ଜାମ୍‌ ନେଲା ନିଷ୍ପାପ ଶିଶୁର ଜୀବନ

ଲହୁଣିପଡ଼ା : କୋଇଡ଼ା ରାସ୍ତା ଜାମ୍‌ ଗତକାଲି ଆଉ ଜଣଙ୍କ ଜୀବନ ନେଇଛି। ସାପ କାମୁଡ଼ାରେ ଆହତ ଜଣେ ଶିଶୁ ଡାକ୍ତରଖାନାରେ ପହଞ୍ଚି ନ ପାରି ରାସ୍ତାରେ ପ୍ରାଣ ହରାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟିକରିଛି।

ଗଗନାପୋଷ ଗ୍ରାମର ଉପେନ୍ଦ୍ର ମୁଣ୍ଡାଙ୍କ ପୁଅ ରୋହନ (୫)କୁ ଗତକାଲି ଏକ ଚିତି ସାପ କାମୁଡ଼ି ଦେଇଥିଲା। ଚିକିତ୍ସା ପାଇଁ ଏକ ଟେମ୍ପୋରେ ତାକୁ ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିଲା। ବରସୁଆଁ-କଲେଇପୋଷ ରାସ୍ତାରେ ଟେମ୍ପୋଟି ଆସୁଥିବା ବେଳେ ଭାରୀଜାନ ଦ୍ବାରା ରାସ୍ତାରେ ସୃଷ୍ଟି ହୋଇଥିବା ଜାମ୍‌ରେ ଫସି ଯାଇଥିଲା। ପ୍ରାୟ ୪ ଘଣ୍ଟା ଧରି ଟେମ୍ପୋଟି ଅଟକି ରହିବାରୁ ରୋହନର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଟେମ୍ପୋକୁ ଛାଡ଼ି ଜାମ୍‌ରେ ଚାଲି ଚାଲି କିଛିବାଟ ଯିବାପରେ ଅନ୍ୟ ଏକ ଗାଡ଼ିରେ ଡାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ପୁଅର ଜୀବନ ଚାଲି ଯାଇଥିଲା। କୋଇଡା ରାସ୍ତାରେ ଜାମ୍‌ ନିତିଦିନିଆ ଘଟଣା। ପ୍ରତିଦିନ ଏହି ରାସ୍ତାରେ ଗାଡ଼ି ଜାମ୍‌ ରହୁଥିବାରୁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଚିକିତ୍ସା ଭଳି ଅତ୍ୟନ୍ତ ଜରୁରି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହା ପୂର୍ବରୁ ଜାମ୍‌ ପାଇଁ ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ଧରି ଅଟକି ଅନେକଙ୍କ ଜୀବନ ଯାଇଛି। ଉଲ୍ଲେଖନୀୟ ଯେ ଏଇ ସପ୍ତାହକ ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ୩ଜଣ ଶିଶୁଙ୍କର ମୃତ୍ୟୁ ଘଟିଲାଣି।

ସମ୍ବନ୍ଧିତ ଖବର