ଭୁବନେଶ୍ବର : ରାଜ୍ୟ‌େର ଶିଶୁ ଚାଲାଣ, ଯୌନ ନିର୍ଯାତନା ଓ ହିଂସା କମିଛି। ହେଲେ ଗତ ୯ବର୍ଷରେ ଯେତିକି ମାମଲା ଦାୟର ହୋଇଛି ସେଥିରୁ ଅଧିକାଂଶ ଏବେ ବିଚାରାଧୀନ ଅଛି। ଯାହା ଏବେ ଚିନ୍ତାଜନକ ହୋଇଛି।
Advertisment
ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ୨୦୧୨ରୁ ୨୦୨୦ ମଧ୍ୟରେ ଶିଶୁ ଚାଲାଣ, ଯୌନ ନିର୍ଯାତନା ଓ ହିଂସା ଜନିତ ୯୪୪ଟି ମାମଲା ଦାୟର ହୋଇଛି। ଏଥିରୁ ୨୧୧ଟି ମାମଲାର ଶୁଣାଣି କରି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦ୍ବାରା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିନ୍ତୁ ୭୩୩ଟି ମାମଲା ଏବେ ବିଚାରାଧୀନ ଅଛି।
୨୦୧୨ରେ ୧୫ଟି ମାମଲା ଦାୟର ହୋଇଥିବାବେଳେ ୧୫ଟିର ଶୁଣାଣି ସରିଛି। ୨୦୧୩ରେ ୩୧ଟି ମାମଲା ଦାୟର ହୋଇଥିବାବେଳେ ୮ଟି ବିଚାରାଧୀନ, ୨୦୧୪ର ୨୬ଟି ମାମଲାରୁ ୪ଟି, ୨୦୧୫ର ୭୦ଟି ମାମଲାରୁ ୪୦ଟି, ୨୦୧୬ର ୯୦ଟି ମାମଲାରୁ ୬୪ଟି, ୨୦୧୭ର ୧୪୫ଟି ମାମଲାରୁ ୧୧୧ଟି, ୨୦୧୮ରେ ୨୮୮ଟି ମାମଲାରୁ ୨୫୦ଟି, ୨୦୧୯ର ୧୮୦ଟି ମାମଲାରୁ ୧୬୧ଟି, ୨୦୨୦ର ୯୯ଟି ମାମଲାରୁ ୯୫ଟି ମାମଲା ଏବେ ବିଚାରାଧୀନ ଅଛି। ସେହିପରି ଏହି ସମୟରେ ବାଲ୍ୟ ବିବାହ ନେଇ ୧୭ଟି ମାମଲା ଦାୟର ହୋଇଥିବାବେଳେ ମାତ୍ର ୪ଟିର ଶୁଣାଣି ହୋଇଛି। ଅଦ୍ୟାବଧି ରାଜ୍ୟର ୫୩୧୩ଟି ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହାସହ ୨୦ଟି ଜିଲ୍ଲାରେ ‘ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି।