କାର୍ଯ୍ୟକାରୀ ହେଉନି ଶିଶୁ ଶ୍ରମିକ ଅଧିକାର ଆଇନ୍ : ରେଳଧାରଣାରେ ରଙ୍ଗ ବୋଳୁଛନ୍ତି ଶିଶୁ ଶ୍ରମିକ

ନିରାକାରପୁର : ହାତରେ ବହି ବସ୍ତାନୀ ଧରି ବିଦ୍ୟାଳୟକୁ ଯିବା ବୟସରେ ହାତରେ ଆଲ୍‌କାତରା ଓ ତୁଳୀ ଧରି ଜୀବନ ଜିଉଁଛନ୍ତି କୋମଳମତି ଶିଶୁ। ସରକାରଙ୍କ ‘ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ ’ ଯୋଜନା ଏହି ଶିଶୁମାନଙ୍କୁ ଦେଖିଲେ ଉପହାସ ପରି ମନେ ହେଉଛି। ପରିବାରର ପେଟ ପୋଷିବା ପାଇଁ କୋମଳମତି ଶିଶୁମାନେ ପାଠପଢ଼ା ଛାଡ଼ି ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ନିରାକାରପୁର ଲେବୁଲ୍ କ୍ରସିଂଠାରୁ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରେଳ ଧାରଣାରେ ଶିଶୁ ଶ୍ରମିକମାନେ ଆଲ୍‌କାତରା ବୋଳୁ ଥିବା ନ ଦେଖିଲେ କେହି ଏହାକୁ ବିଶ୍ବାସ କରିବେ ନାହିଁ। ଅପରପକ୍ଷେ ଶିଶୁ ଶ୍ରମିକ ନିର୍ଯାତିତ ହେଉଥିବା ବେଳେ ଶ୍ରମ ଅଧିକାର ଅନ୍ୟ ଉପରେ ଦୋଷ ଦେଇ ଖସିଯିବାକୁ ଉଦ୍ୟମ କରିବା ଆମ ରୁଗ୍‌ଣ ମାନସିକତାକୁ ଦର୍ଶାଉଛି।

ଦିନ ଦ୍ବିପ୍ରହର ସମୟରେ ୨ଜଣ ୧୪ରୁ ୧୫ ବର୍ଷର ନାବାଳିକା ଏହି ରଙ୍ଗବୋଳା କାର୍ଯ୍ୟରେ ଲାଗି ପଡ଼ିଥିଲେ। ସେମାନଙ୍କର ପରିଚୟ ପଚାରିବାରୁ ସେମାନେ କହିବାକୁ କୁଣ୍ଠାବୋଧ କରିଥିଲେ। ତେବେ ଉଭୟଙ୍କ ଘର କୋରାପୁଟ ଅଞ୍ଚଳରେ ବାଲି ଜଣାପତିଛି। ପଢାବୟସରେ ଏଭଳି କାର୍ଯ୍ୟକରିବା ସମ୍ପର୍କରେ ପଚାରିବାରେ ନାବାଳିକା ଦୁଇଜଣ କିଛି କହିବା ପୂର୍ବରୁ ନିକଟରେ ଥିବା ମହିଳାଜଣକ ପାଠପଢିବା ପାଇଁ ଗଲେ ପରିବାର କିପରି ଚଳିବ ଓ ପେଟକୁ କିପରି ଦାନା ମିଳିବ ବୋଲି ପାଲଟା ପ୍ରଶ୍ନ କରିଥିଲେ। ସରକାର ଶିକ୍ଷା ଆଇନ୍ ବଳରେ ସମସ୍ତଙ୍କୁ ପାଠ ପଢାଇବା ସହ ଅଧାରୁ ପାଠ ଛାଡ଼ୁଥିବା, ପାଠ ପଢ଼ି ନଥିବା ପିଲାଙ୍କୁ ଚିହ୍ନଟ କରି ସ୍ବତନ୍ତ୍ରଭାବେ ପାଠ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ମାତ୍ର ଏମାନେ ପେଟ ଚାଖଣ୍ତକ ପାଇଁ କୋରାପୁଟରୁ ଆସି ଏହି ଶିଶୁ ଶ୍ରମିକମାନେ ଛାଡି ବିପଦସଂକୁଳ ରେଳଧାରଣାରେ ବଞ୍ଚାବାର ରାହା ଖୋଜୁଛନ୍ତି। ଏଥିରୁ ସରକାରଙ୍କ ଯୋଜନା କେତେ ଫଳପ୍ରଦ ତାହା ସ୍ପଷ୍ଟ ଅନୁମେୟ।

କଙ୍କଡ଼ାକୁ ଗୋଳିପାଣି ସୁହାଇବା ସଦୃଶ ଲାଭଖୋର ଠିକାଦାରମାନେ ଅଳ୍ପ ପାରିଶ୍ରମିକ ଦେଇ ଏମାନଙ୍କୁ ଦିନ ତମାମ୍‌ ଖଟାଉଥିବା ଦେଖାଯାଇଛି। ଖାଲିସେତିକି ନୁହେଁ, ରେଳବିଭାଗ ଭଳି ଦାୟିତ୍ବ ସମ୍ପନ୍ନ ବିଭାଗରେ ଏଭଳି କାର୍ଯ୍ୟ ସ୍ପଷ୍ଟ ଦିବାଲୋକରେ ଚାଲୁଥିଲେ ସୁଦ୍ଧା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁନାହିଁ। ଏନେଇ ବାଲୁଗାଁ ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କୁ ପଚାରିବାରେ ଏଭଳି କାର୍ଯ୍ୟ ଦେଖିବା ରେଳବିଭାଗ ଶ୍ରମ ଅଧିକାରୀଙ୍କ କାର୍ଯ୍ୟ ବୋଲି କହିଥିଲେ। ତେବେ ଶିଶୁ ଶ୍ରମିକ ଆଇନ୍‌କୁ କଡ଼ାକଡ଼ି କରିବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର