କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେପ୍ଟେମ୍ବର ମାସରେ ୧୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି କମିସନ ମୁଖ୍ୟ ଶାସନସଚିବ ଏବଂ ସ୍ବାସ୍ଥ୍ୟ ବିଭାଗ କମିସନରଙ୍କୁ ରିପୋର୍ଟ ତଲବ କରିଛନ୍ତି। ସାତଦିନ ମଧ୍ୟରେ ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ରିପୋର୍ଟ ଦେବାକୁ ଚିଠି ହୋଇଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ୧୩ଜଣ ଶିଶୁଙ୍କ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା। ଏନେଇ ଜାତୀୟ ଅନୁସୂଚିତ ଜନଜାତି କମିସନଙ୍କ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ନାଏକ ଅଭିଯୋଗ କରିଥିଲେ। ପୂର୍ବରୁ ଏନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ଅକ୍ଟୋବର ୨୭ରେ ଚିଠି ନମ୍ବର ୫୮୨୨ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପସଚିବଙ୍କୁ ରିପୋର୍ଟ ଦିଆଯାଇଛି। ସେପ୍ଟେମ୍ବର ୧ରୁ ୧୭ ତାରିଖ ମଧ୍ୟରେ ଡାକ୍ତରଖାନାରେ ମୋଟ ୧୩ଜଣ ଶିଶୁ ପ୍ରାଣ ହରାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯ଜଣ ଶିଶୁଙ୍କ ଜନ୍ମରୁ ସ୍ବାସ୍ଥ୍ୟ ସମସ୍ୟା ଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ଏହି ଶିଶୁମାନଙ୍କୁ ବଞ୍ଚାଇ ରଖାଯାଇ ପାରିଲା ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା।