ସୋର: ନାବାଳିକାଙ୍କୁ ବିବାହ କରିବା ମହଙ୍ଗା ପଡ଼ିଛି। ବିବାହ ସରିଥିବା ବେଳେ ଚତୁର୍ଥୀ ଦିନ ଚାଇଲ୍ଡ ଲାଇନ୍ର ସଦସ୍ୟମାନେ ଚଢ଼ଉ କରି ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି।
ସୋର ପୌରପାଳିକା ଅଧୀନ କମାଣପୁର ଗ୍ରାମର କୁନା କରଣଙ୍କ ପୁଅ ଅମରଜିତ କରଣ କିଛିଦିନ ପୂର୍ବରୁ ସୋର ବ୍ଲକ୍ ତେଣ୍ଟେଇ ଗ୍ରାମର ଜଣେ ୧୬ ବର୍ଷ ବୟସର ନାବାଳିକାଙ୍କୁ ବିବାହ ପାଇଁ ଅପହରଣ କରିନେଇଥିଲେ। ଏନେଇ ସୋର ଥାନାରେ ଅଭିଯୋଗ ହୋଇଥିଲା।
ଫଳରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ତେବେ ପରେ ଉଭୟ ପରିବାର ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା। ନାବାଳିକାଙ୍କ ବୟସ ହେଲେ ବିବାହ କରାଯିବ ବୋଲି ପରିବାର ସଦସ୍ୟମାନେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୪ ଦିନ ତଳେ ଅମରଜିତ ଓ ସଂପୃକ୍ତ ନାବାଳିକାଙ୍କ ବିବାହ ସ୍ଥାନୀୟ କୁଶଳେଶ୍ବର ମନ୍ଦିରରେ କରାଯାଇଥିଲା। ଆଜି ଚତୁର୍ଥୀ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଖଇରା ଚାଇଲ୍ଡ ଲାଇନ୍ ପକ୍ଷରୁ ତପସ୍ୱିନୀ ରାଉତ ଏବଂ ପଞ୍ଚାନନ ତ୍ରିପାଠୀ ସୋର ପୁଲିସ ସହାୟତାରେ କମାଣପୁରସ୍ଥିତ ଅମରଜିତଙ୍କ ଘରେ ଚଢ଼ାଉ କରିଥିଲେ। ସେମାନେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛନ୍ତି। ତେବେ ଏହି ଘଟଣାରେ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣାପଡ଼ିଛି।