୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁ ଘଟଣା: ସ୍ବାସ୍ଥ୍ୟ ବିଭାଗର ତଦନ୍ତ ଆରମ୍ଭ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଚବିଶ ଘଣ୍ଟାରେ ୪ଜଣ ଶିଶୁଙ୍କ ମୃତ୍ୟୁ ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ଅତ୍ୟନ୍ତ ଗୁରୁତ୍ବର ସହ ନେଇଛି। ଆଜି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଶିଶୁ ବିଭାଗ ପରାମର୍ଶଦାତା ଡାକ୍ତର ରବୀନ୍ଦ୍ରନାଥ ପଣ୍ଡା ଏବଂ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ରଶ୍ମିରଞ୍ଜନ ଶତପଥୀ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏହି ଟିମ୍‌ ଶିଶୁ ବିଭାଗ ୱାର୍ଡ ବୁଲି ଦେଖିବା ସହ ଏସ୍‌ଏନ୍‌ସିୟୁ ପରିଦର୍ଶନ କରିଛନ୍ତି। ଶିଶୁଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତରଙ୍କ ସହିତ ବି ଆଲୋଚନା କରିଛନ୍ତି। ତଦନ୍ତ ପରେ ଏହି ଟିମ୍‌ ଗଣମାଧ୍ୟମ ଆଗରେ କିଛି କହି ନଥି‌ବା ବେଳେ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ‌ ବୋ‌ଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ‌ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତାରାଣୀ ମିଶ୍ର ଶିଶୁ ମୃତ୍ୟୁ ଘଟଣାର ପ୍ରାଥମିକ ରିପୋର୍ଟ ଦାଖଲ କରିଛନ୍ତି। ସେ ଚିଠି ନମ୍ବର-୩୦୮୫ରେ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି , ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ଚିକିତ୍ସା କରୁଥିବା ଡାକ୍ତରଙ୍କର କୌଣସି ତ୍ରୁଟି ନାହିଁ। ପ୍ରାଣ ହରାଇଥିବା ଶିଶୁମାନଙ୍କର ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଂଗିନ ଥିଲା ବୋଲି ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଆଜି ଏ ସମ୍ପର୍କରେ ସିଡିଏମ୍‌ଓ ଡା. ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ସ୍ବାସ୍ଥ୍ୟ ବିଭାଗର ତଦନ୍ତ ସମ୍ପର୍କରେ ଡା.ମିଶ୍ର କହିଛନ୍ତି ଯେ ୨୪ ଘଣ୍ଟାରେ ଏତେ ସଂଖ୍ୟାରେ ଶିଶୁଙ୍କ ମୃତ୍ୟୁ କାହିଁକି ହେଲା, ଏହି ଟିମ୍‌ ତାହାର ଅନୁଧ୍ୟାନ କରିଥିଲେ। ଏସ୍‌ଏନ୍‌ସିୟୁରେ ସଂକ୍ରମଣ ଅଧିକ ଥିବାନେଇ ତଦନ୍ତକାରୀ ଟିମ୍‌ ଅନୁଭବ କରିଥିଲେ ବୋଲି ଡା. ମିଶ୍ର କହିଛନ୍ତି। ସେହିପରି ଏସ୍‌ଏନ୍‌ସିୟୁରେ ଯେତିକି ଶିଶୁ ଭର୍ତ୍ତି ହେଉଛନ୍ତି, ତା’ଠାରୁ ଶଯ୍ୟାସଂଖ୍ୟା ଯଥେଷ୍ଟ‌ କମ୍‌ ରହିଛି। ଏମିତିକି ଆବଶ୍ୟକ ଡାକ୍ତର ନ ଥିବାନେଇ ସେ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର