ସରକାରୀ ଅଧିକାରୀଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

ପୁରୀ/ନିମାପଡ଼ା: ଘରେ ଶିଶୁ ଶ୍ରମିକ ରଖିଥିଲେ ସରକାରୀ ଅଧିକାରୀ। କେବଳ ରଖି କାମ କରାଉନଥିଲେ ବରଂ କାମ ନ କଲେ ପିଟୁଥିଲେ। ଏଭଳି ଶିଶୁ ନିର୍ଯାତନାର ଖବର ପାଇ ପୁରୀ ସିଡବ୍ଲୁସି ହସ୍ତକ୍ଷେପ କରିଛି। ସିଡବ୍ଲୁସିର ନିର୍ଦ୍ଦେଶ ପରେ ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ରଙ୍କ ସହାୟତାରେ ଚାଇଲ୍ଡ ଲାଇନ୍‌ ସମ୍ପୃକ୍ତ ମହିଳା ଅଧିକାରୀଙ୍କ ଘରୁ ଶିଶୁ ଶ୍ରମିକକୁ ଉଦ୍ଧାର କରିଛି। ଉଦ୍ଧାର ଶିଶୁ ଶ୍ରମିକକୁ ଚାଇଲ୍ଡ ଲାଇନ୍‌ କାଉନ୍‌ସେଲିଂ କରିବା ପରେ ସିଡବ୍ଲୁସିକୁ ରିପୋର୍ଟ ଦେବ। ରିପୋର୍ଟ ଆଧାରରେ ସମ୍ପୃକ୍ତ ମହିଳା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।

ଓଡ଼ିଶା ଜୀବିକା ମିସନ୍‌ର ନିମାପଡ଼ା ବ୍ଲକ ‌ପ୍ରକଳ୍ପ ପରିଚାଳିକା ମଧୁଛନ୍ଦ‌ା ମିଶ୍ର ଅନୁଗୁଳ ଛେଣ୍ଡିପଦାରୁ ଜଣେ ୧୬ ବର୍ଷ ବୟସ୍କା ଶିଶୁଙ୍କୁ ୩ ମାସ ହେବ ଆଣି ନିଜଘରେ ରଖିବା ସହ କାମ କରାଉଥିବା ଅଭିଯୋଗ ରହିଥିଲା। ଏ ନେଇ ପୁରୀ ସିଡବ୍ଲୁସି(ଶିଶୁ ମଙ୍ଗଳ ସମିତି) ଖବର ପାଇବା ପରେ ସଦସ୍ୟ ରମାଶଙ୍କର ପାତ୍ର, ସୁଚେତା ଦାସ ଓ ଶକ୍ତିପାଦ ମିଶ୍ର ସମ୍ପୃକ୍ତ ଶିଶୁକୁ ଉଦ୍ଧାର କରିବା ପାଇଁ ଚାଇଲ୍ଡ ଲାଇନ୍‌କୁ ଚିଠି ଲେଖିଥିଲେ। ଏହିକ୍ରମରେ ଶିଶୁଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶିଶୁ ଶ୍ରମିକ ରଖିବା ଅପରାଧ ହୋଇଥିବାରୁ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ନିଶ୍ଚିତ ହୋଇଛି। ‌ତେବେ ସମ୍ପୃକ୍ତ ଅଭିଯୁକ୍ତ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ କରିବା ପାଇଁ ବିଭିନ୍ନ ମହଲରୁ ଚାପ ପଡ଼ିଛି।

ସମ୍ବନ୍ଧିତ ଖବର