ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁରମାନୁର ପଞ୍ଚାୟତ ଦେଇ ପ୍ରବାହିତ ସିଲେରୁ ନଦୀରେ ଗତକାଲି ସଂଧ୍ୟାରେ ଡଙ୍ଗାବୁଡ଼ି ଜଣେ ବ‌ାଳିକାର ମୃତ୍ୟୁ ହୋଇଛି। ସେହିପରି ନିଖୋଜ ଦୁଇ ଜଣ ମହିଳାଙ୍କ ଆଜି ସଂଧ୍ୟା ସୁଦ୍ଧା ପତ୍ତା ମିଳିପାରି ନାହିଁ। ଅପରପକ୍ଷରେ ମୃତ ବାଳିକାଙ୍କ ବାପା ଓ ମା’ ସୌଭାଗ୍ୟବଶତଃ ଭାସି ଆସି କୂଳରେ ଲାଗି ଯିବାରୁ ଅଳ୍ପକେ ବର୍ତି ଯାଇଛନ୍ତି। ଏହି ଘଟଣା ପରେ ପାଙ୍ଗମପାଡୁ ବଙ୍ଗଳା କ୍ୟାମ୍ପ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Advertisment

ଗତକାଲି ଆନ୍ଧ୍ରପ୍ରଦେଶର ସିଲେରୁ ସାପ୍ତାହିକ ହାଟ ଥିଲା। ସପ୍ତାହକ ପାଇଁ ରାସନ ଏବଂ ପରିବା ଆଣିବା ପାଇଁ ପାଙ୍ଗମପାଡୁ ବଙ୍ଗଳା କ୍ୟାମ୍ପର ସତୀ ବାବୁ, ତାଙ୍କ ପତ୍ନୀ ପାବର୍ତୀ, ୨ବର୍ଷର ଝିଅ ଦିବ୍ୟାଶ୍ରୀଙ୍କ ସହ ଗାଁର ଦୁଇ ମହିଳା ବାଲସୀ ବୁଲମା ଏବଂ ବି. କ୍ରିଷ୍ଣାବେଣୀ ହାଟକୁ ଯାଇଥିଲେ। ସଡ଼କ ପଥରେ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ସମସ୍ତେ ଗୋଟିଏ ଦେଶୀ ଡଙ୍ଗାରେ ନଦୀ ପାର ହୋଇଥିଲେ। ଅପରାହ୍ନ ସୁଦ୍ଧା କାମ ସରିବା ପରେ ପୁଣି ଡଙ୍ଗାରେ ଗାଁକୁ ଫେରୁଥିଲେ। କାଳବୈଶାଖୀ ପ୍ରଭାବରେ ହଠାତ୍ ପ୍ରବଳ ବେଗରେ ପବନ ବୋହିବାରୁ ଡଙ୍ଗା ମଝି ନଈରେ ବୁଡ଼ି ଯାଇଥିଲା। ୫ଜଣ ଯାକ ଯାତ୍ରୀ ନଦୀରେ ବୁଡ଼ି ଯାଇଥିବା ବେଳେ ଦୁଇ ବର୍ଷର ବାଳିକା ଦିବ୍ୟାଶ୍ରୀର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ସତୀ ବାବୁ ଏବଂ ପତ୍ନୀ କୌଣସି ପ୍ରକାର ଭାସି ଆସି ନଦୀ କୂଳରେ ଲାଗି ଯାଇଥିଲେ। କିନ୍ତୁ ବୁଲମା ଏବଂ କ୍ରିଷ୍ଣାବେଣୀଙ୍କ ପତ୍ତା ମିଳିନଥିଲା। ଆଜି ସକାଳେ ଉଦ୍ଧାର କାମ ଆରମ୍ଭ ହୋଇଥିଲା। ସଂଧ୍ୟା ସୁଦ୍ଧା ସନ୍ଧାନ ମିଳି ନଥିବା ଜଣାପଡ଼ିଛି। ଚିତ୍ରକୋଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।