ଟିଟିଲାଗଡ଼: ଟିଟିଲାଗଡ଼ରେ ଏକ ନବଜାତ ଶିଶୁକୁ ବିକ୍ରି ପାଇଁ ମସୁଧା ଚାଲିଥିବା ବେଳେ ରାଜ୍ୟ ଚାଇଲ୍‌ଡ ହେଲ୍‌ପ ଲାଇନ୍ ଓ ବଲାଙ୍ଗୀର ସିଡବ୍ଲୁସି ଏହାକୁ ଭଣ୍ଡୁର କରିଛନ୍ତି। ପୁଲିସ ସହାୟତାରେ ବଲାଙ୍ଗୀର ସିଡବ୍ଲୁସି ଉଭୟ ମା’ ଓ ଶିଶୁ ସହ ସମ୍ପୃକ୍ତ ଆଶାକର୍ମୀଙ୍କୁ ବଲାଙ୍ଗୀର ନେଇଥିବା ସୂଚନା ମିଳିଛି। 

Advertisment

ଅଭିଯୋଗ ଅନୁଯାୟୀ, ଟିଟିଲାଗଡ଼ ସହର ଆଦିବାସୀପଡ଼ାର ଜଣେ ମହିଳା ସଇନ୍ତଳା ବ୍ଲକ୍‌ ଅଞ୍ଚଳରେ ବିବାହ କରିଥିଲେ। ସ୍ୱାମୀଙ୍କର ମୃତ୍ୟୁ ପରେ ମହିଳାଜଣକ ଟିଟିଲାଗଡ଼ ହାଟପଦା ପଡ଼ାରେ ରହିଆସୁଥିଲେ। ବହୁ କଷ୍ଟରେ ଜୀବନ ବିତାଉଥିବା ବେଳେ ପରକୀୟା ପ୍ରୀତି ଯୋଗୁଁ ସେ ଗର୍ଭବତୀ ହୋଇଥିଲେ। ମହିଳାଙ୍କ ଦୁଃଖ ଦେଖି ସ୍ଥାନୀୟ ପଡ଼ାର ଏକ ଦମ୍ପତି ତାଙ୍କୁ ଖାଇବାକୁ ଦେଉଥିଲେ। ଆଶାକର୍ମୀ ଭୂମିସୁତା ସାହୁ ଗର୍ଭବତୀ ମହିଳାଙ୍କୁ ନେଇ ନିଜ ଘରେ ରଖିବା ସହ ମହିଳାଙ୍କ ସ୍ୱାମୀଙ୍କ ନାମ ବଦଳରେ ଅନ୍ୟ ଜଣଙ୍କ ନାମକୁ ଏମ୍‌ସିପି କାର୍ଡରେ ପଞ୍ଜୀକରଣ କରିଥିବା ଅଭିଯୋଗ ହୋଇଛି। ତେବେ ସଂପୃକ୍ତ ମହିଳା ପ୍ରସବ ପାଇଁ ଗତ ୨୦ ତାରିଖରେ ଏମ୍‌ସିଏଚ୍‌ରେ ଭର୍ତ୍ତି ହୋଇଥିଲେ। ଅପରେସନ୍‌ ସମୟରେ ଆଶାକର୍ମୀ ଉକ୍ତ ମହିଳାଙ୍କ ସ୍ୱାମୀ ନାଁ ବଦଳରେ ନିଜ ସ୍ୱାମୀଙ୍କ ନାମ ଲେଖିବା ଘଟଣାରୁ ଡାକ୍ତରଙ୍କର ସନ୍ଦେହ ହୋଇଥିଲା। ଛଅ ଦିନ ଧରି ଏମ୍‌ସିଏଚ୍‌ରେ ରହିବା ପରେ ଗତକାଲି ଡିସ୍‌ଚାର୍ଜ ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ। ଯାହାକୁ ନେଇ ସନ୍ଦେହ ବଢ଼ିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ନବଜାତ ଶିଶୁ ଏବଂ ମା’କୁ ଗୋଟିଏ ଦିନ ଅଧିକ ରଖିଥିଲେ। ପରେ ଏ ସଂପର୍କରେ ରାଜ୍ୟ ଚାଇଲ୍‌ଡ ହେଲ୍‌ପ ଲାଇନ୍‌କୁ ସୂଚନା ଦିଆଯାଇଥିଲା। ଟିଟିଲାଗଡ଼ ମାତୃ ଓ ଶିଶୁ ବିକାଶ ହସ୍ପିଟାଲରେ ଜଣେ ବିଧବା ମହିଳାଙ୍କ ନବଜାତ ଶିଶୁପୁତ୍ରକୁ ବିକ୍ରି ପାଇଁ ମସୁଧା ଚାଲିଥିବା ଅଭିଯୋଗ ପାଇବା ପରେ ରାଜ୍ୟ ଚାଇଲ୍‌ଡ ହେଲ୍‌ପ ଲାଇନ୍ ବଲାଙ୍ଗୀର ସିଡବ୍ଲୁସିକୁ ଘଟଣା ସମ୍ପର୍କରେ ଅବଗତ କରି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟିମ୍ ସହ ବଲାଙ୍ଗୀର ଆସିଥିଲେ। ବଲାଙ୍ଗୀର ପୁଲିସ ଏବଂ ସିଡବ୍ଲୁସି ଅଧିକାରୀଙ୍କ ସହ ମିଶି ଟିଟିଲାଗଡ଼ ପିପଲପଦରଠାରେ ଥିବା ଏମ୍‌ସିଏଚ୍‌ରେ ଚଢ଼ଉ କରି ଯୋଜନାକୁ ଭଣ୍ଡୁର କରିଥିଲେ। 

ସିଡବ୍ଲୁସିର ଦୁଇଜଣ ଅଧିକାରୀ, ପ୍ରୋଗ୍ରାମ୍ କୋର୍ଡିନେଟର୍‌ ବିକ୍ରମ ପଣ୍ଡା ଓ କର୍ମଚାରୀ ବସନ୍ତ ହରପାଲ ଟିଟିଲାଗଡ଼ ଏମ୍‌ସିଏଚ୍‌ରେ ତଦନ୍ତ କରିବା ସହ ଅଧିକ ତଥ୍ୟ ହାସଲ ଲାଗି ମା’, ଶିଶୁ ଓ ଆଶାକର୍ମୀଙ୍କୁ ବଲାଙ୍ଗୀର କାର୍ଯ୍ୟାଳୟକୁ ନେଇଛନ୍ତି। ତେବେ ଏ ସଂକ୍ରାନ୍ତରେ ଟିଟିଲାଗଡ଼ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଧିକାରୀ ଡା.ପ୍ରଦୀପ୍ତ ନାୟକ ମଧ୍ୟ ଘଟଣା ସମ୍ପର୍କରେ କିଛି ସୂଚନା ପାଇନଥିବା କହିଛନ୍ତି। ଅନ୍ୟପକ୍ଷରେ ଏମ୍‌ସିଏଚ୍‌ର ଡାକ୍ତର ବଳରାମ ସାହୁଙ୍କୁ ପଚାରିବାରୁ ଶିଶୁ ବିକ୍ରି ନେଇ ସନ୍ଦେହ କରାଯାଉଥିବା କହିଛନ୍ତି।