ଓଏସ୍‌ସିପିସିଆର ସର୍ଭେ ରିପୋର୍ଟରେ ଆସିଲା ସାଂଘା‌ତିକ ତଥ୍ୟ: ଶିଶୁ ଶ୍ରମିକ, ବାଲ୍ୟ ବିବାହ ବଢ଼ିଛି!

ସ୍କୁଲ ଫେରିବାକୁ ୮୫% ଛାତ୍ରଛାତ୍ରୀ ବ୍ୟାକୁଳ, ଶୋଷଣ ଓ ହିଂସାର ଶିକାର ହେଉଛନ୍ତି ପିଲା

ଭୁବନେଶ୍ବର: ରାଜ୍ୟରେ ବାଲ୍ୟ ବିବାହ ଓ ମାନବ ଚାଲଣ ଭଳି ସମସ୍ୟା ବୃଦ୍ଧି ପାଇଛି। ଶିଶୁ ଶ୍ରମିକ ଭାବେ ବହୁ ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦିଆଯାଇଛି। ଯେଉଁମାନେ କି ଶୋଷଣ ଓ ହିଂସାର ଶିକାର ହୋଇଛନ୍ତି। ୟୁନିସେଫ୍‌, ସେଭ୍‌ ଦି ଚିଲଡ୍ରେନ୍‌ ଓ ଚାଇଲ୍ଡ ଲାଇନ୍‌ ସହଯୋଗରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁ‌ରକ୍ଷା ଆୟୋଗ(ଓଏସ୍‌ସିପିସିଆର) ପକ୍ଷରୁ କରୋନା ସମୟରେ କରାଯାଇଥିବା ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୧୮ ବର୍ଷରୁ କମ୍‌ ବୟସର ପିଲାମାନେ ବିବାହ କରୁଥିବା ନେଇ ସର୍ଭେ ହୋଇଥିବା ପିଲାଙ୍କ ମଧ୍ୟରୁ ପ୍ରାୟ ୮% ଶିଶୁ ଦେଖିଥିବା କହିଛନ୍ତି। ‌ସେହିପରି ଅନ୍ୟ ପିଲାମାନଙ୍କୁ ଚୋରା ଚାଲଣ ହେଉଥିବା ସମୟରେ ପ୍ରାୟ ୧୨% ପିଲା ଶୁଣିଛନ୍ତି କିମ୍ବା ଦେଖିଛନ୍ତି। ଏମିତିକି ଶିଶୁ ଶ୍ରମିକ କାର୍ଯ୍ୟକଳାପରେ ନିୟୋଜିତ ପ୍ରାୟ ୪% ପିଲା ଶୋଷଣ କିମ୍ବା ହିଂସାର ଶିକାର ହୋଇଥିବା ନେଇ ‌ରିପୋର୍ଟରେ ଉଲ୍ଲେଖ ହୋଇଛି। ଦୁର୍ବ୍ୟବହାର ଓ ହିଂସା ବିରୋଧରେ ଥିବା ନିୟମ ବିଷୟରେ ମାତ୍ର ୪୦% ଅଭିଭାବକ ଅବଗତ ଥିବା ଜଣାପଡ଼ିଛି।

୨.୫% ଆଦୌ ସ୍କୁଲ ଯାଇନାହାନ୍ତି, ୨% ଡ୍ରପ୍‌ଆଉଟ୍‌

୨୦୨୦ କରୋନା ସମୟରେ ବହୁ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଥିବା ନଜରକୁ ଆସିଛି। ୩୦ଟି ଜିଲ୍ଲାରେ ସର୍ଭେ କରାଯିବା ସମୟରେ ଦେଖିବାକୁ ମିଳିଥିଲା ଯେ ୨.୫% ପିଲା ଆଦୌ ସ୍କୁଲରେ ନାମ ଲେଖାଇ ନାହାନ୍ତି। ଦୁଇ ପ୍ରତିଶତ ପିଲା ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ଯଦି ଏହି ହିସାବ ଆଧାରରେ ବିଚାର କରାଯାଏ ତେବେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଲକ୍ଷାଧିକ ପିଲା ଅଧାରୁ ପାଠ ଛାଡ଼ିଛନ୍ତି। ସେମାନେ ଆଉ ସ୍କୁଲକୁ ଆସିବେ କି ନାହିଁ ତାହା ବି ଜଣାପଡ଼ୁନି। କାରଣ ଏପର୍ଯ୍ୟନ୍ତ ବି ପ୍ରାଥମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ ଖୋଲି ନାହିଁ। ତେଣୁ ଡ୍ରପ୍‌ ଆଉଟ୍‌ ସଂଖ୍ୟା ଆହୁରି ବଢ଼ିଥିବା ଅନୁମାନ କରାଯାଉଛି। କରୋନା ସମୟରେ ମଧ୍ୟାହ୍ନଭୋଜନ ବାବଦରେ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।

ଅନ୍‌ଲାଇନ୍‌ ଶିକ୍ଷାର ପ୍ରକୃତ ଚିତ୍ର ଏବେ ସାମ୍ନାକୁ ଆସିଛି। କରୋନା କାଳରେ ୩୮.୭% ଛାତ୍ରଛାତ୍ରୀ ଇଲେକଟ୍ରୋନିକ୍ସ ସାମଗ୍ରୀ ମାଧ୍ୟମରେ ଅନ୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରିଛନ୍ତି। ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୬% ପିଲା ମୋବାଇଲ୍‌ ମାଧ୍ୟମରେ ଅନ୍‌ଲାଇନ୍‌ କ୍ଲାସ କରୁଥିବା ଜଣାପଡ଼ିଛି। ୩୬ରୁ ୩୮ ପ୍ରତିଶତ ପିଲାଙ୍କ ଅଭିଭାବକଙ୍କର ଗୋଟିଏ ମାତ୍ର ମୋବାଇଲ୍‌ ଥିବାରୁ ଅନ୍‌ଲାଇନ୍‌ କ୍ଲାସ କରିବା ସମ୍ଭବପର ହୋଇ ନ ଥିଲା। ୫% ପିଲାଙ୍କର ବିଜୁଳି ସମସ୍ୟା ରହିଥିଲା। ବିଶେଷକରି ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ୍‌ରେ ଏହି ସମସ୍ୟା ଅଧିକ ରହିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ମାତ୍ର ୬ରୁ ୭ ପ୍ରତିଶତ ପିଲା ଅନ୍‌ଲାଇନ୍‌ କ୍ଲାସରେ ଭାଗ ନେବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ‌ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର