ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍)ରେ ଶିଶୁ ବଦଳି ଅଭିଯୋଗ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ନବଜାତ ଗ୍ରହଣଖଣ୍ଡିଆ ଶିଶୁକନ୍ୟାକୁ ମା’ ଗ୍ରହଣ କରୁନଥିବା ବେଳେ ସୋମବାର ତାକୁ ଛାଡ଼ି ଘରକୁ ଚାଲିଯାଇଥିବା ଜଣାପଡ଼ିଛି। ଉକ୍ତ ଶିଶୁକୁ ଆଶ୍ରୟ ଗୃହରେ ରଖିବା ପାଇଁ ପୁଲିସ ଓ ଶିଶୁ ସୁରକ୍ଷା ବିଭାଗକୁ ଚିଠି ଲେଖାଯାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଡୋଳାମଣି ପଟେଲ ସୂଚନା ଦେଇଛନ୍ତି। ସେପଟେ ଶିଶୁକୁ ଜନ୍ମ ପରଠାରୁ ହିଁ ତା ମା’ ଗ୍ରହଣ କରି ନଥିବାରୁ ତାର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ଜଣାପଡ଼ିଛି।
ଅପରପକ୍ଷେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲା। ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବି ତଦନ୍ତକାରୀ ଅଧିକାରୀଙ୍କୁ କୁହାଯାଇଥିଲା। ମାତ୍ର ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ସୁଦ୍ଧା ତଦନ୍ତ ଶେଷ ହୋଇପାରିନି। ଫଳରେ ଡିଏଚ୍ଏଚ୍ରେ ପ୍ରକୃତରେ ଶିଶୁ ବଦଳ ହୋଇଛି ନା ଗ୍ରହଣ ଖଣ୍ଡିଆ କନ୍ୟା ସନ୍ତାନ ବୋଲି ଅଭିଭାବକ ଏଭଳି ଅଭିଯୋଗ ଆଣିଛନ୍ତି ତାହା ସ୍ପଷ୍ଟ ହୋଇପାରିନି।
ଅଭିଯୋଗ ଅନୁସାରେ, ବ୍ରଜରାଜନଗରର ରାଜକୁମାର ଗିରିଙ୍କ ପୂର୍ବରୁ ୩ଟି କନ୍ୟା ସନ୍ତାନ ଅଛନ୍ତି। ଏହା ପତ୍ନୀ ଦୀପାଞ୍ଜଳିଙ୍କ ଚତୁର୍ଥ ପ୍ରସବ ଥିଲା। ୧୮ ତାରିଖ ଅପରାହ୍ଣରେ ଦୀପାଞ୍ଜଳିଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଲେବର ରୁମ୍ରେ ତାଙ୍କୁ ରଖାଯାଇଥିବା ବେଳେ ଦୀପାଞ୍ଜଳି ପରିସ୍ରା ଯାଇଥିଲେ। ଏହି ସମୟରେ ହିଁ ତାଙ୍କର ପ୍ରସବ ହୋଇଥିଲା। ଏହି ସମୟରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିବା ନିଜେ ଦୀପାଞ୍ଜଳି ଦେଖିଥିଲେ। ଏପରିକି ଡାକ୍ତରଖାନା କର୍ମଚାରୀମାନେ ମଧ୍ୟ ତାଙ୍କର ପୁଅ ହୋଇଥିବା କହିଥିଲେ। କିନ୍ତୁ ସେ ଶାଢ଼ି ବଦଳାଇ ଶଯ୍ୟା ନିକଟକୁ ଆସିବା ବେଳକୁ ସେଠାରେ ଗ୍ରହଣଖଣ୍ଡିଆ ଥିବା ଏକ ଶିଶୁକନ୍ୟାକୁ ଶୁଆଇ ଦିଆଯାଇଥିଲା। ପ୍ରଥମରୁ ତାଙ୍କର ପୁଅ ହୋଇଥିବା ନେଇ କର୍ମଚାରୀମାନେ କହିଥିବା ବେଳେ ତାହା କିଭଳି ବଦଳିଗଲା ତାକୁ ନେଇ ଦମ୍ପତି ପ୍ରଶ୍ନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Mother-Left-5-Days-Old-Baby-in-Hospital_Thumbnail.jpg)