିସନଙ୍କ ଦାୟିତ୍ବ ଆହୁରି ବଢ଼ି ଯାଇଛି। ଏଭଳି ଏକ ସଙ୍କଟ କାଳରେ ସଦସ୍ୟ ପଦ ବର୍ଷେ କାଳ ଫାଙ୍କା ପଡ଼ିବା ସରକାରଙ୍କର ଶିଶୁଙ୍କ ପ୍ରତି ଥିବା ଦରଦକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

iPleaders

ଉଲ୍ଲେଖଯୋଗ୍ୟ, କରୋନା କାଳରେ ରାଜ୍ୟରେ ଶିଶୁଙ୍କ ଉପରେ ନିର୍ଯାତନା ବଢ଼ିଥିବା ନେଇ ଅନେକ ପ୍ରମାଣ ରହିଛି। ନୂଆପଲ୍ଲୀ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କ ଉପରେ କମିସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ଚାକିରି କରୁଥିବା ଜୀବୀକା ମିସନର ଜଣେ ବରିଷ୍ଠ ଅଧିକାରୀଙ୍କ ଘରୁ ଶିଶୁଶ୍ରମିକ ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କ ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଭୁବନେଶ୍ବରରେ ପୁଲିସ ନାବାଳକ ଦୋକାନୀଙ୍କୁ ଠିଆ ଗୋଇଠା ମାରିବା ଘଟଣାରେ କମିସନ କେବଳ ଗୋଟିଏ ଚିଠି ଲେଖି ବସି ଯାଇଛନ୍ତି।

ଏ ନେଇ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ସଦସ୍ୟ ପଦ ଖାଲିଥିବା ନେଇ ସରକାରଙ୍କୁ ଅବଗତ କରାଯାଇଛି। ସଦସ୍ୟ ନଥିବାରୁ ବଡ଼ବଡ଼ ଘଟଣାରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିଜେ ଯିବାକୁ ହେଉଛି। କ୍ୟାମ୍ପକୋର୍ଟ କରୋନା ପାଇଁ ବନ୍ଦ ରହିଛି। କିନ୍ତୁ କଟକଣା ହଟିଲେ ଏହା ପୁଣି ଆରମ୍ଭ ହେବ। ସେଥିରେ ସଦସ୍ୟମାନଙ୍କର ଭୂମିକା ରହିଛି।

ସମ୍ବନ୍ଧିତ ଖବର