ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଟ୍‌କୁ ପିଲାଙ୍କ ପାଠପଢ଼ା ପାଇଁ ସ୍ମାର୍ଟଫୋନ୍ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: କରୋନା ପାଇଁ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାରୁ ବର୍ତ୍ତମାନ ପିଲାଙ୍କ ଅନ୍‌ଲାଇନ୍ ପାଠପଢ଼ା ପାଇଁ ସମସ୍ତ ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଟ୍(ସିସିଆଇ)କୁ ସ୍ମାର୍ଟଫୋନ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଅକ୍ସିମିଟର, ଥର୍ମାଲ୍ ସ୍କାନର୍, ସାନିଟାଇଜର୍ ଓ ମାସ୍କ୍ ଆଦି ଯୋଗାଇଦେବାକୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ରେଗା ଗୀତାରାଣି ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସଙ୍ଗଠନଗୁଡ଼ିକୁ ଚାଇଲ୍ଡ ପ୍ରୋଟେକ୍ସନ ସର୍ଭିସେସ୍ ସ୍କିମ୍ ଜରିଆରେ ପିଲାଙ୍କ ଫଣ୍ଡରୁ କିଣି ଏସବୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ହୋଇଛି। ଅପରପକ୍ଷରେ ଯେଉଁ ଅଣସ୍ବୀକୃତିପ୍ରାପ୍ତ ସିସିଆଇ ପିଲାଙ୍କ ପାଠପଢ଼ା ପାଇଁ ମୋବାଇଲ୍ ଦେଇପାରୁନାହାନ୍ତି, ସେମାନଙ୍କ ପାଇଁ ଡିସିପିୟୁ ଅନୁଦାନ ସଂଗ୍ରହ କରି ଏ ସୁବିଧା ଉପଲବ୍ଧ କରିବାକୁ କୁହାଯାଇଛି। ଯଦି ଡିସିପିୟୁ ଏଥିରେ ବିଫଳ ହୁଅନ୍ତି ତେବେ ଚଳିତ ବର୍ଷର କଣ୍ଟିଜେନ୍ସି ଫଣ୍ଡ୍‌ରୁ ଏସବୁ କିଣାଯିବ।

ସେହିଭଳି ଅକ୍ସିମିଟର, ଥର୍ମାଲ୍ ସ୍କାନର, ମାସ୍କ ଆଦି ଜିନିଷ ଜିଲ୍ଲାପାଳମାନେ ସ୍ବାସ୍ଥ୍ୟ ବିଭାଗ ନଚେତ୍ ରେଡ୍‌କ୍ରସ୍‌କୁ ଚିଠି ଲେଖି ଅନୁଦାନ ଆଣିବେ ବୋଲି ଉଲ୍ଲେଖ ରହିଛି। ଅପରପକ୍ଷରେ ଯେଉଁ ପିଲାଙ୍କ ବାପା ମା’ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି ଅବା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ଯତ୍ନ ନେବାକୁ ସିସିଆଇଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସମସ୍ତ ଜିଲ୍ଲାର ସିସିଆଇମାନେ ଶିଶୁଙ୍କୁ ଉଦ୍ଧାର ପାଇଁ ତଥା ସେମାନଙ୍କ ଯତ୍ନ ନେବା ପାଇଁ ସଂସ୍ଥାର ଯୋଗାଯୋଗ ନମ୍ବର ବିଭିନ୍ନ ଜାଗାରେ ପ୍ରଦର୍ଶିତ କରିବାକୁ କୁହାଯାଇଛି। ସମସ୍ତ କୋଭିଡ୍ କେୟାର ସେଣ୍ଟର୍ ସମ୍ମୁଖରେ ୧୦୯୮ ନମ୍ବର ଲଗାଯାଇ ଲୋକଙ୍କୁ ସଚେତନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୁଣି ସ୍ଥାନୀୟ ଅଞ୍ଚଳର ଭାଷାରେ ଉଲ୍ଲେଖ କରିବାକୁ ବାଧ୍ୟତାମୂଳକ କରାଯାଇଛି।

ଅପରପକ୍ଷରେ ଏ ନିଷ୍ପତ୍ତି ଆସିବା ଚାଇଲ୍ଡକେୟାର୍ ସଙ୍ଗଠନ ଏହାକୁ ସ୍ବାଗତ କରିବା ସହିତ ସେମାନଙ୍କ କର୍ମଚାରୀଙ୍କ ଅଗ୍ରାଧିକାର ଦେଇ ଟିକାକରଣ କରିବାକୁ ଦାବି କରିଛନ୍ତି। ଏହା ସହିତ ଉଦ୍ଧାର ହୋଇଥିବା ଶିଶୁଙ୍କ କରୋନା ଟେଷ୍ଟିଂ ସମୟରେ ସ୍ବତନ୍ତ୍ର ଭାବରେ ଅଲଗା ଆଗୁଆ ପରୀକ୍ଷା କରିବାକୁ କହିଛନ୍ତି। ଏହା ବ୍ୟତୀତ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ସଙ୍ଗରୋଧରେ ରଖିବା ପାଇଁ ସରକାରୀ ସ୍ତରରେ କୋଭିଡ୍ କେୟାର ସେଣ୍ଟର କରିବାକୁ ଦାବି କରାଯାଇଛି। ଏସବୁକୁ ଦୃଷ୍ଟିରେ ରଖି ଚାଇଲ୍ଡଲାଇନ୍‌ର ନିର୍ଦ୍ଦେଶକ ବେଣୁଧର ସେନାପତି ସ୍ବତନ୍ତ୍ର ସୁବିଧା କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର