ନାଟକୀୟ ମୋଡ଼ରେ ଆମ୍ବୁଲାନ୍‌ସରେ ଶିଶୁମୃତ୍ୟୁ : ପୁଲିସ ସତ କହୁଛି ନା ଆଉ ଏକ ନାଟକ!

ସିସିଟିଭି ଫୁଟେଜ୍‌ରେ ଭିନ୍ନ ତଥ୍ୟ; ତନାଘନା ଆରମ୍ଭ

ବୟାନ ବଦଳାଇଲେ ଆମ୍ବୁଲାନ୍‌ସ ଡ୍ରାଇଭର
୧ଘଣ୍ଟା ୨୦ମିନିଟ୍ ନୁହେଁ, ୨୦ ମିନିଟ୍ ଲାଗିଥିଲା
ଷଡ଼ଯନ୍ତ୍ର ସନ୍ଦେହ; ଉଚ୍ଚସ୍ତରୀୟ ତଦନ୍ତ ‌ଲୋଡ଼ା
କ୍ୟାପିଟାଲ ହସ୍ପିଟାଲରୁ କିମସ୍, ୨୦ ମିନିଟ୍!

ଭୁବନେଶ୍ବର : ରାଜଧାନୀରେ ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିଯିବାରୁ ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟଣାକୁ ନେଇ ହଇଚଇ ପ୍ରସଙ୍ଗରେ ସାଂଘାତିକ ଅପବାଦ ମୁଣ୍ଡାଇଥିବା କମିସନରେଟ୍ ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲରୁ କିମ୍‌ସ ହସ୍ପିଟାଲ ଯାଏ ସବୁ ସିସିଟିଭି ଯାଞ୍ଚ କରାଯାଇଛି। ପ୍ରତି ଛକରେ ଥିବା ଫୁଟେଜ୍ ବାହାର କରିବା ପରେ ଏହି ଘଟଣା ନାଟକୀୟ ମୋଡ଼ ନେଉଥିବା ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ସର୍ତରେ ସୂଚନା ଦେଇଛନ୍ତି। ଏହି ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ସେଦିନ ନିର୍ଦିଷ୍ଟ ଆମ୍ବୁଲାନ୍‌ସଟି କ୍ୟାପିଟାଲ ହସ୍ପିଟାଲରୁ କିମ୍‌ସ ୨୦ ମିନିଟ୍ ଭିତରେ ପହଞ୍ଚିଛି। ତେଣୁ ଏହା ପଛରେ ବଡ଼ ଧରଣର ଷଡ୍‌ଯନ୍ତ୍ର କାମ କରିଥିବା ସନ୍ଦେହ କରି ପୁଲିସ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବାସ୍ତବରେ ପୁଲିସ ଆତ୍ମରକ୍ଷା ପାଇଁ ଘଟଣାକୁ ଏଭଳି ନାଟକୀୟ ମୋଡ଼ ଦେଉଛି ନା ପୁଲିସ ତଦନ୍ତ ଯେଉଁ ଦିଗରେ ଆଗଉଛି ତାହା ସତ, ତାହାର ଏକ ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକତା ରହିଛି।

ମିଳୁଥିବା ସୂଚନା ଅନୁସାରେ, ସେଦିନ ଶିଶୁପୁତ୍ରକୁ ଧରି ଯାଉଥିବା ଆମ୍ବୁଲାନ୍ସ (ଓଡ଼ି ୩୩ ଓ୍ୱାଇ ୬୦୧୯)ଟି କ୍ୟାପିଟାଲରୁ ହସ୍ପିଟାଲରୁ ବାହାରିବା ପରେ ଭୁବନେଶ୍ବର କ୍ଲବ୍ ପଛ ପାଖ ରାସ୍ତା ଦେଇ ରାଜଭବନ ଛକ ନିକଟରେ ପହଞ୍ଚିଥିଲା। ସିସିଟିଭି ଫୁଟେଜରୁ ସେତେବେଳେ ପୂର୍ବାହ୍ନ ୧୦ଟା ୧ ମିନିଟ୍ ହୋଇଥିବା ଜଣାପଡ଼ିଛି। ୧୨୦ ବାଟାଲିଅନ୍ ନିକଟରେ ପହଞ୍ଚିବା ସମୟରେ ୧୦ଟା ୨ ମିନିଟ୍‌, ନାଲକୋ ଛକରେ ୧୦ଟା ୧୦ ମିନିଟ୍ ଓ କିମ୍‌ସ ହସ୍ପିଟାଲ ନିକଟରେ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ୧୦ଟା ୧୯ ବାଜିଥିବା ସିସିଟିଭି ଫୁଟେଜରୁ ସଙ୍କେତ ମିଳୁଛି। ରାଜଭବନରୁ କିମ୍‌ସ ୧୮ ମିନିଟ୍ ସମୟ ନେଇଥିବା ବେଳେ ଯଦି ହସ୍ପିଟାଲରୁ ବାହାରିବା ସମୟ ଧରାଯାଏ ତାହାଲେ ପ୍ରାୟ ୨୦ ମିନିଟ୍ ହେବ।

କିନ୍ତୁ ମୂଳ ଅଭିଯୋଗ ଯାହା ଥିଲା, ସେ ଅନୁସାରେ ଏହି ଆମ୍ବୁଲାନ୍‌ସଟି ଏଜି ଛକ ବାଟେ ଯାଇଥିବା କୁହାଯାଇଥିଲା। ଟ୍ରାଫିକ୍ ଜାମ୍‌ରେ ଫସି ଆମ୍ବୁଲାନ୍‌ସଟି ୧ଘଣ୍ଟା ୨୦ ମିନିଟ୍ ସମୟ ନେବା କାରଣରୁ ଶିଶୁପୁତ୍ର ପ୍ରାଣ ହରାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେଦିନ କ୍ୟାପିଟାଲ ହସ୍ପିଟାଲରୁ ୧୦୮ ଆମ୍ବୁଲାନ୍‌ସରେ ନେବା ପାଇଁ କୁହାଯାଇଥିବା ବେଳେ କାହିଁକି ଭେଣ୍ଟିଲେଟର ନଥିବା ଏକ ଘରୋଇ ଆମ୍ବୁଲାନ୍‌ସରେ ନିଆଗଲା, ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ କରାଯାଉଥିବା ସୂଚନା ମିଳିଛି। ଘଟଣାଟି ଅତି ଗମ୍ଭୀର ହୋଇଥିବାରୁ ରାଜ୍ୟ ସରକାର ପୁଲିସର ଏଭଳି ଅନୁସନ୍ଧାନ ଉପରେ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସବୁଠାରୁ କୌତୂହଳ କଥା ହେଲା, ଆଜି ସମ୍ବାଦକୁ ସଂପୃକ୍ତ ଆମ୍ବୁଲାନ୍‌ସ ମାଲିକ ମଧ୍ୟ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ପୂର୍ବରୁ ଦେଇଥିବା ସୂଚନାକୁ ସେ ଇତିମଧ୍ୟରେ ବଦଳାଇ ଦେଇଛନ୍ତି। ନିଜ ନାମ ଗୋପନ ସର୍ତରେ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରୁ କିମ୍ସ ୨୦ ମିନିଟରୁ ଅଧ ଘଣ୍ଟାଏ ଲାଗେ। ନାଲକୋ ଛକ ନିକଟରେ ଟ୍ରାଫିକ ଜାମ ରୁହେ। ସେଦିନ ଘଣ୍ଟାଏ ୨୦ ମିନିଟ୍ ସମୟ ଲାଗିଥିଲା ବୋଲି ଜଣେ ବ୍ୟକ୍ତି ତାଙ୍କୁ ଜୋର ଜବରଦସ୍ତ କରି ଭିଡିଓ ରେକର୍ଡିଂ କରାଇ ନେଇଥିଲେ। ସଂପୃକ୍ତ ଆମ୍ବୁଲାନ୍‌ସ ଚାଳକ ଏବେ ଭୟରେ ଭୁବନେଶ୍ବର ଛାଡି ଗାଁକୁ ଚାଲିଯାଇଥିବା କହିଛନ୍ତି। ବାସ୍ତବରେ ପୁଲିସ ତାଙ୍କୁ ଏଭଳି ବୟାନ ବଦଳାଇବାକୁ ବାଧ୍ୟ କରିଛି ନା ସେ ପ୍ରକୃତ ସତ କଥା ଏବେ କହୁଛନ୍ତି, ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ। ରାଜ୍ୟ ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କଲେ ଯାଇ ଏଭଳି ପ୍ରସଙ୍ଗ ଉପରୁ ରହସ୍ୟ ଉଠିପାରିବ।

ସମ୍ବନ୍ଧିତ ଖବର