ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ବହୁ ଲମ୍ବା। ଏବେ ଅଧିକାଂଶ ପେସାଦାର ଅପରାଧୀ ଜେଲ୍ରେ ସଜା କାଟୁଥିବା ବେଳେ ଆଉ କିଛି ପୁଲିସ ଏନ୍କାଉଣ୍ଟର୍ରେ ଜଖମ୍ ହୋଇ ଅପରାଧ ରାସ୍ତା ଛାଡ଼ି ଦେଇଛନ୍ତି। ବର୍ତ୍ତମାନ ନୂଆ ଅପରାଧୀ ମୁଣ୍ଡ ଟେକୁଛନ୍ତି। ସେହି ଅପରାଧୀ ଗ୍ୟାଙ୍ଗ୍ରେ ନାବାଳକ ପାଦ ଥାପିବା ବଡ଼ ଚିନ୍ତାର ବିଷୟ ହୋଇଛି। ଗଞ୍ଜାମ ପୁଲିସ ଜିଲ୍ଲାରେ ଗତ ୪ ବର୍ଷ ମଧ୍ୟରେ ଏଭଳି ବିଭିନ୍ନ ଜଘନ୍ୟ ଅପରାଧ ମାମଲାରେ ମୋଟ ୨୦୦ଜଣ ନାବାଳକଙ୍କ ସମ୍ପୃକ୍ତି ଉଦ୍ବେଗର ବିଷୟ ହୋଇଛି। ଏହି ନାବାଳକମାନେ ବିଭିନ୍ନ ସଙ୍ଗିନ୍ ମାମଲାରେ ଲିପ୍ତ ରହିଛନ୍ତି। ଏଣୁ ସେହି ନାବାଳକଙ୍କୁ ଆବଶ୍ୟକ କାଉନ୍ସେଲିଂର ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ କହିଛନ୍ତି।
ଗଞ୍ଜାମ ଜିଲ୍ଲାକୁ ଦୁଇଟି ପୁଲିସ ଜିଲ୍ଲାରେ ବିଭକ୍ତ କରାଯାଇଛି। ଗୋଟିଏହେଲା ଗଞ୍ଜାମ ପୁଲିସ ଜିଲ୍ଲା ଓ ଦ୍ବିତୀୟଟି ହେଲା ବ୍ରହ୍ମପୁର ପୁଲିସ ଜିଲ୍ଲା। ଗଞ୍ଜାମ ପୁଲିସ ଜିଲ୍ଲାରେ ୨ଟି ବିଦ୍ୟୁତ୍ ଥାନା, ଗୋଟିଏ ସାମୁଦ୍ରିକ ଥାନାକୁ ନେଇ ମୋଟ ୨୫ଟି ଥାନା ରହିଛି। ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଗୋଟିଏ ସାମୁଦ୍ରିକ ଥାନା, ଗୋଟିଏ ବିଦ୍ୟୁତ ଥାନା, ଟ୍ରାଫିକ୍ ଥାନା, ମହିଳା ଥାନା, ସାଇବର୍ ଥାନାକୁ ମିଶାଇ ମୋଟ ୧୫ଟି ଥାନା ରହିଛି। ଗଞ୍ଜାମ ପୁଲିସ ଜିଲ୍ଲାରେ ଗତ ୪ବର୍ଷରେ ୨୦୦ଜଣ ନାବାଳକ ବିଭିନ୍ନ ଅପରାଧ ମାମଲାରେ ସମ୍ପୃକ୍ତ ରହିଥିବା ଚିହ୍ନଟ କରାଯାଇଛି। ଗଞ୍ଜାମ ପୁଲିସ ଜିଲ୍ଲାରେ ବିଭିନ୍ନ ଅପରାଧ ମାମଲାରେ ଗତ ୨୦୧୮ରେ ମୋଟ ୩୭ଜଣ ନାବାଳକଙ୍କ ସମ୍ପୃକ୍ତି ରହିଥିଲା। ୨୦୧୯ରେ ଏହି ସଂଖ୍ୟା ବୃଦ୍ଧି ପାଇ ୪୩ରେ ପହଞ୍ଚିଥିଲା। ୨୦୨୦ରେ ଏହି ସଂଖ୍ୟା କମି ୨୨ ଥିଲା। ହେଲେ, ଗତ ୨୦୨୧ରେ ସର୍ବାଧିକ ୯୮ଜଣ ନାବାଳକ ବିଭିନ୍ନ ଜଘନ୍ୟ ଅପରାଧ ମାମଲାରେ ଜଡ଼ିତ ରହିଥିବା ରେକର୍ଡ଼ କହୁଛି। ସେହି ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼ରେ ହାଜର କରି ବାଳ ସୁଧାର ଗୃହକୁ ପଠାଯାଇଛି । ବାଳ ଅପରାଧୀଙ୍କ ପାଇଁ ବ୍ରହ୍ମପୁରରେ ରହିଛି ବାଳ ସୁଧାର ଗୃହ। ସେହି ଗୃହରେ ରହିବା ସମୟରେ ନାବାଳକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରା ଯାଇଥାଏ। ଏଥିପାଇଁ ସେଠାରେ ସ୍ବତନ୍ତ୍ର କାଉନ୍ସେଲର୍ ରହିଛନ୍ତି।
ନାବାଳକମାନେ କେଉଁ ପରିସ୍ଥିତିରେ ପଡ଼ି ଅପରାଧ ଘଟାଉଛନ୍ତି, ତାହା ବୁଝିବା ପରେ ସେମାନଙ୍କୁ ଭଲ ରାସ୍ତାକୁ ଆଣିବା ପାଇଁ ଉଦ୍ୟମ କରା ଯାଇଥାଏ। କିନ୍ତୁ, ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି, ନାବାଳକମାନେ ବାଳ ସୁଧାର ଗୃହରୁ ଆସି ଫେରିଲା ପରେ ପୁଣିଥରେ ଅପରାଧ ଦୁନିଆରେ ସକ୍ରିୟ ରହୁଛନ୍ତି। ଏପରିକି ବାଳ ସୁଧାର ଗୃହରେ ଥିବା ସମୟରେ କର୍ମଚାରୀଙ୍କୁ ଆକ୍ରମଣ କରି ଚମ୍ପଟ ମାରିବା ଘଟଣା ମଧ୍ୟ ବିଗତଦିନରେ ଅନେକଥର ଘଟିଛି। ଗତ କିଛିଦିନ ତଳେ ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ରାସ୍ତାରେ ଜଣେ ନାବାଳକ ଜଣେ ବ୍ୟକ୍ତିଙ୍କୁ ପଥର ମାଡ଼ କରି ହତ୍ୟା କରିଥିଲେ। ନାବାଳକ ଜଣକ ପୂର୍ବରୁ ଚୋରି ମାମଲାରେ ସମ୍ପୃକ୍ତ ରହି ପୁଲିସ ହାତରେ ଧରାପଡ଼ିଥିଲେ। ଏହାପରେ ସେ ପୁଣିଥରେ ହତ୍ୟା ଭଳି ଅପରାଧ ମାମଲାରେ ଜଡ଼ିତ ହୋଇଗଲେ। ଏଥିରୁ ସ୍ପଷ୍ଟ ହେଉଛି, କାଉନ୍ସେଲିଂ ପରେ ମଧ୍ୟ ବାଳ ଅପରାଧୀଙ୍କ ମାନସିକତାରେ ପରିବର୍ତ୍ତନ ଆସୁନାହିଁ। ଯାହାକି ବର୍ତ୍ତମାନ ଚିନ୍ତାର କାରଣ ପାଲଟିଥିବା ବିଶେଷଜ୍ଞମାନେ କହିଛନ୍ତି।