ଅଟକିଲା ବାଲ୍ୟ ବିବାହ

ସିଡବ୍ଲ୍ୟୁସିକୁ ବର-କନ୍ୟା ହସ୍ତାନ୍ତର

କଟକ-ମହାନଦୀବିହାର : ବର-କନ୍ୟାଙ୍କ ହାତଗଣ୍ଠି ପଡ଼ି ସାରିଥିଲା। ସଂପର୍କୀୟମାନେ ବନ୍ଦାପନା କରୁଥିଲେ। ଶଂଖ ହୁଳହୁଳିରେ କମ୍ପିଉଠୁଥିଲା ବାହାବେଦି। ବନ୍ଧୁବାନ୍ଧବମାନେ ମାତିଥିଲେ ଭୋଜିଭାତରେ। ହଠାତ ସିଡବ୍ଲ୍ୟୁସି ସହ ପୁଲିସ ବିବାହ ମଣ୍ଡପରେ ପହଞ୍ଚି ଏହି ବିବାହକୁ ବନ୍ଦ କରିଥିଲେ। ଉଭୟ ବର-କନ୍ୟା ନାବାଳକ ଓ ନାବାଳିକା ହୋଇଥିବାରୁ ଦୁହିଁଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ଆଜି ନୂଆବଜାର ଗାନ୍ଧୀପଲ୍ଲୀରେ ଚର୍ଚାର ବିଷୟ ପାଲଟିଛି। ପୁଲିସ୍‌ ଚଢ଼ଉ ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

ଖବରଟି ଏହିପରି। ଗାନ୍ଧୀପଲ୍ଲୀର ଏକ ମନ୍ଦିରରେ ଆଜି ପୂର୍ବାହ୍‌ଣରେ ସ୍ଥାନୀୟ ଅଞ୍ଚଳର ୧୯ ବର୍ଷିୟ ସମ୍ବିତ ନାୟକ(ଛଦ୍ମନାମ)ଙ୍କ ସହ ଷ୍ଟେସନବଜାର ଅଞ୍ଚଳର ୧୭ ବର୍ଷିୟା ନାବାଳିକା ମିଲି ବେହେରା (ଛଦ୍ମନାମ)ଙ୍କ ବିବାହ ଚାଲିଥିଲା। ଉଭୟ ବର-କନ୍ୟା ନାବାଳକ-ନାବାଳିକା ହୋଇଥିବାରୁ ଘଟଣା ସଂପର୍କରେ ଚାଉଳିଆଗଞ୍ଜ ପୁଲିସ ସମେତ ମାନବାଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି)କୁ କେହି ଖବର ଦେଇଥିଲେ। ଚାଉଳିଆଗଞ୍ଜ ଥାନା ପୁଲିସ, ଏଚ୍‌ଆର୍‌ପିସି, ଉଦ୍ଧାର ଫାଉଣ୍ଡେସନ ପକ୍ଷରୁ ଘଟଣାସ୍ଥଳରେ ଚଢ଼ଉ କରାଯାଇ ବିବାହକୁ ରୋକା ଯାଇଥିଲା। ବିବାହ ବନ୍ଦକୁ ନେଇ ଘଟଣାସ୍ଥଳରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ଚାଉଳିଆଗଞ୍ଜ ଆଇଆଇସି ଅଜୟ କୁମାର ଦାସଙ୍କ ନିର୍ଦ୍ଦେଶରେ ଏକ ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବର-କନ୍ୟାଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଥିଲା।

ସମ୍ବନ୍ଧିତ ଖବର