ଗଞ୍ଜାମ : ସଙ୍ଗରୋଧ କେନ୍ଦ୍ରରେ ୬ ମାସର ଶିଶୁପୁତ୍ରର ମୃତ୍ୟୁ

ଯାଜପୁର ଜିଲ୍ଲାରେ ସଂଗରୋଧ କେନ୍ଦ୍ରରେ ହାଇଦ୍ରାବାଦ୍‌ ଫେରନ୍ତାଙ୍କ ମୃତ୍ୟୁ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଅଧୀନ ଖୁଖୁଣ୍ଡିଆ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଆଜି ଏକ ୬ ମାସର ଶିଶୁପୁତ୍ରର ଆକସ୍ମିକ ମୃତ୍ୟୁ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ମିଳିଥିବା ସୂଚନାନୁସାରେ, ଗତ ୧୧ ତାରିଖରେ ଗଂଗାପୁର ପଞ୍ଚାୟତ ରାଜେନ୍ଦ୍ରପୁର ଗ୍ରାମର ରାମହରି ସ୍ବାଇଁ ଓ ସୁନୀତା ସ୍ବାଇଁ ସୁରତରୁ ଆସି ୬ ମାସର ପୁଅ ସହ ଏହି ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେମାନଙ୍କ ସ୍ବାସ୍ଥ୍ୟପରୀକ୍ଷା ବି ହୋଇଥିଲା। କିନ୍ତୁ ସ୍ବାବ୍ ନିଆଯାଇ ନଥିଲା। ସବୁଦିନ ଭଳି ଆଜି ଅପରାହ୍‌ଣରେ ଶିଶୁଟି ମା’ କ୍ଷୀର ପିଇସାରି ଶୋଇଥିଲା। ଦାୟିତ୍ବ‌ରେ କର୍ମଚାରୀ ମାନେ ଅଣ୍ଡା ଓ ଖାଦ୍ୟ ବାଣ୍ଟିବାକୁ ଆସିଥିବାବେ‌‌ଳେ ମା’ ପାଖରେ ଶିଶୁଟି ନିସ୍ତେଜ ହୋଇ ପଡ଼ିରହିଥିବା ଦେଖିବାକୁ ପାଇଥିଲେ। ସଂଗେ ସଂଗେ ତାକୁ ଆସିକା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଶିଶୁଟିର ଅଚାନକ ମୃତ୍ୟୁ କେମିତି ହେଲା, ଏନେଇ କିଛି ସ୍ପଷ୍ଟ ହୋଇପାରିନି। ପ୍ରଶାସନର ଉପସ୍ଥିତିରେ ଶବକୁ ଋଷିକୁଲ୍ୟା ନଦୀପଠାରେ ଅନ୍ତିମ ସଂସ୍କାର କରାଯାଇଛି। ଆଉ ବାପାମା’ଙ୍କୁ ଆଲିପୁର ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ରାମହରି ଓ ସୁନୀତାଙ୍କ ଆଗରୁ ୨ ସନ୍ତାନ ଅଛନ୍ତି। ମୃତ ଶିଶୁପୁତ୍ର ତାଙ୍କର ତୃତୀୟ ସନ୍ତାନ ଥିଲା।

ସଂଗରୋଧ କେନ୍ଦ୍ରରେ ହାଇଦ୍ରାବାଦ୍‌ ଫେରନ୍ତାଙ୍କ ମୃତ୍ୟୁ
ଦଶରଥପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବିରୁହାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଂଘରୋଧ କେନ୍ଦ୍ରରେ ଥିବା ଜଣେ ବ୍ୟକ୍ତିଙ୍କ ଗତକାଲି ବିଳମ୍ବିତ ମୃତ୍ୟୁ ଘଟିଛି। ସ୍ବାବ୍‌ ରିପୋର୍ଟ ଆସିନଥିବାରୁ ସେ କରୋନା ଆକ୍ରାନ୍ତ ଥିଲେ କି ନାହିଁ ସ୍ପଷ୍ଟ ହୋଇପାରିନି। ମିଳିଥିବା ସୂଚନାନୁସାରେ, ଚଷାଖଣ୍ଡ ପଞ୍ଚାୟତ ବୋତଲଟାଙ୍ଗ ଗ୍ରାମର ଶ୍ରୀଧର ଦଳାଇ (୫୩) ତିନିଦିନ ପୂର୍ବେ ପୁଅ ସହ ମିଶି ହାଇଦ୍ରାବାଦରୁ ଫେରିବା ପରେ ବିରୁହାଁ ସଂଗରୋଧ କେନ୍ଦ୍ରରେ ରହୁଥିଲେ। ହାଇଦ୍ରାବାଦ୍‌ରୁ ଫେରିବାବେଳେ ସେ ଅସୁସ୍ଥ ଥିଲେ। ସୋମବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଯାଜପୁର ଟାଉନସ୍ଥ ଏନ୍‌ସି କଲେଜ କୋଭିଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ଘଟିଥିବା ବିଡିଓ ନାରାୟଣ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ସ୍ବାବ୍‌ ପରୀକ୍ଷା ପାଇଁ ଯାଇଛି। କରୋନା ଆକ୍ରାନ୍ତ ହୋଇ ନଥିଲେ ଶବ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର