ପୁରୀ: ମେଳାରେ ମାଳମାଳ ଶିଶୁ ଶ୍ରମିକ

୫ଜଣଙ୍କୁ ଉଦ୍ଧାର କଲା ପୁଲିସ୍‌

ପୁରୀ : ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି। ରଥାରୂଢ଼ ପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଏଣେ ରଥଯାତ୍ରା ପରିପ୍ରେକ୍ଷୀରେ ଆରମ୍ଭ ହୋଇଯାଇଛି ମେଳା। ଗୁଣ୍ଡିଚା ମନ୍ଦିର ନିକଟରୁ ନେଇ ବଡ଼ଶଙ୍ଖ ପର୍ଯ୍ୟନ୍ତ ପଡ଼ିଥିବା ଷ୍ଟଲ୍‌ ସମେତ ପଲ୍ଲିଶ୍ରୀ ମେଳାରେ ବିକ୍ରିବଟା ଆରମ୍ଭ ହୋଇଛି। ରାସ୍ତାକଡ଼ରେ ବି ବ୍ୟବସାୟୀଙ୍କ ଭିଡ଼ ଜମିଛି। ତେ‌ବେ ରାଜସ୍ଥାନରୁ ଆସିଥିବା କିଛି ବଞ୍ଜାରା ଶିଶୁଙ୍କୁ ବେଲୁନ ଓ ଖେଳଣା ବିକ୍ରି କରୁଛନ୍ତି। ଏନେଇ ସମ୍ପୃକ୍ତ ଶିଶୁମାନଙ୍କୁ ପଚାରିବାରେ ଜଣାପଡ଼ିଛି, ସେମାନଙ୍କ ପିତାମାତାମାନେ ହିଁ ସେମାନଙ୍କ ହାତରେ ବେଲୁନ କିମ୍ବା ଖେଳଣା ଧରାଇ ବିକ୍ରି ପାଇଁ ପଠାଇଛନ୍ତି। ଗୋଟେ ପଟେ ଶିଶୁ ଯତ୍ନ ଓ ସୁରକ୍ଷା ନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଦ୍ବାରା ବିଭିନ୍ନ ଷ୍ଟଲ୍‌ରେ ଶିଶୁ ଶ୍ରମିକ ବିରୋଧରେ ସଚେତନତା କରାଯାଉଛି। ହେଲେ ଘନଘନ ସଚେତନ କରାଯାଉଥିବା ମେଳା ମଧ୍ୟରେ ପିଲାମାନେ ନିଜ ପେଟକୁ ଦାନା ଯୋଗାଡ଼ିବାକୁ ପସରା ମେଲାଇବାକୁ ବାଧ୍ୟ ହେଉଛନ୍ତି। କେବଳ ବଞ୍ଜାରାମାନେ ନୁହଁନ୍ତି, ବରଂ ନିଜ ସମ୍ପର୍କୀୟଙ୍କ ସାଙ୍ଗରେ କିଛି ଶିଶୁ ଦୀପ ବିକ୍ରି କରୁଛନ୍ତି। ଭକ୍ତମାନଙ୍କ ପଛରେ ଦୌଡ଼ି ସେମାନଙ୍କୁ ଦୀପ କିଣିନେବାକୁ ନିବେଦନ କରୁଛନ୍ତି। ଶିଶୁଙ୍କ କ୍ଷେତ୍ରରେ ଏଭଳି ବିକଳ ଚିତ୍ର ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁଠି ପିଲାଙ୍କ ହାତ ଧରି ଶିଶୁମାନେ ରଥଯାତ୍ରା ମେଳା ବୁଲି ଉପଭୋଗ କରୁଛନ୍ତି, ସେଠାରେ କିଛି ଶିଶୁ ସେମାନଙ୍କ ପରିବାର ସହ ପେଟ ପାଇଁ ସଂଘର୍ଷ କରୁଛନ୍ତି। କିଛି ବଞ୍ଜାରା ଶିଶୁଙ୍କ କହିବା ମୁତାବକ, ସେମାନେ ରଥଯାତ୍ରା ପୂର୍ବରୁ ନିଜ ପିତାମାତାଙ୍କ ସାଙ୍ଗରେ ଆସି ରୁହନ୍ତି। ନିଜ ଅଞ୍ଚଳର ସ୍କୁଲ୍‌ରେ କିଛି ପିଲା ପାଠ ମଧ୍ୟ ପଢ଼ନ୍ତି ବୋଲି କହୁଛନ୍ତି। ମାତ୍ର ରଥଯାତ୍ରା‌ରେ ଯେ ସେମାନେ ନିଜ ପେଟ ଚାଖଣ୍ଡକ ପାଇଁ ଶ୍ରମିକ ଭାବେ ନିୟୋଜିତ ହୋଇଛନ୍ତି ତାହା ସ୍ପଷ୍ଟ ଅନୁମେୟ।

ଗତକାଲି ପୁଲିସ୍‌ ୫ ଜଣ ବଞ୍ଜାରା ଶିଶୁଙ୍କୁ ବିକ୍ରିବଟା କରୁଥିବା ବେଳେ ଉଦ୍ଧାର କରି ନେଇ ଶିଶୁ ଯତ୍ନ ଅନୁଷ୍ଠାନକୁ ହସ୍ତାନ୍ତର କରିଥିଲେ। ମାତ୍ର କିଛି ସମୟ ପରେ ସେମାନଙ୍କ ପିତାମାତା ଆସି ସେମାନଙ୍କୁ ନେଇ ଯାଇଥିଲେ। କେବଳ ଚେତାବନୀ ଦେଇ ଛାଡ଼ିବା ଛଡ଼ା ଅନ୍ୟ ନ୍ୟାୟିକ ପଦକ୍ଷେପ ନେବାରେ ଯେମିତି ପୁଲିସ୍‌ ଓ ସରକାରୀ ବ୍ୟବସ୍ଥା ନାଚାରା ହୋଇ ପଡ଼ିଛି। ଥାନା ବାବୁଙ୍କ ତାଗିଦ୍‌ ଓ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ କାଉନ୍‌ସେଲିଂ ସତ୍ତ୍ବେ ସେମାନେ ପୁଣି ନିଜ ପିଲାମାନଙ୍କୁ ବ୍ୟବସାୟରେ ସମ୍ପୃକ୍ତ କରୁଛନ୍ତି।

୫୪ ଜଣ ନିଖୋଜ ଶିଶୁଙ୍କୁ ପିତାମାତାଙ୍କୁ ହସ୍ତାନ୍ତର
ରଥଯାତ୍ରା ବେଳେ ୫୪ ଜଣ ଶିଶୁ ନିଖୋଜ ହୋଇଯିବା ପରେ ବିଭିନ୍ନ ସୂଚନାକେନ୍ଦ୍ର ଏବଂ ଶିଶୁ ମଙ୍ଗଳ କମିଟି ସହାୟତାରେ ସେମାନଙ୍କ ପିତାମାତାଙ୍କ ସହ ଯୋଗସୂତ୍ର କରାଯାଇ ସେମାନଙ୍କୁ ଫେରାଇ ଦିଆଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀଙ୍କ ସୂଚନା ମୁତାବକ, ପିଲାମାନେ ହଜିବା ସ୍ଥଳରୁ ହିଁ ସେମାନଙ୍କ ପିତାମାତାଙ୍କୁ ଡକାଇ ଫେରାଇ ଦିଆଯାଇଥିଲା। ତେବେ ୭ ଜଣଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇ ପରବର୍ତ୍ତୀ ସମୟରେ ହସ୍ତାନ୍ତର କରାଯାଇଛି। ଏହାବ୍ୟତୀତ ଆଜି ମଧ୍ୟ ୨୫ରୁ ଅଧିକ ଶିଶୁ ହଜିଯିବା ପରେ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି। ସ୍ବେଚ୍ଛାସେବୀମାନେ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଜରିଆରେ ଚେନ୍‌ ସିଷ୍ଟମରେ ଯୋଗସୂତ୍ର ସ୍ଥାପନ କରି କଣ୍ଟ୍ରୋଲରୁମ୍‌ର ସହାୟତା ନେଇ ପିଲାମାନଙ୍କୁ ସେମାନଙ୍କ ଅଭିଭାବକଙ୍କ ନିକଟରେ ପହଞ୍ଚାଇବାରେ ସଫଳ ହୋଇ ପାରିଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର