କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେପ୍ଟେମ୍ବର ମାସରେ ଚବିଶ ଘଣ୍ଟାରେ ୪ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ସ୍ବାସ୍ଥ୍ୟ ବିଭାଗକୁ ତଦନ୍ତ ରିପୋର୍ଟ ମଳିଛି।

Advertisment

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ଅକ୍ଟୋବର ୨୭ରେ ଚିଠି ନମ୍ବର ୫୮୨୨‌ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡେପୁଟି ସେକ୍ରେଟାରିଙ୍କୁ ଏହି ରିପୋର୍ଟ ଦିଆଯାଇଛି। ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୧ରୁ ୧୭ ତାରିଖ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏମାନଙ୍କ ମଧ୍ୟରୁ ୯ଜଣ ଶିଶୁଙ୍କ ଜନ୍ମରୁ ସ୍ବାସ୍ଥ୍ୟ ସମସ୍ୟା ଥିଲା। ସେମାନଙ୍କ ଅବସ୍ଥା ଗୁରୁତର ରହିଥିଲା। ସମସ୍ତ ଚେଷ୍ଟା ସତ୍ତ୍ବେ ଏହି ଶିଶୁମାନଙ୍କୁ ବଞ୍ଚାଇ ହେଲାନାହିଁ। ଦୁଇଜଣ ଶିଶୁ ଜନ୍ମରୁ କମ୍‌ ଓଜନର ଥିଲେ। ଅନ୍ୟଜଣେ ଶିଶୁ ଏଠାରେ ଭର୍ତ୍ତିହେବା ସମୟରେ ଗୁରୁତର ଥିଲେ। ଦିନକ ପରେ ତା’ର ମୃତ୍ୟୁ ଘଟିଥିଲା। ସେହିପରି ଗୋଟିଏ ଶିଶୁର ଶ୍ବାସକ୍ରିୟାରେ ସମସ୍ୟା ଥିଲା। ଶିଶୁଟିକୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତା’ର ମୃତ୍ୟୁ ଘଟିଥିଲା। ଶିଶୁମାନଙ୍କ ଚିକିତ୍ସା ‌ପ୍ରୋଟୋକଲ୍‌ ଅନୁସାରେ କରାଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସେହିପରି ଆକ୍ସନ ଟେକେନ ‌ରିପୋର୍ଟରେ ଦର୍ଶାଯାଇଛି ଯେ, ଏଠାକାର ଏସ୍‌ଏନ୍‌ସିୟୁରେ ତିନି ସିଫ୍ଟରେ ଡାକ୍ତର ଏବଂ ନର୍ସ ନିଯୁକ୍ତ କରାଯିବା ସହିତ ସିସିଟିଭି ବ୍ୟବସ୍ଥା କରାଯାଇଛି। ସଂକ୍ରମଣ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ଅଭିଭାବକଙ୍କ କାଉନ‌ସେଲିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ପ୍ରତି ମାସରେ ଏସ୍‌ଏନ୍‌ସିୟୁ ସମୀକ୍ଷା ବୈଠକ ସହିତ କଲ୍‌ ବୁକ୍‌ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।