ସୁନ୍ଦରଗଡ଼ ଜିଲ୍ଲାରେ କମୁନି ବାଲ୍ୟ ବିବାହ

ରାଉରକେଲା : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବାଲ୍ୟ ବିବାହ ଭଳି କୁପ୍ରଥା ଏବେ ବି ଲାଗିରହିଛି। ଚାଇଲ୍‌ଡ ଲାଇନ୍‌ ଦ୍ବାରା ଯେତିକି ସଂଖ୍ୟକ ନାବାଳିକାଙ୍କୁ ଉଦ୍ଧାର କରାଯାଉଛି, ତାଠାରୁ ଢ଼େର୍‌ ଅଧିକ ବାଲ୍ୟ ବିବାହ ଲୁକ୍କାୟିତ ଭାବେ ହେଉଛି।

ଗତ ୫ ବର୍ଷ ମଧ୍ୟରେ ଜିଲ୍ଲାରେ ୪୩ ଜଣ ନାବାଳିକାଙ୍କୁ ବିବାହ ବେଦିରୁ ଉଦ୍ଧାର କରାଯାଇଛି। ଏପରିକି ୧୨/୧୩ ବର୍ଷର ନାବାଳିକାଙ୍କୁ ମଧ୍ୟ ଅନୈତିକ ଭାବେ ବିବାହ କରାଯାଇଛି। ବାଲ୍ୟ ବିବାହର ପ୍ରମୁଖ କାରଣ ହେଲା ଅର୍ଥାଭାବ। ଲୋଭରେ ପଡ଼ି ବାପା-ମା ନିଜ ନାବାଳିକା ଝିଅଙ୍କୁ ବିବାହ କରାଇବାକୁ ପଛାଉ ନାହାନ୍ତି। ବି‌‌ଶେଷକରି କୁଆରମୁଣ୍ଡା, ନୂଆଗାଁ, ବାଲିଶଙ୍କରା, ବଣାଇଁ, ଲହୁଣୀପଡ଼ା, ହେମଗିର ବ୍ଲକ ଅଞ୍ଚଳରେ ଏହା ଅଧିକ ଦେଖିବାକୁ ମିଳୁଛି। ସ୍ମାର୍ଟସିଟି ରାଉରକେଲାରେ ମଧ୍ୟ କିଛି ଦିନ ପୂର୍ବେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।

ଗୋପବନ୍ଧୁପଲ୍ଲୀର ଜଣେ ନାବାଳିକାଙ୍କୁ ଜୋର୍‌ଜବରଦସ୍ତ ହନୁମାନ ବାଟିକାରେ ବିବାହ କରାଯାଉଥିବାବେଳେ କେତେକ ସମାଜସେବୀଙ୍କ ନେତୃତ୍ବରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଦେଖାଯାଉଛି, ବାଲ୍ୟବିବାହରେ ଅଧିକାଂଶ ବର ପକ୍ଷ ହେଉଛନ୍ତି ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଆଦି ରାଜ୍ୟର। ପ୍ରକୃତରେ ବାଲ୍ୟ ବିବାହ ପଛର ଅସଲ ଉଦ୍ଦେଶ୍ୟ ହେଉଛି ନାବାଳିକା ଚାଲାଣ। ବିବାହର ୩/୪ ବର୍ଷ ପରେ ସଂପୃକ୍ତ ନାବାଳିକାଙ୍କର ଆଉ କୌଣସି ପତ୍ତା ମିଳୁନି। ବିବାହ ନାଁରେ ଝିଅ ଚାଲାଣ ଭଳି ସଙ୍ଗୀନ ଅପରାଧରେ ଜଡ଼ିତ ଅପରାଧୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଏହି ସମସ୍ୟା ବଢ଼ିଚାଲିଛି। ଏଯାବତ୍‌ ଜିଲ୍ଲାରେ ମାତ୍ର ୧୭/୧୮ ଜଣଙ୍କ ନାଁରେ ଏହି ଘଟଣାକୁ ନେଇ ମାମଲା ରୁଜୁ ହୋଇଛି। ଅଧିକାଂଶ ମାମଲା ଆପୋଷ ଆଲୋଚନାରେ ସମାଧାନ କରାଯାଉଛି। ଯେଉଁଠି ଚାଇଲ୍‌ଡ ଲାଇନ୍‌କୁ ସୂଚନା ମିଳୁନି, ସେଠାରେ ସୁରୁଖୁରୁରେ ବିବାହ ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର