କେନ୍ଦୁଝର/ସାହାରପଡ଼ା: ଚିକିତ୍ସା ଅବହେଳାରୁ ଉଦୟପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ କିଛି ମାସ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ପୁଣି ସମାନ ଢ଼ଙ୍ଗରେ ଜଣେ ଶିଶୁଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ସାହରପଡ଼ା ବ୍ଲକର ମଉଦୀପା ଗ୍ରାମର ପଙ୍କଜ ନାଏକଙ୍କ ପତ୍ନୀ ଅନୀତା ନାଏକଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଗତକାଲି ସନ୍ଧ୍ୟା ୭ଟାରେ ତାଙ୍କୁ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ତାଙ୍କର ଗର୍ଭ ଯନ୍ତ୍ରଣା ବଢ଼ିବାରୁ ଦାୟିତ୍ବରେ ଡାକ୍ତର ଶ୍ୟାମ ସୁନ୍ଦର ଟୁଡୁଙ୍କୁ ଡାକିଥିଲେ। ଏମିତିକି ପରିବାର ଲୋକଙ୍କ ସହିତ ଦାୟିତ୍ବରେ ଥିବା ମହିଳା ସ୍ବାସ୍ଥ୍ୟ କର୍ମୀ ମଧ୍ୟ ଡାକ୍ତରଙ୍କୁ ଡାକିଥିଲେ। କିନ୍ତୁ ଡାକ୍ତର ଆସି ନ ଥିଲେ। ଏହାପରେ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ବାରା ପ୍ରସବ ହେବା ପରେ ଶିଶୁଟି ଆଉ କାନ୍ଦି ନ ଥିଲା। ଏହାର କିଛି ସମୟ ପରେ ଶିଶୁଟି ମୃତ୍ୟୁ ବରଣ କରିଥିବା ଜଣାପଡିଥିଲା। ଏହି ଘଟଣା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗତକାଲି ଦାୟିତ୍ବରେ ଥିବା ଡାକ୍ତର ଶ୍ୟାମ ସୁନ୍ଦର ଟୁଡୁ ଆଉ ଡାକ୍ତରଖାନା ଆସି ନଥିଲେ।
ଏଥିନେଇ ମୃତ ଶିଶୁର ବାପା ପଙ୍କଜ ନାଏକ କହିଛନ୍ତି, ଗତକାଲି ମୋ ପତ୍ନୀ ଗର୍ଭ ଯନ୍ତ୍ରଣା ପାଉଥିବା ବେଳେ ୪ ଥର ଡାକ୍ତରଙ୍କୁ ଡାକିଥିଲୁ। କିନ୍ତୁ ସେ ଆସି ନ ଥିଲେ। ଡାକ୍ତର ଚିକିତ୍ସା କରିଥିଲେ, ହୁଏତ ମୋ ଶିଶୁ ବଞ୍ଚି ଯାଇଥାନ୍ତା। ସେହିପରି ଗତକାଲି ଦାୟିତ୍ବରେ ଥିବା ମହିଳା ସ୍ବାସ୍ଥ୍ୟ କର୍ମୀ ମଂଜୁଲତା ମହାନ୍ତ କହିଛନ୍ତି, ସେ ଗତକାଲି ରାତି ୮ଟାରେ ରାତି ଡ୍ୟୁଟି ପାଇଁ ଆସିଥିଲେ। ଡ୍ୟୁଟିକୁ ଆସିବା ପରେ ଅନୀତାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ଏଥିନେଇ ଡାକ୍ତରଙ୍କୁ ଜଣାଇଥିଲି। କିନ୍ତୁ ଡାକ୍ତର ଆସି ନ ଥିଲେ ବୋଲି ସେ ସୂଚନା ଦେଇଛନ୍ତି।
ପୂର୍ବରୁ ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ୧୭ ତାରିଖ ମଧ୍ୟରେ କେନ୍ଦୁଝର ଡାକ୍ତରଖାନାରେ ୧୩ ଜଣ ଶିଶୁଙ୍କର ମୃତ୍ୟୁ ହେବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିନେଇ ଜାତୀୟ ମାନବାଧିକାର କମିସନ ଏବଂ ଜାତୀୟ ଅନୁସୂଚିତ ଜନାଜାତି କମିସନ ମଧ୍ୟ ତନାଘନା କରିଥିଲେ।