କଟକ : ଜାଇକାର ବେପରଓ୍ଵା କାମ ଯୋଗୁଁ କଟକରେ ଆଉ ଏକ ଜୀବନ ଯାଇଛି। ମାଲଗୋଦାମ ଥାନା ଯୋବ୍ରା ଫାଣ୍ଡି ସାମ୍ନାରେ ଜାଇକାର ମାଟି ବୋଝେଇ କରୁଥିବା ଏକ ଟ୍ରାକ୍ଟର ଚାପାରେ ଜଣେ ଶିଶୁର ଜୀବନ ଯାଇଛି। ମୃତ ୮ ବର୍ଷର ଶିଶୁ ଜଣକ ହେଉଛି ଚୂନଭାଟି ସାହି ବସ୍ତିର ପୀୟୂଷ ନାୟକ। ଏହି ଘଟଣାକୁ ନେଇ ଫାଣ୍ଡି ସାମ୍ନାରେ ପୋଡ଼ା ଜଳା ସହିତ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା ପ୍ରାୟ ଦୁଇ ଘଣ୍ଟା କାଳ ରାସ୍ତାରୋକ କରିଥିଲେ। କୌଣସି ପ୍ରତିଶ୍ରୁତି ନମିିଳିବାରୁ ମାଲ୍ଗୋଦାମ ଥାନାରେ ବସ୍ତି ବାସିନ୍ଦା ପହଞ୍ଚି ପାଟିତୁଣ୍ଡ କରିଥିଲେ । ସେଠି ତାଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ୧୦ ହଜାର ଟଙ୍କା କ୍ଷତି ପୂରଣ ଅର୍ଥ ପ୍ରଦାନ କରାଯିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା।
ମାଲ୍ଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ଚୂନ ଭାଟି ବସ୍ତିର ମୁନା ନାୟକ ଏବଂ ଲତା ନାୟକଙ୍କ ସାନ ପୁଅ ପୀୟୂଷ ଯୋବ୍ରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଥମ ଶ୍ରେଣୀରେ ପଢ଼ୁଥିଲା। ବଡମ୍ବା ମାଣିଆବନ୍ଧରେ ରହୁଥିବା ତା’ ଆଇ ଅସୁସ୍ଥ ହୋଇପଡ଼ିଥିବାରୁ ପରିବାର ସହିତ ତାଙ୍କୁ ଦେଖିବାକୁ ଯିବାକୁ ଥିବାରୁ ସେ ଆଜି ସ୍କୁଲ ଯାଇନଥିଲା । ଦିନ ପ୍ରାୟ ୧୧ଟା ବେଳେ ୫ ଜଣ ସାଙ୍ଗ ଯୋବ୍ରା ଫାଣ୍ଡି ସାମ୍ନାରେ ଗୁଡ଼ି ଉଡ଼ାଉଥିବା ବେଳେ ସେ ସେଠାକୁ ଆସିଥିଲା । ନିକଟରେ ଜାଇକା ପକ୍ଷରୁ ନିୟୋଜିତ ଟ୍ରାକ୍ଟର ମାଟି ଅନ୍ଲୋଡ୍ କରୁଥିବା ବେଳେ ସେଠି ପୀୟୂଷ ଛିଡ଼ା ହୋଇ ଗୁଡ଼ି ଉଡ଼ା ଦେଖୁଥିଲା। ଉକ୍ତ ଟ୍ରାକ୍ଟର(ଓଆର୍ ୦୫ଏପି ୪୨୨୮)ରେ ମାଟି ଅନ୍ଲୋଡ୍ ହେଉଥିବା ବେଳେ ହଠାତ୍ ଡାଲାର ଚକା ଦବି ଯାଇଥିଲା। ଫଳରେ ମାଟି ବୋଝେଇ ଟ୍ରାକ୍ଟର ଡାଲାଟି ପୀୟୂଷ ଉପରେ ଓଲଟି ପଡ଼ିଥିଲା। ଫଳରେ ପୀୟୂଷ ଡାଲା ତଳେ ଚାପି ହୋଇଯାଇଥିଲା। ଦୁର୍ଘଟଣା ଘଟିବା ପରେ ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର୍ ଫେରାର ହୋଇଯାଇଥିଲା।
ଦୁର୍ଘଟଣା ଖବର ପାଇ ପରିବାର ଲୋକେ ସେଠି ପହଞ୍ଚିଲା ବେଳକୁ ପୀୟୂଷର ପ୍ରାଣ ଚାଲି ଯାଇଥିଲା। ମାଲ୍ଗୋଦାମ ଥାନା ପୁଲିସ ପହଞ୍ଚି ପୀୟୂଷକୁ ଉଦ୍ଧାର କରିବା ପରେ ବଡ଼ ମେଡିକାଲ୍ରେ ବ୍ୟବଚ୍ଛେଦ କରାଯାଇଥିଲା। ସନ୍ଧ୍ୟାରେ ଯୋବ୍ରା ମାଛ ମାର୍କେଟସ୍ଥିତ ଫରେଷ୍ଟ ଅଫିସ୍ ସାମ୍ନା ପଡ଼ିଆରେ ଅନ୍ତିମ ସଂସ୍କାର କରାଯାଇଥିଲା। ମୃତ ପୀୟୂଷର ବାପା ମୁନା ମାଛୁଆ ବଜାର ଅଞ୍ଚଳରେ ଏକ ନର୍ସିଂ ହୋମ୍ରେ କାର୍ଯ୍ୟ କରୁଥିବା ବେଳେ ମା’ ରେଭେନ୍ସା ହଷ୍ଟେଲ୍ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଛନ୍ତି।