ପିଲାଚୋରି ଗୁଜବ : ଅଚିହ୍ନା ଲୋକଙ୍କୁ ଆକ୍ରମଣ
ଡିଜିଙ୍କ ଚେତାବନୀ: ଆଇନ ହାତକୁ ନିଅନି
ଭୁବନେଶ୍ୱର : ଗତ ଏକ ସପ୍ତାହେ ହେବ, ସାରା ରାଜ୍ୟରେ ପିଲାଚୋରିକୁ ନେଇ ଭୟର ବାତାବରଣ ଦେଖାଦେଇଛି। ସୋସିଆଲ ମିଡିଆରେ ଖେଳି ଯାଇଥିବା ଏକ ଗୁଜବ ରାଜ୍ୟରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ବିଭିନ୍ନ ସ୍ଥାନରେ ଲୋକମାନେ ସନ୍ଦିଗ୍ଧମାନଙ୍କୁ ମାଡ଼ ମାରି ଲହୁଲୁହାଣ କରୁଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ଏକ ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଗଣମାଧ୍ୟମକୁ କହିଛନ୍ତି, ଏହା ଏକ ଗୁଜବ। ଏଭଳି ଗୁଜବ ପ୍ରତି ଆଦୌ ଧ୍ୟାନ ଦିଅନ୍ତୁ ନାହିଁ। ଯଦି କେହି ଆଇନକୁ ହାତକୁ ନେଇ କୌଣସି ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରନ୍ତି, ସେମାନଙ୍କ ବିରୋଧରେ ପୁଲିସ ପକ୍ଷରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଏକ ସପ୍ତାହ ହେବ ବିଭିନ୍ନ ସୋସିଆଲ ମିଡିଆରେ କେତେକ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କ ଫଟୋ, ଭିଡିଓ ଆଦି ସୋସିଆଲ ମିଡିଆରେ ଘୂରି ବୁଲିବା ଆରମ୍ଭ କରିଥିଲା। ଯେଉଁଥିରେ କୁହାଯାଇଛି କି, ବିହାରରୁ ୫ଶହ ଯୁବକ ଆସିିଛନ୍ତି। ସେମାନେ ଛୋଟ ପିଲାଙ୍କୁ ଚୋରି କରି ନେବା ସହ ସେମାନଙ୍କ ଆଖି ତାଡ଼ି ନେଉଛନ୍ତି। ଏପରିକି କିଡନି ଓ ହାର୍ଟ ମଧ୍ୟ କାଢ଼ି ନେଉଛନ୍ତି ବୋଲି ଗୁଜବ ହେଉଛି। ସେମାନେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଏଭଳି କାଣ୍ଡ ଭିଆଇଛନ୍ତି। ସେଠାରୁ ସେମାନଙ୍କ ମଧ୍ୟରେ କିଛି ପୁଲିସ ହାତରେ ଧରାପଡ଼ିବା ପରେ ଘଟଣାର ପର୍ଦାଫାସ ହୋଇଛି। ସେମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ୍ ଓଡ଼ିଶାରେ ପ୍ରବେଶ କରିଛନ୍ତି। କୋରାପୁଟ, ରାୟଗଡ଼ା ପରେ ଏହି ଗ୍ୟାଙ୍ଗ୍ ଖୋର୍ଧା ଜିଲ୍ଲାକୁ ଟାର୍ଗେଟ କରିଛନ୍ତି। ଏଭଳି ଗୁଜବ ପ୍ରଚାର ହେବା ପରେ ଗତ ଦୁଇ ଦିନ ହେବ କୋରାପୁଟର ବୋରିଗୁମ୍ମା, ଗଞ୍ଜାମର ଖଲ୍ଲିକୋଟ, ରାୟଗଡ଼ା, କନ୍ଧମାଳର ବାଲିଗୁଡା, ବ୍ରହ୍ମପୁର, ଭୁବନେଶ୍ୱରର ନୂଆପଲ୍ଲୀ ଅଞ୍ଚଳରେ ପିଲାଚୋରି ସନ୍ଦେହରେ ଅନେକଙ୍କୁ ଆକ୍ରମଣ ହୋଇଛି। ବିଶେଷକରି ଫେରିବାଲା, ଅଣ ଓଡ଼ିଆ ଲୋକ ଏହି ଆକ୍ରମଣର ଶିକାର ହେଉଛନ୍ତି। ବେଳକୁ ବେଳ ସୋସିଆଲ ମିଡିଆରେ ଏହାର ପ୍ରଚାର ବଢ଼ି ଚାଲିଛି। ଫଳରେ ସାରା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାରେ ଲାଗିଛି।
ଡିଜି ଶ୍ରୀ ଶର୍ମା କହିଛନ୍ତି, ଏଭଳି ଅଭିଯୋଗ ଆସିବା ପରେ ରାଜ୍ୟର ସମସ୍ତ ଜିଲ୍ଲା ଏସ୍ପି ଓ କମିସନରେଟ ପୁଲିସର ଦୁଇ ଡିସିପିଙ୍କୁ ରିପୋର୍ଟ ତଲବ କରାଯାଇଥିଲା। ସମସ୍ତେ ରିପୋର୍ଟ ଦେଇଥିଲେ କି, ଏଭଳି ଅଭିଯୋଗ ମିଛ ବୋଲି। ଏହା ପରେ ପୁଲିସ ମୁଖ୍ୟାଳୟରୁ ଜିଲ୍ଲା ଏସ୍ପିମାନଙ୍କୁ ନିର୍ଦେଶ ହୋଇଛି, ଯେଉଁମାନେ ଏଭଳି ଗୁଜବ ସୋସିଆଲ ମିଡିଆରେ ପ୍ରସାର କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ। ଏହାଛଡ଼ା କୌଣସି ପରିସ୍ଥିତିରେ କେହି ବି ଆଇନକୁ ହାତକୁ ନିଅନ୍ତୁ ନାହିଁ। ଯଦି କେହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖୁଛନ୍ତି, ତୁରନ୍ତ ସ୍ଥାନୀୟ ପୁଲିସକୁ ଖବର ଦିଅନ୍ତୁ। ଯଦି କେଉଁଠି ଆକ୍ରମଣର ଅଭିଯୋଗ ଆସିବ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।
ତ୍ରାହି ପାଇଲେନି ୩ ତାମିଲନାଡ଼ୁ ଯୁବକ
ବ୍ରହ୍ମପୁର : ପିଲାଚୋର ସନ୍ଦେହରେ ଗତକାଲି ରାତିରେ ଲୋକମାନେ ବ୍ରହ୍ମପୁରକୁ କାମ ପାଇଁ ଆସିଥିବା ତାମିଲନାଡୁର ୩ ଜଣଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏହି ୩ ଜଣ ଅଣଓଡ଼ିଆ ଯୁବକ ଗେଟ ବଜାର ଦେଇ ଯାଉଥିବାବେଳେ କିଛିଲୋକ ସେମାନଙ୍କୁ ଅଟକାଇଥିଲେ। ସମ୍ପୃକ୍ତ ଯୁବକମାନେ ଓଡ଼ିଆ କହିପାରୁ ନଥିଲେ କି ବୁଝିପାରୁ ନଥିଲେ। ଫଳରେ ଏମାନେ ପିଲା ଚୋର ବୋଲି ସନ୍ଦେହ ହେବା ସହ କଥା ପ୍ରଘଟ ହୋଇ ଯାଇ ଥିଲା। ପ୍ରବଳ ଭିଡ଼ ଜମିବା ସହ ଆଖାପାଖରେ ଥିବା ବସ୍ତି ଅଞ୍ଚଳର ଲୋକ ମଧ୍ୟ ସେଠାରେ ରୁଣ୍ଡ ହୋଇ ୩ଜଣ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେମାନେ ଯେତେ କାକୁତିମିନତି ହୋଇଥିଲେ ସୁଦ୍ଧା କେହି ତାଙ୍କ କଥା ଶୁଣି ନଥିଲେ। ଶେଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଯୁବକଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିବା ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଏମାନେ ତାମିଲନାଡ଼ୁରୁ ବ୍ରହ୍ମପୁରକୁ କାମ କରିବା ପାଇଁ ଆସିଥିବା ଜଣାପଡ଼ିଛି। ସେମାନଙ୍କ ଠିକଣା ଓ ନାମ ଯାଞ୍ଚ କରିବା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିବା ନେଇ ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ସୂଚନା ଦେଇଛନ୍ତି।