ଏନ୍‌ଆଇସି ଅଫିସରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

ଗୋଟିଏ ଦିନରେ ୫ ଶିଶୁ ଶ୍ରମିକ ଉଦ୍ଧାର; ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ

କେନ୍ଦୁଝର : କେନ୍ଦୁଝର ସହରରୁ ପୃଥକ ପୃଥକ ସ୍ଥାନରୁ ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶିଶୁ ଶ୍ରମିକଙ୍କୁ କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର ହେବା ଘଟଣା ଜିଲ୍ଲାରେ ଚର୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଏନ୍‌ଆଇସି ଅଫିସର ଅଜୟ ମହାପାତ୍ରଙ୍କ ସମେତ ମାଗୁରଗାଡିଆର ଦୀପୁ ଲାଲ୍‌, ବଣିଆପାଟର ଭାଗିରଥୀ ହେମ୍ବ୍ରମ୍‌ ଏବଂ ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ଘରେ ଶିଶୁ ଶ୍ରମିକ କାମ କରୁଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଖବର ମିଳିଥିଲା। ଶିଶୁ ମଙ୍ଗଳ ବିଭାଗ, ଜିଲ୍ଲା ଶ୍ରମ ବିଭାଗ, ପୁଲିସ ଏବଂ ଚାଇଲଡ୍‌ ଲାଇନର ସଦସ୍ୟମାନେ ଏନ୍‌ଆଇସି ଅଫିସର ଶ୍ରୀ ମହାପାତ୍ରଙ୍କ ବାସଭବନ ସମେତ ଅନ୍ୟ ସ୍ଥାନରେ ଚଢଉ କରି ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଏହି ଶିଶୁ ଶ୍ରମିକମାନଙ୍କୁ ଘରେ ଅଇଁଠା ବାସନ ମାଜିବାଠୁ ଆରମ୍ଭ କରି ଲୁଗାଧୂଆ, ଘର ଓଳେଇବା ଆଦି କାର୍ଯ୍ୟରେ ନିୟୋଜିତ କରାଯାଉଥିଲା।

ଏନ୍‌ଆଇସି ଅଫିସର ଶ୍ରୀ ମହାପାତ୍ରଙ୍କ ଘରୁ ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକର ଘର ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବା ବେଳେ ସେ ବର୍ଷେ ହେଲା ଶ୍ରୀ ମହାପାତ୍ରଙ୍କ ଘରେ ରହି କାମ କରୁଥିବା ପ୍ରକାଶ କରିଛି। ସେହିପରି ମାଗୁରଗାଡିଆର ଦୀପୁ ଲାଲ୍‌ଙ୍କ ଘରୁ ଜଣେ, ବଣିଆପାଟର ଭାଗିରଥୀ ହେମ୍ବ୍ରମ୍‌ଙ୍କ ଘରୁ ୨ ଜଣ ଏବଂ ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ଘରୁ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକଙ୍କୁ ଓପନ୍‌ ସେଲଟର୍‌ ହୋମ୍‌ରେ ରଖାଯାଇଛି। ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଡାକ୍ତର ଏନ୍‌.ତିରୁମାଲା ନାଏକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର