ବୋଲ ମାନୁନି ବାଲ୍ୟବିବାହ ପ୍ରଥା : ଓଡ଼ିଶାରେ ବାଲ୍ୟବିବାହ ହାର ୨୧%, ମାଲକାନଗିରିରେ ୩୯%

ଭୁବନେଶ୍ବର : ଏକାଧିକ ଯୋଜନା ରହିଛି, କଠୋର ଆଇନ୍‌ ବ୍ୟବସ୍ଥା ବି। ତଥାପି ‘ବାଲ୍ୟ ବିବାହ’ ଭଳି ଏକ କୁପ୍ରଥା ବୋଲ ମାନୁନି। କୋମଳମତି ବୟସରେ ଜୀବନକୁ ଭଲ ଭାବେ ବୁଝିବା ଆଗରୁ ଗୋଟିଏ ଝିଅ ହାତରେ ଆଉ ଏକ ହାତ ଛନ୍ଦି ଦିଆଯାଉଛି। ତା’ର ସ୍ବପ୍ନ, ଶିଶୁ ସୁଲଭ ଚପଳତା, ନିଜସ୍ବ ଇଚ୍ଛାକୁ ହତ୍ୟା କରାଯାଉଛି। ଫଳରେ ଆଗକୁ ବଢ଼ିବା ଆଗରୁ ସେ ଭିନ୍ନ ଏକ ଦୁନିଆରେ ବାନ୍ଧି ହୋଇ ଯାଉଛି। ବିକାଶର ଲକ୍ଷ୍ୟ ଧିମେଇ ଯିବାରେ ଏହା ଯେ ଅନ୍ୟତମ କାରଣ ପାଲଟିଛି ଏକଥା ଏଯାଏଁ ସମ୍ପୂର୍ଣ୍ଣ ସମାଜ ବୁଝିବାରେ ସଫଳ ହୋଇନାହିଁ।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍ଏଚ୍‌ଏସ୍‌)ର ରିପୋର୍ଟ ମୁତାବକ, ଓଡ଼ିଶାରେ ଝିଅମାନଙ୍କ କ୍ଷେତ୍ରରେ ୨୧.୩ ପ୍ରତିଶତ ବାଲ୍ୟ ବିବାହ ହେଉଛି। କେବଳ ଖୁସି ଏତିକି ଯେ ଝିଅମାନଙ୍କ କ୍ଷେତ୍ରରେ ଜାତୀୟ ବାଲ୍ୟ ବିବାହ ହାର ୨୬.୮ ପ୍ରତିଶତ ଥିବା ବ‌େଳେ ଓଡ଼ିଶା ଏହାଠୁ ଭଲ ସ୍ଥିତିରେ ଅଛି। ଠିକ୍‌ ସେଇଭଳି ପୁଅମାନଙ୍କ କ୍ଷେତ୍ରରେ ଜାତୀୟ ବାଲ୍ୟବିବାହ ହାର ୨୦.୩ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହି ହାର ୧୧ ପ୍ରତିଶତ ରହିଛି। ହିସାବ ଏହା କହୁଛି ଯେ ୫ ଜଣଙ୍କରେ ଜଣେ ଝିଅ ୧୮ବର୍ଷରୁ କମ୍‌ ବୟସରେ ଏବଂ ୧୦ଜଣଙ୍କରେ ଜଣେ ପୁଅ ୨୧ ବର୍ଷ ପୂର୍ବରୁ ବିବାହ କରୁଛି। ପୁଅମାନଙ୍କଠାରୁ ଝିଅମାନେ ଦ୍ବିଗୁଣ ବାଲ୍ୟ ବିବାହ କରୁଛନ୍ତି। ଫଳରେ ୭.୬ ପ୍ରତିଶତ ଝିଅ ୧୫ରୁ ୧୯ ବର୍ଷ ମଧ୍ୟରେ ମା’ ହୋଉଥିବା ଲକ୍ଷ୍ୟ କରାଯାଉଛି। ଅବଶ୍ୟ ପୂର୍ବ ସର୍ବେକ୍ଷଣ-୩ ଅପେକ୍ଷା ସର୍ବେକ୍ଷଣ-୪ ବେଳକୁ ଏହା ୧୪.୫ ପ୍ରତିଶତରୁ ହ୍ରାସ ପାଇ ୭.୬ ପ୍ରତିଶତରେ ପହଞ୍ଚିଛି ବୋଲି ୟୁଏନ୍‌ଏଫ୍‌ପିଏର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଡ.ଦୀପା ପ୍ରସାଦ କହିଛନ୍ତି।

ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ଜଣେ ଝିଅ ନିଜ ନିଷ୍ପତ୍ତି ଜଣାଇପାରୁନାହିଁ, ନିଜ ଅଧିକାରରୁ ବଞ୍ଚିତ ହେଉଛି। ଅନିଚ୍ଛା ସତ୍ତ୍ବେ ମା’ ହେଉଛି। ଏହା ତା’ର ସ୍ବାସ୍ଥ୍ୟ ଉପରେ ଅଧିକାଂଶ ସମୟରେ ପ୍ରଭାବ ପକାଉଛି। ମାତୃ ମୃତ୍ୟୁହାରର ସମ୍ଭାବନା ଅଧିକ ଦେଖାଦେଉଛି। କମ୍ ବୟସରେ ବିବାହ ଯୋଗୁଁ ତାକୁ ତା’ ପାଠ ଅଧାରୁ ଛାଡ଼ିବାକୁ ପଡ଼ୁଛି। ପରିପକ୍ବ ହୋଇନଥିବାରୁ ସେ ଏକ ନୂଆ ପରିବାରରେ ଖାପଖୁଆଇ ନପାରି ମାନସିକ ଚାପରେ ରହୁଛି। ଅଳ୍ପ ବୟସରେ ଏକ ପରିବାରର ଦାୟିତ୍ବ ତା’ ଉପରେ ବୋଝ ସଦୃଶ ହେଉଛି। ପୁଅମାନଙ୍କ କ୍ଷେତ୍ରରେ ମଧ୍ୟ ଏହିଭଳି କିଛି ସମସ୍ୟା ସୃଷ୍ଟି ହୁଏ।

ସର୍ବେକ୍ଷଣ ମୁତାବକ, ମାଲକାନଗିରିରେ ୩୯ ପ୍ରତିଶତ ବାଲ୍ୟ ବିବାହ ହୋଇଛି। ଏହା ତଳକୁ ରହିଛି ନବରଙ୍ଗପୁର, ମୟୂରଭଂଜ, କୋରାପୁଟ ଓ ରାୟଗଡ଼ା। ଏହି ଅଞ୍ଚଳରେ ନିର୍ଧାରିତ ବୟସ ପୂର୍ବରୁ ୧ ତୃତୀୟାଂଶ ବାଲ୍ୟ ବିବାହ ହେଉଛି। ସେହିପରି ନୟାଗଡ଼, ଗଂଜାମ, କେନ୍ଦୁଝର, ବାଲେଶ୍ବର, ଢେଙ୍କାନାଳ ଓ ଗଜପତିରେ ୧ ଚତୁର୍ଥାଂଶ ବାଲ୍ୟ ବିବାହ ୧୮ ବର୍ଷ ପୂର୍ବରୁ ହୋଇଛି। ବିଶେଷକରି ସାମାଜିକ ପ୍ରଥା ଓ ସାଂସ୍କୃତିକ ଆଧାର ହିଁ ବାଲ୍ୟ ବିବାହ ପାଇଁ ବେଶି ଦାୟୀ। ଆଦିବାସୀମାନଙ୍କ ସଂସ୍କୃତିରେ ଚଳି ଆସୁଥିବା ଝିକା, ଉଦୁଳିଆ, ମାଙ୍ଗିନି, ଘର ଚମାଇ, ଝୋଲା ଦୋ ଭଳି ପ୍ରଥାରେ ବୟସର କୌଣସି ସମୟସୀମା ନଥିବାରୁ ଏହା ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦେଉଛି। ସେ ହିଭଳି ଆଦିବାସୀ ପ୍ରଥା ଝିକିନୱା, ବାଲିଫୁଲ ମଧ୍ୟ ବାଲ୍ୟ ବିବାହର ଅନ୍ୟତମ କାରଣ ବୋଲି ୩୦ଟି ଜିଲ୍ଲାରେ ‘ବାଲ୍ୟ ବିବାହର କାରଣ’କୁ ନେଇ ସର୍ବେକ୍ଷଣ କରିଥିବା ଆକ୍ସନ ଏଡ୍‌ର ଘାସିରାମ ପଣ୍ଡା କହିଛନ୍ତି। ଗରିବ ଶ୍ରେଣୀର ପରିବାରରେ ଝିଅକୁ ପରିବାରର ବୋଝ ସଦୃଶ ମନେ କରୁଥିବା ବ‌େଳେ ଝିଅକୁ ବିବାହ କରାଇଦେଲେ ଏହି ଦାରିଦ୍ରୢ ବୋଝ ହାଲୁକା ହେଇଯାଏ ବୋଲି ଅନେକ କହିଛନ୍ତି। ସେହିପରି ଝିଅର ବୟସ ବଢ଼ିବା ସହ ‌ଯୌତୁକର ପରିମାଣ ବଢ଼ି ଚାଲିଥିବାରୁ ଝିଅକୁ ଭଲ ପ୍ରସ୍ତାବ ପାଇଲେ ବାହା କରାଇଦେବା ପାଇଁ ପିତାମାତାମାନେ ଆଗଭର ହେଉଛନ୍ତି। ଗଂଜାମ ଓ ରାୟଗଡ଼ା ଭଳି ଜିଲ୍ଲାରେ ‌ଦାଦନ ଖଟିବାକୁ ଅନେକ ଯାଉଥିବାରୁ ‌କାଳେ ଅନ୍ୟ ଜାତି ମଧ୍ୟରେ ଝିଅଟି ଗୋଟେ ପୁଅକୁ ଭଲ ପାଇବସିବ ସେ କାରଣ ନେଇ ମଧ୍ୟ ଶୀଘ୍ର ବିବାହ କରାଇ ଦେଉଥିବା ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର