ପିଆରଏମ୍ରେ ଶିଶୁ ଅଦଳବଦଳ ଘଟଣା : ଜନ୍ମଦାତ୍ରି ମା’ କୋଳକୁ ଫେରିବ ଜୀବିତ ଶିଶୁ
ଜିଲ୍ଲା ଦୌରାଜଜ୍ ଶୁଣାଇଲେ ରାୟ
ଜୀବିତ ଶିଶୁ ବ୍ରଜମୋହନଙ୍କର ବୋଲି ଆସିଛି ଡିଏନଏ ରିପୋର୍ଟ
ମାନବିକ ମୂଲ୍ୟବୋଧର ସହିତ ଅନ୍ତ୍ୟେଷ୍ଟି ହେବାର ମୃତ ଶିଶୁର ରହିଛି ଅଧିକାର: କୋର୍ଟ
କାର୍ତ୍ତିକ ସିଂ’ଙ୍କୁ ମୃତ ଶିଶୁ ଦେବାକୁ ପ୍ରଶାସନକୁ କୋର୍ଟଙ୍କ ନିର୍ଦ୍ଦେଶ
ନହେଲେ ଆଇନ ଅନୁସାରେ ପ୍ରକ୍ରିୟା ସମ୍ପାଦନ ନିର୍ଦ୍ଦେଶ
ବାରିପଦା : ପ୍ରାୟ ୪ମାସ ପରେ ଜନ୍ମଦାତ୍ରୀ ମା’ କୋଳକୁ ଫେରିବ ଜୀବିତ ଶିଶୁ। ବହୁଚର୍ଚ୍ଚିତ ପିଆରଏମ୍ ମେଡିକାଲ୍ ଶିଶୁ ଅଦଳବଦଳ ଘଟଣାର ପୂର୍ଣ୍ଣଚ୍ଛେଦ୍ ପଡ଼ିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଦୀର୍ଘଦିନ ହେବ ପିଆରଏମ୍ରେ ଥିବା ଜୀବିତ ଶିଶୁ ଜନ୍ମଦାତ୍ରୀ ମା’ ରାଇବରି ସିଂ, ସ୍ୱାମୀ ବ୍ରଜମୋହନ ସିଂ’ଙ୍କ ପାଖକୁ ଫେରିବ ବୋଲି ଆଜି ବାରିପଦା ଜିଲ୍ଲା ଦୌରାଜଜ୍ ସଞ୍ଜୟ ରଂଜନ ବହିଦାର ରାୟ ଶୁଣାଇଛନ୍ତି। ଯେହେତୁ ଜୀବିତ ଶିଶୁର ଡିଏନ୍ଏ ରିପୋର୍ଟ ବ୍ରଜମୋହନ ଏବଂ ରାଇବରି ସିଂ’ଙ୍କ ସହିତ ମିଶୁଛି, ସେହି ଆଧାରରେ ଉକ୍ତ ଶିଶୁଙ୍କୁ ତାଙ୍କୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦୀର୍ଘ ୪ ମାସ ହେବ ପିଆରଏମ୍ ମେଡିକାଲରେ ସଂରକ୍ଷିତ ହୋଇଥିବା ମୃତ ଶିଶୁ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହିତ ଦୁଃଖ ପ୍ରକାଶ କରିଛନ୍ତି। କାରଣ ଉକ୍ତ ମୃତ ଶିଶୁକୁ ନେବାକୁ କେହି ମଧ୍ୟ ଆଗେଇ ଆସିନାହାନ୍ତି। ଯାହାକି ନିହାତି ଦୁର୍ଭାଗ୍ୟଜନକ ବୋଲି କୋର୍ଟ କହିଛନ୍ତି। ମୃତ ହେଲେ ମଧ୍ୟ ସମ୍ପୂର୍ଣ୍ଣ ସାମାଜିକ ପ୍ରକ୍ରିୟାରେ ତାଙ୍କର ମାନବୀୟ ମୂଲ୍ୟବୋଧର ସହିତ ଶେଷକୃତ୍ୟ ହେବାର ଅଧିକାର ରହିଥିବା କୋର୍ଟ ରାୟରେ ପ୍ରକାଶ କରିଛନ୍ତି। ତେବେ ଉକ୍ତ ମୃତ ଶିଶୁଙ୍କୁ ତାଙ୍କର ବାୟୋଲୋଜିକାଲ୍ ପିତାମାତା ରାଇବରୀ ସିଂ ସ୍ୱାମୀ କାର୍ତ୍ତିକ ସିଂ’ଙ୍କୁ ଫେରେଇବାକୁ ପିଆରଏମ୍ ଅଧୀକ୍ଷକ, ଜିଲ୍ଲାପାଳ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି। ମୃତ ଶିଶୁକୁ ଗ୍ରହଣ କରିବାକୁ ଉଭୟ ପ୍ରଶାସନ କାର୍ତ୍ତିକଙ୍କୁ ପ୍ରବର୍ତ୍ତାଇବାକୁ କୋର୍ଟ କହିଛନ୍ତି। ଅନ୍ୟଥା ଆଇନଅନୁଯାୟୀ ପ୍ରକ୍ରିୟା ସମ୍ପାଦନ କରିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ମେ ୧୧ରେ ପିଆରଏମ୍ ମେଡିକାଲ୍ରେ ଏହି ଶିଶୁ ଅଦଳବଦଳ ଘଟଣା ପଦାକୁ ଆସିଥିଲା। ‘ସମ୍ବାଦ’ ଏନେଇ ପ୍ରଥମେ ଖବର ପ୍ରକାଶ କରିଥିଲା। ଉଭୟ ଶିଶୁଙ୍କ ମା’ ନାମ ରାଇବରୀ ସିଂ ସମାନ ଥିବାରୁ ଦ୍ୱନ୍ଦ୍ୱ ଉପୁଜିଥିଲା। ଏପ୍ରିଲ୍ ମାସ ୨୬ରେ ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ପୋଡ଼ାଅସ୍ତିଆ ଜାମବଣି ଗ୍ରାମର କାର୍ତ୍ତିକ ସିଂ’ଙ୍କ ପତ୍ନୀ ରଇବାରି ପିଆରଏମ୍ରେ ଏକ ଶିଶୁପୁତ୍ରକୁ ଜନ୍ମଦେଇଥିଲେ। ଶିଶୁର ଅବସ୍ଥା ଭଲନଥିବାରୁ ତାଙ୍କୁ ଶିଶୁ ବିଭାଗର ଏସ୍ଏନସିୟୁରେ ରଖାଯାଇଥିଲା। ଅନ୍ୟପକ୍ଷରେ ଶ୍ୟାମାଖୁଣ୍ଟା ବ୍ଲକ୍ ପୋଡ଼ାଅସ୍ତିଆ ଅନ୍ତର୍ଗତ ଧାଡ଼ଧୁଡ଼ ଗ୍ରାମର ବ୍ରଜମୋହନ ସିଂଙ୍କ ପତ୍ନୀ ରଇବାରୀ ମଧ୍ୟ ଚଳିତ ମାସ ୪ ତାରିଖରେ ପିଆରଏମ୍ରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ବ୍ରଜମୋହନଙ୍କର ୪ରେ ପୁଅ ହୋଇଥିବାବେଳେ ୫ରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା। ଉକ୍ତ ଶିଶୁଟି ମଧ୍ୟ ଏସ୍ଏନସିୟୁରେ ଥିଲା। ମାତ୍ର ଡିସ୍ଚାର୍ଜ ସମୟରେ ବ୍ରଜମୋହନଙ୍କ ଶିଶୁପୁତ୍ରଙ୍କୁ କାର୍ତ୍ତିକଙ୍କୁ ପ୍ରଦାନ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱିକାର କରିଥିଲେ। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତିଯେ କାର୍ତ୍ତିକ ଜାଣିଶୁଣି ନିଜ ପୁଅକୁ ଛାଡ଼ି ବ୍ରଜମୋହନଙ୍କ ପୁଅକୁ ନେଇଯାଇଥିଲେ। ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ କିପରି ଏପରି ବେପରୁଆ ଭାବେ କିଛି ଅନୁସନ୍ଧାନ ନକରି ଜଣଙ୍କ ସନ୍ତାନଙ୍କୁ ଅନ୍ୟଜଣଙ୍କୁ ଦେଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ ସମସ୍ୟା ଉପୁଜିଥିଲା ଯେତେବେଳେ ୨୬ ତାରିଖରେ ଜନ୍ମ ହୋଇଥିବା ଶିଶୁପୁତ୍ରଟି ମେ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ। ଏସ୍ଏନସିୟୁରେ ଥିବା ଉକ୍ତ ଶିଶୁପୁତ୍ରର ଯୋଗାଯୋଗ ନମ୍ବରରେ କାର୍ତ୍ତିକଙ୍କର ନମ୍ବର ଥିଲା। ତେଣୁ ମୃତ ଶିଶୁପୁତ୍ରକୁ ନେଇଯିବାକୁ କାର୍ତ୍ତିକଙ୍କୁ ଶିଶୁ ବିଭାଗରୁ ଫୋନ୍ ଯାଇଥିଲା। ମାତ୍ର କାର୍ତ୍ତିକ ନିଜର ଶିଶୁପୁତ୍ର ସୁସ୍ଥଥିବା ଏବଂ ଘରେ ଥିବା କହିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହି ଘଟଣା ପାଇଁ କାର୍ତ୍ତିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଧାରଣା ଦିଆଯାଇଥିଲା। ଘଟଣାକୁ ନେଇ ବାରିପଦାରେ ବେଶ୍ କିଛିଦିନ ଉତ୍ତେଜନା ଲାଗିରହିଥିଲା। ତେବେ କୋର୍ଟଙ୍କ ରାୟ ପରେ ଘଟଣାର ସମାଧାନ ହେବ ବୋଲି ଆଶା କରାଯାଉଛି।