ରାଉରକେଲା: ଥମି ଯାଇଛି ଅପରେସନ୍ ମୁସ୍କାନ୍। ଚୁପ୍ ବସିଛି ଶ୍ରମ ବିଭାଗର ସ୍ବତନ୍ତ୍ର ସ୍କ୍ୱାର୍ଡ। ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ବି ହାତ ଟେକି ଦେଇଛି। ଫଳରେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ବଢ଼ି ଚାଲିଛି ବାଳ ଶ୍ରମିକଙ୍କ ସଂଖ୍ୟା। ହୋଟେଲ, ଢ଼ାବା, ଫାଷ୍ଟଫୁଡ୍, ଜଳଖିଆ ଦୋକାନ, ଚା’ ଦୋକାନ, ମୋଟର ଗ୍ୟାରେଜ୍ ଏପରିକି କୋଠାବାଡି କାମରେ ନିୟୋଜିତ ହେଉଛନ୍ତି ବାଳ ଶ୍ରମିକ।
Sambad is now on WhatsApp
Join and get latest news updates delivered to you via WhatsApp
ମହାମାରୀ କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ରହିଥିବାରୁ ଘରେ ବସିଥିବା କିଛି ସ୍କୁଲ ପିଲା ମଧ୍ୟ ହୋଟେଲ, ଢ଼ାବା,ଚା’ ଦୋକାନରେ କାମ କରୁଛନ୍ତି। ମାଲିକମାନେ ସ୍ବଳ୍ପ ଦରମାରେ ଏମାନଙ୍କୁ ଦିନ ରାତି କ୍ରିତଦାସ ପରି ଖଟାଉଛନ୍ତି। ବାସନ ମଜା ଠାରୁ ଆରମ୍ଭ କରି ଅଇଁଠା ଉଠାଇବା କାମରେ ବ୍ୟବହାର କରୁଛନ୍ତି। ଜିଲ୍ଲାର ସୁନ୍ଦରଗଡ, ସ୍ମାର୍ଟସିଟି ରାଉରକେଲା ସମେତ ଅଧିକାଂଶ ବ୍ଳକର ପ୍ରମୁଖ ବଜାର, ଜାତୀୟ ଓ ରାଜ୍ୟ ପଥ କଡରେ ଥିବା ଢ଼ାବାରେ ଏମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖଟାଉଛନ୍ତି। ଏସବୁ ହୋଟେଲ, ଢ଼ାବାରେ ବଡ ବଡିଆ ପ୍ରଶାସନିକ ଅଧିକାରୀ, ପୁଲିସବାବୁ ବସି ଖାଉଛନ୍ତି। ବାଳ ଶ୍ରମିକଙ୍କ ଦ୍ବାରା ପରସା ଯାଉଥିବା ଖାଦ୍ୟର ବେଶ୍ ମଜା ଉଠାଉଛନ୍ତି। କିନ୍ତୁ ଏମାନଙ୍କ ଦୁଃଖ ବୁଝିବାକୁ ଯେମିତି ଏମାନଙ୍କ ପାଖରେ ସମୟ ନାହିଁ। ‘ଓଲଟା କହୁଛନ୍ତି, ଅଭିଯୋଗ ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ।’ ତେବେ ପୁଲିସ, ଶ୍ରମ ବିଭାଗ ଓ ସିଡବ୍ଲ୍ୟୁସିର ଏଭଳି ଅବହେଳା ଯୋଗୁଁ ଦୈନନ୍ଦିନ ଜିଲ୍ଲାର ଶହ ଶହ ନାନା ନିର୍ଯ୍ୟାତନାର ଶିକାର ହେଉଛନ୍ତି।
ରାଉରକେଲାର ଛେଣ୍ଡ ଭିଏସ୍ଏସ୍ ମାର୍କେଟ, କଳିଙ୍ଗ ବିହାର, ବାସନ୍ତି କଲୋନି, ଉଦିତନଗର, ଏସ୍ଟିଆଇ, ପାନପୋଷ, ପାନପୋଷ ଏନ୍ଏସସି ମାର୍କେଟ, ଫର୍ଟିଲଇଜର, ମଡର୍ଣ୍ଣଇଣ୍ଡିଆ, ଜଲଦା, ଲାଠିକଟା ଥିବା ଫାଷ୍ଟଫୁଡରେ ଶିଶୁମାନଙ୍କୁ କାମ କରାଉଛନ୍ତି। ସାରନଗରୀ ରାସ୍ତାକଡ ଢ଼ାବା, ଚା’ ଦୋକାନରେ ମାଲିକମାନେ ଶିଶୁମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଛନ୍ତି। ଅନୁରୂପ ଭାବେ ରାଉରକେଲାର ଡେଲିମାର୍କେଟ, ସେକ୍ଟର-୨୧ ନୟାବଜାର, ସେକ୍ଟର-୨ ଏନ୍ଏସି ମାର୍କେଟ, ସେକ୍ଟର-୧୯ ଇସ୍ପାତ ମାର୍କେଟ ଫୁଡ୍ କୋର୍ଟ, ସେକ୍ଟର-୯, ସେକ୍ଟର-୧୬, ସେକ୍ଟର-୧୮, ଝିରପାଣି, ଜଗଦା ଆଦି ହୋଟେଲ, ଢ଼ାବା, ଫାଷ୍ଟଫୁଡ୍, ଜଳଖିଆ ଦୋକାନ ଶିଶୁମାନଙ୍କୁ କରାଯାଉଛି। ଅନୁରୂପ ଭାବେ ନୂଆବସ୍ଷ୍ଟାଣ୍ଡ, ଷ୍ଟେସନ ନିକଟରେ ସେହି ସମାନ ସ୍ଥିତି। ମହାମାରୀ କରୋନା ଭଳି ଜଟିଳ ସମୟରେ ଏସବୁ ମାଲିକମାନେ ମାନବିକତା ଭୁଲି ଯାଇଛନ୍ତି। ଆର୍ଥିକ ଲୋଭ ଦେଖାଇ ବାଳ ଶ୍ରମିକଙ୍କୁ କାମରେ ଲଗାଉଛନ୍ତି। ଜିଲ୍ଲାରେ ଏଭଳି ସ୍ଥିତି ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିପ୍ରତି ଜିଲ୍ଳାପାଳ ପ୍ରାଥମିକତ ଦେବାକୁ ଦାବି ହେଉଛି।
ସୂଚନାଯୋଗ୍ୟ, ଗତ ୨୦୧୬ ଅଗଷ୍ଟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୦୬ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କ ମାତାପିତା ଓ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅନୁରୂପ ଭାବେ ୨୦୧୫ ଅଗଷ୍ଟ ମାସରେ ଅପରେସନ୍ ମୁସ୍କାନ୍ -୧ ଆରମ୍ଭ କରାଯାଇଥିଲା। ପୁଲିସ ହୋଟେଲ, ଦୋକାନ, ଘର, ଇଟା କାରଖାନାରେ ଚଢ଼ଉ କରି ୨୬ରୁ ଅଧିକ ବାଳ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ୨୦୧୬ ଜାନୁଆରୀରେ ଅପରେସନ୍ ସ୍କାଇଲ୍ରେ ଆରମ୍ଭ ହୋଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩୩ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଜିଲ୍ଳାରେ ଅପରେସନ୍ ମୁସ୍କାନ -୨ କରାଯାଇ ଜିଲ୍ଲାର ୧୦୬ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ୨୭ରୁ ଅଧିକ ଶିଶୁଙ୍କୁ ରାଜ୍ୟ ବାହାରୁ ଉଦ୍ଧାର କରାଯାଇଥିଲା।