ପଡ଼ିଆ: ସ୍ବାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଅବସ୍ଥା ଏବଂ ସଚେତନତା ଅଭାବରୁ ମାଲକାନଗିରି ଜିଲ୍ଲାର ପୁଣି ଜଣେ ଶିଶୁ ଆଖି ବୁଜିଛି। ନିମୋନିଆରେ ପୀଡ଼ିତ ଶିଶୁକୁ ପରିବାର ଲୋକ ମେଡିକାଲ ନେବା ପରବର୍ତେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଦିଶାରୀ ନିକଟକୁ ନେଇଥିଲେ। ଆଉ ଦିଶାରୀ ଚିକିତ୍ସା ଆଳରେ ଶିଶୁକୁ ଦେଇଥିଲା ଗରମ ଚେଙ୍କ। ଯାହାଫଳରେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିବା ବେଳେ ବିଳମ୍ବରେ ମେଡିକାଲ ପହଞ୍ଚିବାରୁ ଶିଶୁଟିର ମୃତ୍ୟୁ ହୋଇଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ପଡ଼ିଆ ବ୍ଲକର ଦୁର୍ଗମ ମାଟେରୁ ଗାଁରେ ଘଟିଛି।

Advertisment

ଏହି ଘଟଣା ଦୁର୍ଗମ ଅଞ୍ଚଳର ଦୁଇଟି ନକାରାତ୍ମକ ଚିତ୍ର ପଦାକୁ ଆଣିଛି। ରୋଗାକ୍ରାନ୍ତ ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ପରିବାର ଲୋକ ତାକୁ ଯନ୍ତ୍ରଣାଦାୟକ ଚେଙ୍କ ଦେଇଥିଲେ। ସେହିପରି ସ୍ବାସ୍ଥ୍ୟସେବା ପ୍ରତି ଏବେ ବି ଦୁର୍ଗମ ଅଞ୍ଚଳର ଲୋକ ଆସ୍ଥା ପ୍ରକଟ କରୁ ନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, ଉପରୋକ୍ତ ଗାଁର ବାଣ୍ଡି ମାଡକାମୀଙ୍କ ୪ମାସର ଶିଶୁ ଗତ କିଛି ଦିନ ହେଲା ଅସୁସ୍ଥ ଥିଲା। କିନ୍ତୁ ପରିବାର ଲୋକ ଘରେ ରଖି ପାରଂପରିକ ଦେଶୀ ଚେରମୂଳି ଚିକିତ୍ସା କରୁଥିଲେ। ତେଣୁ ସୁସ୍ଥ ହେବା ପରିବର୍ତେ ଶିଶୁଟି ଅଧିକ ଅସୁସ୍ଥ ହୋଇଯାଇଥିଲା। ତଥାପି ମେଡିକାଲକୁ ନେଇ ନଥିଲେ। ପରିବାର ଲୋକଙ୍କ ପରାମର୍ଶ ଅନୁଯାୟୀ ଜଣେ ଦିଶାରୀ ନିକଟକୁ ନେଇଥିଲେ। ଦିଶାରୀ ଜଣକ ବି ଜଣେ ଅଭିଜ୍ଞ ଚିକିତ୍ସକ ଭଳି ଚିକିତ୍ସା ଆରମ୍ଭ କରିଥିଲେ। ପେଟରେ ତତଲା ଚେଙ୍କ ୫ରୁ ଅଧିକ ଥର ଦେଲା ପରେ ସୁସ୍ଥ ହୋଇଯିବ ବୋଲି କହି ଘରକୁ ପଠାଇ ଦେଇଥିଲେ। କିନ୍ତୁ ଘରେ ପହଞ୍ଚିବା ପରେ ସ୍ବାସ୍ଥ୍ୟାବସ୍ଥା ଉଦବେଗଜନକ ହୋଇଯାଇଥିଲା। ଗତକାଲି ଜଣେ ଯୁବକ ଏ ନେଇ ଜାଣିବା ପରେ ପ୍ରଥମେ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭିର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଡାକ୍ତରଙ୍କ ଉଦ୍ୟମ ସତ୍ତ୍ବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶିଶୁଟିର ମୃତ୍ୟୁ ହୋଇଯାଇଥିଲା।

ଗୋଟିଏ ପଟେ ସରକାର ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ସ୍ବାସ୍ଥ୍ୟ ସେବାରେ କୌଣସି ପ୍ରକାର ବ୍ୟତିକ୍ରମ ଯେମିତି ନହୁଏ ସେଥିପାଇଁ ସଚିବମାନେ ବିଭିନ୍ନ ମେଡିକାଲ ଗସ୍ତ କରୁଛନ୍ତି। କିନ୍ତୁ ଏସବୁ କରିବା ସତ୍ତ୍ବେ ସଚେତନତା ଅଭାବରୁ ଲୋକେ ଏବେ ବି ମେଡିକାଲରେ ପହଞ୍ଚି ପାରୁନାହାନ୍ତି। ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଅନ୍ଧ ବିଶ୍ବାସ କାବୁ କରି ରଖିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।