ପୋଲିଓ ଟିକା ନେଇ ଦେଢ଼ମାସର ଶିଶୁ ମୃତ!

ଶିଶୁର ନାକ ଓ ମୁହଁରୁ ବାହାରିଲା ରକ୍ତ, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ତନାଘନା, ଯାଞ୍ଚ ପାଇଁ ଭୁବନେଶ୍ବର ପଠାଗଲା ଟିକାର ନମୁନା

ବନ୍ତଳା : ପୋଲିଓ, ଧନୁଷ୍ଟଙ୍କାର ଭଳି ମାରାତ୍ମକ ରୋଗ ଦାଉରୁ ରକ୍ଷା ପାଇଁ ଶିଶୁଙ୍କୁ ଟିକା ଦିଆଯାଇଥାଏ। କିନ୍ତୁ ଏହି ଟିକା ନେଇ ବୁଧବାର ଅନୁଗୁଳ ବ୍ଲକ୍ ବନ୍ତଳା ଥାନା ତୁମୁଣି ଗାଁ’ରେ ଜଣେ ଦେଢ଼ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ତନାଘନା ଚାଲିଛି। ସୂଚନା ଅନୁଯାୟୀ, ତୁମୁଣି ଗାଁ‘ରେ ବୁଧବାର ଶିଶୁଙ୍କୁ ଧନୁଷ୍ଟଙ୍କାର, ପୋଲିଓ ଆଦି ରୋଗ ପ୍ରତିରୋଧକ ଟିକା ଦିଆଯାଇଥିଲା। ତେବେ ହରିଜନ ସାହିର ଧୀରେନ୍ ଗୋଛାୟତ ଓ ସସ୍ମିତା ଗୋଛାୟତଙ୍କ ଦେଢ଼ମାସର ଶିଶୁ ଟିକା ନେବା ପରେ ଗତକାଲି ବିଳମ୍ବିତ ରାତିରେ ତା’ର ନାକ ଓ ମୁହଁରୁ ରକ୍ତ ବାହାରିଥିଲା। ପରେ ଶିଶୁଟି ନିସ୍ତେଜ ହୋଇଯାଇଥିଲା। ମା’ ସସ୍ମିତାଙ୍କ କହିବାନୁଯାୟୀ, ତାଙ୍କ ଶିଶୁଟି ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଚଳଚଞ୍ଚଳ ଥିବା ବେଳେ ଖାଦ୍ୟ ମଧ୍ୟ ଖାଇଥିଲା। ତେବେ ରାତି ପ୍ରାୟ ୨ଟା ବେଳେ ହଠାତ୍ ମୃତ୍ୟୁ ହୋଇଥିଲା। ଏ ସଂକ୍ରାନ୍ତରେ ଅଭିଯୋଗ ପରେ ବନ୍ତଳା ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଘନଶ୍ୟାମ ବେହେରା, ଡାକ୍ତର ସତ୍ୟନାରାୟଣ ସାହୁଙ୍କ ସମେତ ଜିଲ୍ଲା ଆଶା ସଂଯୋଜିକା ବିକାଶିନୀ ପରିଡା ଉକ୍ତ ଗାଁ’କୁ ଯାଇ ତଦନ୍ତ କରିଥିଲେ। ଅନ୍ୟପକ୍ଷରେ ଗ୍ରାମର ଅନ୍ୟ କୌଣସି ଶିଶୁ ଟିକା ନେଇ ଅସୁସ୍ଥ ନଥିବା ଜଣାଯାଇଛି। ବନ୍ତଳା ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀମାନେ ଶିଶୁର ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ ହେଁ ସେମାନେ ରାଜି ହୋଇନଥିଲେ। ତେବେ ଉକ୍ତ ଶିଶୁକୁ ଦିଆଯାଇଥିବା ଟିକାର ନମୁନା ଯାଞ୍ଚ ପାଇଁ ଭୁବନେଶ୍ବର ପଠାଯାଇଥିବା ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର