କେନ୍ଦୁଝର : ସଚେତନତା ଅଭାବରୁ ଆଜି ବି ଗ୍ରାମାଞ୍ଚଳରେ ଲୋକେ ଡାକ୍ତରୀ ଚିକିତ୍ସା ଅପେକ୍ଷା ଝଡ଼ାଫୁଙ୍କାରେ ବିଶ୍ୱାସ କରୁଛନ୍ତି। ଫଳରେ ବିଭିନ୍ନ ସମୟରେ ଲୋକେ ଅକାଳରେ ପ୍ରାଣ ହରାଉଛନ୍ତି। ଏପରି ଏକ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ୍ ବରଦାପାଳ ପଞ୍ଚାୟତର କୁସୁମିତା ଗ୍ରାମରେ।
ଏହି ଗ୍ରାମର ଟୁକୁଲୁ ମୁଣ୍ଡାଙ୍କ ଝିଅ ଅଂଜିତା (୬)ଙ୍କୁ ଦୁଇଦିନ ତଳେ ଜ୍ୱର ହୋଇଥିଲା। ଲକ୍ଡାଉନ୍ ଯୋଗୁଁ ଗାଡ଼ିମୋଟର ଚଳାଚଳ କରୁନଥିବା ବେଳେ ଟୁକୁଲୁଙ୍କ ପାଖରେ ଅର୍ଥ ନଥିଲା। ତେଣୁ ଝିଅକୁ ଡାକ୍ତରଖାନା ନନେଇ ଘରେ ଝଡ଼ାଫୁଙ୍କା କରିଥିଲେ। ଗତକାଲି ସନ୍ଧ୍ୟାରେ ଅଂଜିତା ଅବସ୍ଥା ଗୁରୁତର ହୋଇଥିଲା। ଖବର ପାଇ ଆଶାକର୍ମୀ ତାଙ୍କ ଘରକୁ ଯାଇଥିଲେ। ଅଂଜିତାଙ୍କୁ ଡାକ୍ତରଖାନା ନେବାପାଇଁ ୧୦୮କୁ ଫୋନ୍ କରିଥିଲେ। ହେଲେ ଆମ୍ବୁଲାନ୍ସ ଆସିନଥିଲା। ଏକ ଅଟୋରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଝିଅକୁ ଆଣିଥିଲେ ଟୁକୁଲୁ। ଚିକିତ୍ସାଧୀନ ଅବସ୍ଥାରେ ଅଂଜିତାଙ୍କ ସକାଳ ୫ଟା ବେଳେ ମୃତ୍ୟୁ ଘଟିଥିଲା। ଟୁକୁଲୁ ମହାଯାତ୍ରା ଗାଡ଼ିରେ ୬ଶହ ଟଙ୍କା ଖର୍ଚ୍ଚ କରି ଝିଅର ଶବକୁ ଘରକୁ ନେଇଥିଲେ। ରାସନ କାର୍ଡ଼ରେ ସରକାରୀ ସହାୟତା ବାବଦକୁ ହଜାରେ ଟଙ୍କା ପାଇଥିଲେ। ଅଟୋବାଲାକୁ ୩ଶହ ଓ ମହାଯାତ୍ରା ଗାଡ଼ିକୁ ୬ଶହ ଟଙ୍କା ଦେବା ପରେ ଝିଅର ଶୁଦ୍ଧିକ୍ରିୟା ପାଇଁ ଟୁକୁଲୁଙ୍କ ପାଖରେ ଟଙ୍କା ନାହିଁ। ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/dead-indiatoday7.png)