ଏନ୍‌ସିପିସିଆର‌୍‌ ସ୍କାନର‌୍‌ରେ ଶିଶୁ ଯତ୍ନ ଅନୁଷ୍ଠାନ : ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ତତ୍ତ୍ବାବଧାନରେ ହେବ ତଦନ୍ତ

ଥାନା ଆଇଆଇସି, ଓଆଇସି, ସିସିଆଇକୁ ପୁଲିସ ବିଭାଗର ନିର୍ଦ୍ଦେଶ

କଟକ : ରାଜ୍ୟର ଅନେକ ସିସିଆଇ (ଶିଶୁ ଯତ୍ନ ଅନୁଷ୍ଠାନ)ରେ ଘଟୁଛି ଶିଶୁ ନିର୍ଯାତନା ଜନିତ ମୃତ୍ୟୁ। ଶିଶୁଙ୍କୁ ଯୌନ ଶୋଷଣ ଏବ˚ ଶିଶୁ ନିଖୋଜ ସଂପର୍କିତ ଅଭିଯୋଗ ବି ହେଉଛି। ଏ ପ୍ରକାର ବେଆଇନ କାରବାର ଚାପିଦେବାକୁ ଉଦ୍ୟମ କରାଯାଉଥିବା ଏନ୍‌ସିପିସିଆର‌୍‌(ନ୍ୟାସ୍‌ନାଲ୍‌ କମିସନ ଫର‌୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍‌ସ) ନଜରକୁ ଆସିଛି। ଏଣିକି ସିସିଆଇରେ ଶିଶୁ ନିଖୋଜ କିମ୍ବା ମୃତ୍ୟୁ ଘଟଣାର ତଦନ୍ତ ଜୁ଼ଡିସିଆଲ୍‌ ମାଜିଷ୍ଟ୍ରେଟ୍‌(ପ୍ରଥମ ଶ୍ରେଣୀ ବିଚାରପତିଙ୍କଠାରୁ ଯୋଗ୍ୟତାରେ କମ୍‌ ହୋଇନଥିବେ)ଙ୍କ ତତ୍ତ୍ବାବଧାନରେ କରାଯିବ। ଘଟଣା ଘଟିବାର ଚାରି ସପ୍ତାହ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରାଯିବ। ଏ ସମ୍ପର୍କରେ ଥାନା ଵାରି ଆଇଆଇସି/ଓଆଇସି ଏବ˚ ସିସିଆଇ କର୍ତ୍ତୃପକ୍ଷଙ୍କୁ ନୂଆ ନିୟମ ଏବ˚ କଟକଣା ସମ୍ପର୍କରେ ଅବଗତ କରାଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ଥିବା ସିସିଆଇରେ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅଘଟଣକୁ ପ୍ରତିରାଧ ପାଇଁ ଏନ୍‌ସିପିସିଆର‌୍‌ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି କି, ଜୁଭେନାଇଲ୍‌ ଜଷ୍ଟିସ୍‌(କେୟାର ଆଣ୍ତ ପ୍ରୋଟେକ୍ସନ ଅଫ୍‌ ଚିଲ୍‌ଡ୍ରେନ୍‌) ଆକ୍ଟ, ୨୦୧୫କୁ କଡ଼ାକଡ଼ି କରାଯିବ। ଏଣିକି ରାଜ୍ୟରେ କୌଣସି ସିସିଆଇରେ ଶିଶୁଙ୍କ ମୃତ୍ୟୁ ଘଟିଲେ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା ଏସ୍‌ପି କିମ୍ବା ମାଜିଷ୍ଟ୍ରେଟ୍‌, ରାଜ୍ୟ କିମ୍ବା କେନ୍ଦ୍ର ସିପିସିଆର(କମିସନ ଫର‌୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍‌ସ)କୁ ଇ-ମେଲ୍‌ କିମ୍ବା ଟେଲିଫୋନ୍‌ ମାଧ୍ୟମରେ ସିସିଆଇ କର୍ତ୍ତୃପକ୍ଷ ସୂଚନା ଦେବାକୁ ବାଧ୍ୟ। ଏ ସମ୍ପର୍କରେ ପୁଲିସକୁ ମଧ୍ୟ ଅବଗତ କରାଇବେ। କେଉଁ ପରିସ୍ଥିତିରେ ଏବ˚ କାହିଁକି ମୃତ୍ୟୁ ଘଟିଛି, ସେ ନେଇ ତଦନ୍ତ କରାଯିବ। ପରିବାର କିମ୍ବା ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ। ସିସିଆଇ କର୍ତ୍ତୃପକ୍ଷ ଜିଲ୍ଲା ମେଡିକାଲ୍‌ ଅଫିସରଙ୍କ ନିକଟରୁ ମୃତ୍ୟୁର କାରଣ ସମ୍ପର୍କିତ ଏକ ରିପୋର୍ଟ ୧୫ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ବାଧ୍ୟ। ରିପୋର୍ଟ ହସ୍ତଗତ ହେବାର ୨୪ ଘଣ୍ଟା ମଧ୍ୟରେ ନକଲକୁ ପୁଲିସ, ମୃତ ଶିଶୁର ଅବିଭାବକ, ଜିଲ୍ଲା ଏସ୍‌ପି, ଜାତୀୟ ମାନବାଧିକାର କମିସନ, ଏନ୍‌ସିପିସିଆର‌୍‌ଙ୍କ ନିକଟକୁ ପଠାଇବେ।

ସେହିପରି କୌଣସି ଶିଶୁ ସିସିଆଇରୁ ନିଖୋଜ ହେଲେ ଏ ସ˚କ୍ରାନ୍ତରେ ସିସିଆଇ କର୍ତ୍ତୃପକ୍ଷ ପ୍ରଥମେ ଥାନାରେ ଅଭିଯୋଗ କରିବେ। ପୁଲିସ ତୁରନ୍ତ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ସିଡବ୍ଲୁସିଙ୍କୁ ଅବଗତ କରାଇବ। ପରେ ମାମଲାର ତଦନ୍ତ ଦାୟିତ୍ବ ଏସ୍‌ଜେପିୟୁ (ସ୍ପେଶାଲ ଜୁଭେନାଇଲ୍‌ ପୁଲିସ ୟୁନିଟ୍‌)କୁ ହସ୍ତାନ୍ତର କରି ଶିଶୁଟିକୁ ତୁରନ୍ତ ଠାବ କରିବା ପାଇଁ କ୍ଷେତ୍ରରେ ଉଦ୍ୟମ କରିବ। ନିଖୋଜ କିମ୍ବା ଖସିପଳାଇଥିବା ଶିଶୁ ଥରେ ଉଦ୍ଧାର ପରେ ତାଙ୍କୁ ସିସିଆଇରେ ପର୍ଯ୍ୟାୟକ୍ରମେ ମାନସିକ ସ୍ତରରେ ପରିବର୍ତ୍ତନ ପାଇଁ କାଉନ୍‌ସେଲି˚ କରାଯିବ। ସିସିଆଇରେ ଏ ପ୍ରକାର ବ୍ୟବସ୍ଥା ଜିଲ୍ଲା ସ୍ତରରେ ଥିବା ଡିସିପିୟୁ(ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ) ଯୋଗାଇଦେବାକୁ ନିର୍ଦ୍ଦେଶ ରହିଛି। ସମ୍ପୃକ୍ତ ଶିଶୁଟି କେଉଁ ପରିସ୍ଥିତିରେ ହଜିଥିଲା କିମ୍ବା ଖସି ପଳାଇଥିଲା, ସେ ସମ୍ପର୍କରେ ସିସିଆଇ ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଜିଲ୍ଲା ମାଜିଷ୍ଟ୍ରେଟ୍‌, ପୁଲିସ ଏବ˚ ଚିଲ୍‌ଡ୍ରେନସ କୋର୍ଟରେ ଦାଖଲ କରିବା ବାଧ୍ୟତାମୂଳକ।

ସିସିଆଇରେ କୌଣସି ଶିଶୁ ଯୌନ ଶୋଷଣର ଶିକାର ହେଲେ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ, ୨୦୧୫ର ଧାରା ୭୫ ଓ ୮୨ ଏବ˚ ଜୁଭେନାଇଲ୍‌ ଜଷ୍ଟିସ୍‌ ମଡେଲ୍‌ ରୁଲ, ୨୦୧୬ର ରୁଲ୍‌ ୭୬ ଅନୁଯାୟୀ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିସିଆଇ ଏକ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ସ୍ତରରୁ ଏନ୍‌ସିପିସିଆର‌୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଠାଇବେ। ପୀଡ଼ିତାଙ୍କୁ ସିସିଆଇରେ କାଉନ୍‌ସେଲି˚ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ୟବସ୍ଥା ଯୋଗାଇ ଦିଆଯିବା ଉଦ୍ଦେଶ୍ୟରେ ପୁଲିସ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର