ଭିଡ଼ରେ ଚାପି ହୋଇ ଗଣେଶ ମୃତ

ମୁଖ୍ୟମନ୍ତ୍ରୀଙ୍କ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅଘଟଣ

୯ ବର୍ଷ ଧରି କଦଳୀ ପତ୍ରରେ ଶୋଉଥିଲେ

ବ୍ରହ୍ମପୁର/ ପୁରୁଷୋତ୍ତମପୁର : ଦୁରାରୋଗ୍ୟ କାରଣରୁ ଦୀର୍ଘ ୯ ବର୍ଷ ହେଲା କଦଳୀ ପତ୍ରରେ ଶୋଇ ଦୁର୍ବିସହ ଜୀବନ କାଟୁଥିବା ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ହାଣ୍ଡିଘର ଗ୍ରାମର ମିସନ୍‌ ବେହେରା ଓରଫ ଗଣେଶ ଆଜି ଚିର ନିଦ୍ରାରେ। ଜଗାବଳିଆଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ କୃପା ଦୃଷ୍ଟି ପଡ଼ିଲେ ପୁଅ ନୂଆ ଜୀବନ ପା’ନ୍ତା ବୋଲି କୋହଭରା କଣ୍ଠରେ ଗତ ୧୦ ତାରିଖରେ ସମ୍ବାଦକୁ କହିଥିବା ମା’ ସୁନିତା ଆଜି ନିରବି ଯାଇଛନ୍ତି। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳରେ ହିଁ ପୁଅକୁ ସବୁଦିନ ପାଇଁ ହରାଇଛନ୍ତି। ହିଞ୍ଜିଳିରେ ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଭିଡ଼ରେ ଚାପି ହୋଇ ପୁଅର ପ୍ରାଣ ଯାଇଛି। ସହାୟତା ପାଇଁ ଯାଇ ପୁଅର ଶବ ଧରି ଗାଁକୁ ଫେରିଛନ୍ତି। ପୁଅର ମୃତ୍ୟୁ ପାଇଁ ପରିବାର ପ୍ରଶାସନକୁ ଦାୟୀ କରିଛନ୍ତି।

ପ୍ରକାଶ ଯେ, ହାଣ୍ଡିଘର ଗ୍ରାମର ପୀତବାସ ବେହେରା ଓ ସୁନିତା ବେହେରାଙ୍କ ପୁଅ ଗଣେଶ ଜନ୍ମରୁ ଏକ ଅଜଣା ରୋଗରେ ପୀଡିତ ଥିଲା। ଦେହ ହାତରେ ଫୋଟକା ହେବା ସହ ସବୁ ଫାଟି ରକ୍ତ ଝରୁଥିଲା। ଦୀର୍ଘ ୯ ବର୍ଷ ଧରି ଗଣେଶର ଏ ଅବସ୍ଥା ଯୋଗୁଁ ସେ ସାଧାରଣ ଶେଯରେ ମଧ୍ୟ ଶୋଇପାରୁ ନଥିଲା। କଦଳୀ ପତ୍ର ଶେଯ ହିଁ ତା’ର ଭରସା ଥିଲା। ଦିନ ମଜୁରିଆ ପରିବାର ପାଇଁ ଶିଶୁର ଉଚ୍ଚତର ଚିକିତ୍ସା ସହଜ ହୋଇ ନଥିଲା। ଡାକ୍ତର ରୋଗ ଚିହ୍ନି ପାରି ନଥିଲେ। ବଂଶଗତ ରୋଗ କହି ଏଡ଼ାଇ ଦେଇଥିଲେ। ଶିଶୁ ଶରୀରରେ ଘା’ ଯୋଗୁଁ କେହି ଡାକ୍ତର ତାଙ୍କୁ ଘୃଣା ମଧ୍ୟ କରୁଥିଲେ। ଦୁଇ ଚାରି ଦିନ ମେଡିକାଲରେ ରହିବା ପରେ ତାଙ୍କୁ ଡିସଚାର୍ଜ କରି ଦିଆଯାଉଥିଲା। ଜଗାବଳିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା କଥା ଶୁଣି ମା’ ଗତ ୧୦ ତାରିଖରେ ମା’ ସୁନିତା ଗଞ୍ଜାମ ଜିଲ୍ଲାପାଳ ଜନଅଭିଯୋଗ ଶୁଣାଣି ଶିବିରର ଦ୍ୱାରସ୍ଥ ହୋଇଥିଲେ।

ଏ ନେଇ ‘ସମ୍ବାଦ’ ୧୨ ତାରିଖରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ଜିଲ୍ଲା ପ୍ରଶାସନ ବାଳକର ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ବ୍ରହ୍ମପୁର ମେଡିକାଲକୁ ପଠାଇଥିଲେ। ମାତ୍ର ସେଠାରେ ମଧ୍ୟ ତାଙ୍କୁ ଉଚିତ୍‌ ଚିକିତ୍ସା ମିଳିପାରିନଥିଲା। ଆଜି ହିଂଜିଳିକାଟୁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରା ଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ଆସୁଥିବା ଜାଣି ମା’ ସୁନିତା ଶିବିରକୁ ଯିବାକୁ ଚାହିଥିଲେ। ମାତ୍ର ପ୍ରଶାସନ ଗୁରୁତର ଶିଶୁଙ୍କ ପାଇଁ ସେଭଳି କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିନଥିଲେ। ଏକ ପରିଚୟପତ୍ର ଦେଇ ଯିବାକୁ କହିଥିଲେ। ମା ମଧ୍ୟ ବଡ଼ ଆଶା ନେଇ ଶିବିରକୁ ଯାଇଥିଲେ। ଅବ୍ୟବସ୍ଥା ଯୋଗୁଁ ଗୁରୁତର ଗଣେଶ ଭିଡ଼ ଓ ଠେଲାପେଲା ଭିତରେ ଚାପି ହୋଇ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ।

ଏ କଥା ଜଣାପଡ଼ିବା ପରେ ଗଣେଶଙ୍କୁ ହିଂଜିଳିକାଟୁ ଡାକ୍ତରଖାନାକୁ ନିଆ ଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରୁ ମୃତ ଘୋଷଣା କରିଥିଲେ। ତେବେ ଶ୍ୱାସରୁଦ୍ଧ ହୋଇ ଆଖି ବୁଜିିଥିବା ଶିଶୁର ଶବ ବ୍ୟବଚ୍ଛେଦ କରାଯାଇନଥିଲା। ଶିଶୁର ମୃତ୍ୟୁକୁ ଚାପି ଦେବାକୁ ବ୍ଲକ୍‌, ଜିଲ୍ଲା ପ୍ରଶାସନ ଉଦ୍ୟମ କରିଥିଲେ। ଶବ ନେବା ପାଇଁ ପ୍ରଶାସନ ପକ୍ଷରୁ ଆମ୍ବୁଲାନସ୍‌ ମଧ୍ୟ ବ୍ୟବସ୍ଥା ହେଲା ନାହିଁ। ଆମ୍ବୁଲାନସ୍‌ ଭଡ଼ା କରି ପୁଅର ଶବକୁ ନେଇ ମା’ ଘରକୁ ଫେରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଭାରେ ଏଭଳି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶପାଇଛି।

ସମ୍ବନ୍ଧିତ ଖବର