ମାହାଙ୍ଗା : ଭୋଜି ଖାଇ ଘରକୁ ଆସି ଶୋଇଥିଲେ ବାପା, ମା ଓ ୨ପୁଅ। ହଠାତ୍ ଦୁଆର ମୁହଁରେ ନିଆଁ ଜଳୁଥିବା ଜାଣି ବାପ, ମା’ ଓ ବଡ ପୁଅ ଘର ବାହାରକୁ ଦୌଡି ପଳାଇ ଆସିବା ବେଳେ ଭିତରେ ୧୨ ବର୍ଷର ସାନପୁଅ ରହିଯାଇଥିଲା। ଘର ଭିତରେ ଥାଇ ଚିତ୍କାର କରୁଥିବା ପୁଅକୁ ବଂଚାଇବା ପାଇଁ ବାପା-ମା’ଙ୍କ ଆପ୍ରାଣ ଉଦ୍ୟମ ବ୍ୟର୍ଥ ହେଲା। ଚାଳ ନିଆଁ ଅଜାଡ଼ି ପଡ଼ିବାରୁ ବାପା, ମା’ଙ୍କ ଆଖି ଆଗରେ ଜଳିଗଲା ପୁଅ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମାହାଙ୍ଗା ଥାନା ଧର୍ମଦାସପୁର ବ୍ରାହ୍ମଣ ସାହିରେ। ଏହି ଅଗ୍ନିକାଣ୍ଡ ପଛରେ ପୂର୍ବଶତ୍ରୁତା ଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ କଟକ ଜିଲ୍ଲା ମାହାଙ୍ଗା ତହସିଲ ଅନ୍ତର୍ଗତ ମୂଳବସନ୍ତ ପଞ୍ଚାୟତ ଅନ୍ତର୍ଗତ ଧର୍ମଦାସପୁର (ବ୍ରାହ୍ମଣ ସାହି)ର ବାସିନ୍ଦା ହେଉଛନ୍ତି ପ୍ରକାଶ କୁମାର ମିଶ୍ର। ତାଙ୍କ ପରିବାର କହିଲେ ସ୍ତ୍ରୀ ହେମଲତା, ବଡପୁଅ ପ୍ରଦୀପ (୧୭) ଓ ସାନ ପୁଅ ପ୍ରଣବ (୧୨)। ଗତ କିଛି ବର୍ଷ ହେବ ପାରିବାରିକ କଳହ ଯୋଗୁଁ ସେ ଘର ଛାଡି ପରିବାର ସହ ଅନ୍ୟତ୍ର କୁଡ଼ିଆ କରି ରହୁଥିଲେ। ଗତ କିଛିଦିନ ତଳେ ଗ୍ରାମର ବିଭିନ୍ନ ଲୋକଙ୍କଠାରୁ ୮୫ ହଜାର ଟଙ୍କା ଧାର କରଜ କରି ସେଠାରେ ଏକ କୋଠାଘର ନିର୍ମାଣ ପାଇଁ ଯୋଜନା କରୁଥିଲେ । ଏଥିପାଇଁ ରଡ୍, ସିମେଣ୍ଟ ଓ ଇଟା ପକାଇଥିଲେ । କିନ୍ତୁ ଗତ କିଛି ଦିନ ତଳେ ପୂର୍ବ ଶତ୍ରୁତାକୁ ନେଇ ଗ୍ରାମର ଦୁଇ ଜଣ ବ୍ୟକ୍ତି ତାଙ୍କୁ ଘର କରାଇ ନଦେବା ପାଇଁ ଧମକ ଦେଇଥିଲେ। ଏପରିକି ବିଳମ୍ବିତ ରାତିରେ ଘର ନିକଟରେ ପଡିଥିବା ଲୁହା ଛଡ ଓ ସିମେଣ୍ଟ ଚୋରି ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କର ପୋଷା କୁକୁର ଭୁକିବାରୁ ସେମାନେ ଚାଲିଯାଇଥିଲେ। କିନ୍ତୁ ଏହି ଘଟଣାର ପର ଦିନ ସେହି ପୋଷା କୁକୁରକୁ ଦୁର୍ବୃତ୍ତ ମାନେ ବିଷ ଦେଇ ମାରି ଦେଇଥିଲେ । ତାଙ୍କ ବଡ ପୁଅକୁ ମାରି ଦେବାପାଇଁ ମଧ୍ୟ ସେମାନେ ଧମକ ଦେଇଥିବା ଶ୍ରୀ ମିଶ୍ର କହିଛନ୍ତି।
ଗତକାଲି ରାତିରେ ସ୍ଥାନୀୟ ଗୁଣୁପୁର ଗ୍ରାମରୁ ଏକ ଭୋଜି ଖାଇ ବାପା ଓ ଦୁଇ ପୁଅ ଘରକୁ ଫେରି ଶୋଇ ପଡିଥିଲେ। ସନ୍ଧ୍ୟାରେ ଝଡ଼ ତୋଫାନ ହୋଇଥିବାରୁ ବିଦ୍ୟୁତ୍ ଲାଇନ ଆସିନଥିଲା। ରାତି ପ୍ରାୟ ୧୨ଟା ପାଖାପାଖି ସମୟରେ ସେମାନଙ୍କ ଘର ଦୁଆର ମୁହଁ ଜଳୁଥିବା ଦେଖି ବାପା, ମା ଓ ବଡ ପୁଅ ଦୌଡି ପଳାଇ ଆସିଥିଲେ। କିନ୍ତୁ ଧର୍ମଦାସପୁର ଉପ୍ରା ମଇ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ସେମାନଙ୍କର ୧୨ ବର୍ଷର ସାନପୁଅ ପ୍ରଣବ ଘର ଭିତରେ ରହିଯାଇଥିଲା। ପ୍ରଣବ ଘର ଭିତରୁ ‘ବୋଉ ମତେ ବଞ୍ଚାଲୋ, ବଞ୍ଚାଲୋ’ କହି ଚିତ୍କାର କରୁଥିଲା । କିନ୍ତୁ ବିଚରା ବାପା ମାଆ ଓ ଭାଇ ଝରକା ବାଟେ ପ୍ରଣବର ଚିତ୍କାର ଶୁଣି ବଞ୍ଚାଇବା ପାଇଁ ଚେଷ୍ଟାକରି ବିଫଳ ହୋଇଥିଲେ। ଖବର ପାଇ କୁଆଁପାଳ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏଥିରେ ଘରର ଲକ୍ଷାଧିକ ଟଙ୍କାର ଆସବାବପତ୍ର ସମେତ ଘର ନିର୍ମାଣ ପାଇଁ ରଖିଥିବା ୮୫ ହଜାର ଟଙ୍କା ପୋଡି ନଷ୍ଟ ହୋଇଯାଇଛି। ମାହାଙ୍ଗା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ କଟକ ପଠାଇଥିଲେ।
ଖବର ପାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ବିପନ୍ନଙ୍କ ଘରେ ପହଞ୍ଚି ସମବେଦନା ଜଣାଇଛନ୍ତି। କଟକ ଏଡିଏମ୍ ରଘୁରାମ ଆୟାର, ଉପଜିଲ୍ଲାପାଳ ସୁକାନ୍ତ ପ୍ରଧାନ, ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ମାଧବ ଚନ୍ଦ୍ର ସାହୁ, ଭାରପ୍ରାପ୍ତ ତହସିଲଦାର ରଶ୍ମିରେଖା ମଲିକ, ବିଡିଓ ସୁବୋଧ ଆଚାର୍ଯ୍ୟ ,ବ୍ଲକ୍ ଅଧ୍ୟକ୍ଷ ଶରତ ନାୟକ ପ୍ରମୁଖ ପହଞ୍ଚି ଶବ ସତ୍କାର ନିମନ୍ତେ ମୃତ ପ୍ରଣବଙ୍କ ପରିବାରକୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।