ଭଞ୍ଜନଗର : କାର୍ ଭିତରେ ଶ୍ବାସରୁଦ୍ଧ ହୋଇ ଶିଶୁ ମୃତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ ହଳନ୍ଦଖୋଳା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬ ବର୍ଷର ବାଳକ ଅସାବଧାନତାବଶତଃ ନିଜକୁ କାର୍ ଭିତରେ ବନ୍ଦ କରି ଦେବା ଫଳରେ ଶ୍ବାସରୁଦ୍ଧ ହୋଇ ତା’ର ମୃତ୍ୟୁ ହୋଇଛି। ମୃତ ନାବାଳକ ଜଣକ ହେଉଛି ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତ ପଥରାପଲ୍ଲୀ ଗ୍ରାମର ବିକ୍ରମ ପ୍ରଧାନଙ୍କ ପୁଅ ସାଇକ୍ରିଷ୍ଣା (୬)।

ସୂଚନାନୁସାରେ ସାଇକୁ ନେଇ ମା’ ସୁନିତା ତାଙ୍କ ଆଇଙ୍କ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହଳନ୍ଦାଖୋଳା ଗ୍ରାମକୁ ଆସିଥିଲେ। ଆଜି ଅପରାହ୍‌ଣରେ ଘରେ ସମସ୍ତେ ବ୍ୟସ୍ତ ଥିବା ସମୟରେ ସାଇ ଖେଳୁ ଖେଳୁ ଘର ପାଖରେ ଥିବା ଏକ କାର୍‌ର ଡୋର୍‌ ଖୋଲା ଥିବା ଦେଖି ଭିତରକୁ ପଶି ଯାଇଥିଲା। କିନ୍ତୁ ଭିତର ପଟୁ କବାଟ ହଠାତ୍ ଲକ୍ ହୋଇ ଯାଇଥିଲା। କାର୍‌ର ସବୁ ଡୋର୍‌ କାଚ ବନ୍ଦ ଥିଲା। ସେ ବାହାରିବା ପାଇଁ ବହୁ ପ୍ରୟାସ କରି ବିଫଳ ହୋଇଥିଲା। ଶେଷରେ ଶ୍ବାସରୁଦ୍ଧ ହୋଇଯିବାରୁ ଅଚେତ ହୋଇ ଯାଇଥିଲା। ସେପଟେ ବହୁ ସମୟ ଧରି ସାଇର ପତ୍ତା ନମିଳିବାରୁ ବ୍ୟସ୍ତ ବିବ୍ରତ ହୋଇ ମା’ ସୁନିତା ଓ ଅନ୍ୟ ସଂପର୍କୀୟମାନେ ଖୋଜ‌ାଖୋଜି କରିଥିଲେ। ପ‌ରେ କାର୍‌ ସିଟ୍ ଉପରେ ସାଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ସଂଗେ ସଂଗେ ତାକୁ ଭଞ୍ଜନଗର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ସାଇକୁ ଡାକ୍ତର ମୃତ ଘୋଷଣା କରିବା ପରେ ମା’ ସୁନିତା କାନ୍ଦି କାନ୍ଦି ଲୋଟି ପଡ଼ୁଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା। ସାଇକ୍ରିଷ୍ଣାଙ୍କ ଶବକୁ ଭଞ୍ଜନଗର ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ମୃତ ସାଇର ବାପା ବିକ୍ରମ ସୁରତଠାରେ ଫସି ରହିଥିବା ବେଳେ ୬ ବର୍ଷର ପୁଅକୁ ହରାଇ ସୁନିତା ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର