୬ ମାସର ଶିଶୁକୁ ୨୫ ଥର ଚେଙ୍କ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପ୍ରଶାସନର ସଚେତନତା ସତ୍ତ୍ୱେ ଲୋକଙ୍କ ମାନସିକତାରେ ଆଦୌ ପରିବର୍ତନ ହୋଇନାହିଁ। ଯାହାର କରୁଣ ପରିଣତି ପୁଣି ଗୋଟିଏ ୬ମାସର ଶିଶୁ ପୁତ୍ରକୁ ଭୋଗିବାକୁ ପଡ଼ିଛି। ଜ୍ୱରରେ ଆକ୍ରାନ୍ତ ଶିଶୁପୁତ୍ରକୁ ଡାକ୍ତରଖାନା ନେବା ପରିବର୍ତେ ପରିବାର ଲୋକ ପାରମ୍ପରିକ ଚିକିତ୍ସା ପଦ୍ଧତିର ଆଶ୍ରୟ ନେଇଥିଲେ। ଅତି ନିଷ୍ଠୁର ଭାବେ ପେଟ ଓ ଗୋଡ଼ରେ ୨୫ ଥର ତତଲା ଚେଙ୍କ ଦେଇଛନ୍ତି। ଯାହାଫଳରେ ଶିଶୁଟିର ଅବସ୍ଥା ଗୁରୁତର ରହିଛି। ତାକୁ ନବରଙ୍ଗପୁର ମେଡିକାଲରେ ଭର୍ତି କରାଯାଇଛି।

ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ଡଙ୍ଗରା ପଞ୍ଚାୟତ ଅନ୍ତର୍ଗତ ଖୁଟିଗୁଡା ଗାଁର ନକୁଳ ଭତରା ଓ ପତ୍ନୀ ଜାନକା ଭତରାଙ୍କ ୩ ସନ୍ତାନଙ୍କ ମଧ୍ୟରୁ ସବାସାନ ହେଲା ୬ ମାସର ନନ୍ଦ ଭତ୍ରା। ୮ଦିନ ତଳେ ସେ ଜ୍ୱରରେ ଆକ୍ରାନ୍ତ ହୋଇଥିଲା। ଉପଯୁକ୍ତ ଚିକିତ୍ସା ଅଭାବରୁ ଦିନକୁଦିନ ଅବସ୍ଥା ବିଗିଡିବାରେ ଲାଗିଥିଲା। ଏପରିକି ଅସୁସ୍ଥ ଶିଶୁ ଜଣକ ଦୁର୍ବଳ ହୋଇଯିବାରୁ ମୁଣ୍ଡ ଉପରକୁ ଉଠାଇ ପାରିନଥିଲା।

ଏହାସତ୍ତ୍ୱେ ରୋଗ କ’ଣ ହୋଇଛି ଜାଣିବା ପରେ ନିରାକରଣ କରିବାକୁ ପରିବାର ଲୋକ ଚାହିଁ ନଥିଲେ। ବୟସ୍କ ଲୋକଙ୍କ କଥାରେ ପଡି ୫ ଦିନ ତଳେ ପାରଂପରିକ ଚିକିତ୍ସା ଆରମ୍ଭ କରିଥିଲେ। ନାଲି ଚୁଡିକୁ ନିଆଁରେ ତତାଇ ଶିଶୁ ପୁତ୍ରର ଗୋଡ ଓ ପେଟରେ ୨୫ ଥର ଚେଙ୍କ ଦେଇଥିଲେ। ତଥାପି ଜ୍ୱର ଭଲ ହୋଇନଥିଲା। ଶେଷରେ ବାଧ୍ୟ ହୋଇ ଉଭୟ ବାପା ଓ ମା’ ଆଜି ସକାଳୁ ଶିଶୁପୁତ୍ରକୁ ନେଇ ଡାବୁଗାଁ ମେଡିକାଲକୁ ଆଣିଥିଲେ। ଡାବୁଗାଁ ମେଡିକାଲ ପକ୍ଷରୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଶେଷ ଖବର ସୁଦ୍ଧା ନବରଙ୍ଗପୁର ମେଡିକାଲରେ ଚିକିତ୍ସା ଚାଲିିଛି। ସଂଧ୍ୟାରେ କଅଁଳା ପୁଅର ଜ୍ୱର କମିଥିବା ମା’ ଜାନକା କହିଛନ୍ତି। ସଚେତନତା ଅଭାବ ସାଙ୍ଗକୁ ଏହାର କୁପ୍ରଭାବ ସଂପର୍କରେ ଜାଣି ନଥିବାରୁ ଶିଶୁକୁ ଚେଙ୍କ ଦିଆଯାଇଥିଲା। ଆଗକୁ ପୁଅ ରୋଗରେ ପଡ଼ିଲେ ଭୁଲରେ ସୁଦ୍ଧା ଏମିତି କାମ କରିବେନାହିଁ। ଡାକ୍ତରଙ୍କୁ ଦେଖାଇ ଔଷଧ ଦେବେ ବୋଲି ଜାନକା ଭତରା କହିଛନ୍ତି। ସେହିପରି ସ୍ୱାସ୍ଥ୍ୟକର୍ମୀ ମାନେ ଆସି କହିଛନ୍ତି ଯେ ଯଦି କୌଣସି ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦିଏ ତେବେ ଗାଁରେ ଆଶା କିମ୍ବା ଅଙ୍ଗନୱାଡି କର୍ମୀଙ୍କ ପରାମର୍ଶ ନିଅନ୍ତୁ। ଆବଶ୍ୟକ ପଡିଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଦେଖାଇବାକୁ ବି କୁହାଯାଇଥିଲା।

ସମ୍ବନ୍ଧିତ ଖବର