ଅଘଟଣରେ ଚାଲିଗଲା ୩ ଜୀବନ : ପାଣିରେ ବୁଡ଼ି ୨, କାନ୍ଥ ପଡ଼ି ଶିଶୁ ମୃତ

ବାଲିଆପାଳ/କଳାବାଡ଼ିଆ/ମାଣତ୍ରୀ : ଅଘଟଣରେ ଚାଲିଗଲା ୩ ଜୀବନ। ପାଣିରେ ବୁଡ଼ି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାନ୍ଥ ପଡ଼ି ଜଣେ ଶିଶୁ ପ୍ରାଣହରାଇଛି। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କଷାଫଳ ଗ୍ରାମର ଦୟାନିଧି ଖଟୁଆଙ୍କ ଝିଅ ସସ୍ମିତା(୧୧)ଙ୍କ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ। ପରିବାର ଲୋକେ ଉଦ୍ଧାର କରି ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସେହିପରି ବାଙ୍ଗିରିପୋଷି ଥାନା କୁମ୍ଭାରମୁଣ୍ଢାକଟା ପଞ୍ଚାୟତ ଖଇରୀବଣି ଝାଡ଼ପଥରୀ ସାହିର ଜଣେ ଯୁବକ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତ ଯୁବକ ହେଲେ ପ୍ରବୋଧ କୁମାର ନାଏକ (୪୮)। ପ୍ରବୋଧ ଆଜି ଗାଁ ପାଖ ନାଳରେ ଗାଧୋଇବା ବେଳେ ଗୋଡ଼ ଖସିଯାଇଥିଲା। ତାଙ୍କୁ ଉଦ୍ଧାର କରିବା ବେଳକୁ ସେ ଆଖିବୁଜିସାରିଥିଲେ। ବାଙ୍ଗିରିପୋଷି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ବଡ଼ସାହି ବ୍ଲକ ତାଳପଦାରେ ନୂଆ ଘର ପାଇଁ ପୁରୁଣା ଘର ଭାଙ୍ଗୁଥିବା ବେଳେ କାନ୍ଥ ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତକ ଅଜୟ ମହାକୁଡ଼ଙ୍କ ୨ ବର୍ଷର ପୁଅ। ନୂଆ ଘର ତିଆରି କରିବେ ବୋଲି ବେଶ ଖୁସି ଥିଲେ ଅଜୟ। ହେଲେ ଅଘଟଣରେ ୨ ବର୍ଷର ପୁଅକୁ ହରାଇ ଏକଦମ ଭାଙ୍ଗିପଡ଼ିଛନ୍ତି।

ସମ୍ବନ୍ଧିତ ଖବର