ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ ୨୦୨୨ ଜାନୁଆରି ୩ତାରିଖରେ ବାଲ୍ୟବିବାହ ମୁକ୍ତ ଜିଲ୍ଲା ଘୋଷଣା କରା ଯାଇଥିଲା। କିନ୍ତୁ ସେହି ବର୍ଷ ୨୦୨୨ରେ ହିଁ ଗଞ୍ଜାମ ଜିଲ୍ଲାରେ ୩୩୧ ବାଲ୍ୟବିବାହ ଅନୁଷ୍ଠିତ ହେଉଥିବା ବେଳେ ପ୍ରଶାସନ ବନ୍ଦ କରିଥିଲା। ବାଲ୍ୟବିବାହ ଖବର ପାଇ ପ୍ରଶାସନିକ ଟିମ୍‌ ସେଠାରେ ଚଢ଼ଉ କରୁଛି। ବାହାଘର ବନ୍ଦ କରି ଲୋକଙ୍କୁ ବୁଝାସୁଝା କରୁଛି। ତଥାପି ଜିଲ୍ଲାରେ ଲୁଚାଛପା ବାଲ୍ୟବିବାହ ପରମ୍ପରା ବନ୍ଦ ହେଉନି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୩୬ଟି ବାଲ୍ୟବିବାହ ବନ୍ଦ କରାଯାଇ ସାରିଲାଣି। ଏଥିରୁ ସ୍ପଷ୍ଟ ଯେ, ଗଞ୍ଜାମ ଜିଲ୍ଲାରେ ଲୋକେ ଏ ପର୍ଯ୍ୟନ୍ତ ସଚେତନ ହୋଇନାହାନ୍ତି, ଶିଶୁ ସୁରକ୍ଷା ଆଇନକୁ ଫୁ’ କରି ଉଡ଼େଇ ଚାଲିଛନ୍ତି। ତେବେ ଏଥିପାଇଁ କିଏ ଦାୟୀ? ପ୍ରଶାସନ ବାଲ୍ୟବିବାହ କରୁଥିବା ଲୋକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଭୟ ରହୁ ନାହିଁ। ଏଣୁ ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ଆୟୋଜନ କରାଯାଉଥିବା ଅଭିଯୋଗ ହେଉଛି। ଗତ ୪ବର୍ଷ ମଧ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ୮୦୫ଟି ବାଲ୍ୟବିବାହ ରୋକିବାରେ ସକ୍ଷମ ହୋଇଛି।

Advertisment

ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ହେଉଥିବା ବିଗତ ଦିନରେ ଦେଖିବାକୁ ମିଳିଛି। ଏଥିପାଇଁ ସଜାଗ ରହିବାକୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଗତ ୧୭ତାରିଖରୁ ସପ୍ତାହବ୍ୟାପି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ସ୍ବୟଂସହାୟିକା ଗୋଷ୍ଠୀ, କୁଳସମାଜ, ଗାଁ କଲ୍ୟାଣ ସମିତି, ମିସନ୍ ଶକ୍ତି, ଜନପ୍ରତିନିଧି, ସିଡିପିଓ ଓ ସିଡବ୍ଲୁସି ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବାଲ୍ୟବିବାହ ରୋକିବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାରେ ‘ନିର୍ଭୟ କଢ଼ି’ ଯୋଜନାକୁ ବ୍ୟାପକ କରାଯାଇଛି। ତଥାପି ଜିଲ୍ଲାରେ ବାଲ୍ୟବିବାହ ବନ୍ଦ ହେଉ ନାହିଁ। ଏପରିକି ବାଲ୍ୟବିବାହ ସମ୍ପର୍କରେ ସୂଚନା ଦେଲେ ୫୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ତତ୍କାଳୀନ ଜିଲ୍ଲାପାଳ ଘୋଷଣା କରିଥିଲେ।

ଏ ସବୁ ସତ୍ବେ ବିଭିନ୍ନ ଅଞ୍ଚଳରେ ଲୁଚାଛପା ବାଲ୍ୟବିବାହ ଚାଲିଥିବା ଅଭିଯୋଗ ଆସୁଛି। ଏଣୁ ବାଲ୍ୟବିବାହମୁକ୍ତ ଜିଲ୍ଲା ଘୋଷଣା କେତେ ସଫଳ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହେଉଛି। ଗତ କିଛିମାସ ତଳେ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଏକ ବାଲ୍ୟବିବାହ ଚାଲିଥିବା ନେଇ ଖବର ମିଳିଥିଲା। ଚାଇଲ୍ଡ ଲାଇନ୍‌ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ହେଲେ ଚଢ଼ଉର ଆଗୁଆ ଖବର ପାଇଯାଇ ପୁଅ ଓ ଝିଅକୁ ଧରି ପରିବାର ବର୍ଗ ସେଠାରୁ ଚମ୍ପଟ ମାରିଥିଲେ। ତ୍ରୁଣମୂଳସ୍ତରରେ ଯଦି ଲୋକଙ୍କୁ ସଚେତନ କରାଯାଇ ପାରିବ, ତେବେ ବାଲ୍ୟବିବାହ ପ୍ରଥା ଉଚ୍ଛେଦ ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ଗଠିତ ହୋଇଥିବା ଶିଶୁ ସୁରକ୍ଷା ସମିତିର ମୁଖ୍ୟ ହେଉଛନ୍ତି ସରପଞ୍ଚ। କିନ୍ତୁ ଅଧିକାଂଶ ସରପଞ୍ଚ ଏହା ଜାଣୁ ନାହାନ୍ତି। ଏପରିକି ପଞ୍ଚାୟତରେ କେତେ ଝିଅ ଅଛନ୍ତି ତା’ର ଖବର ମଧ୍ୟ ରଖୁ ନାହାନ୍ତି। ଗାଁରୁ କେତେବେଳେ ଝିଅ କେଉଁ ଜାଗାକୁ ଚାଲାଣ ହେଉଛନ୍ତି କିମ୍ବା ବାଲ୍ୟବିବାହ ହେଉଛି ତା’ର ଖବର ମିଳୁ ନାହିଁ। ବିଭିନ୍ନ ଗାଁରୁ ଚାଲାଣ ହୋଇ ଆସୁଥିବା ନାବାଳିକାଙ୍କୁ ରେଳ ଷ୍ଟେସନ୍‌ ଏବଂ ବସ୍‌ଷ୍ଟାଣ୍ଡ୍‌ରୁ ଉଦ୍ଧାର କରାଯାଉଛି।

ଗଞ୍ଜାମ ଜିଲ୍ଲାରେ ଗତ ୪ବର୍ଷ ମଧ୍ୟରେ ମୋଟ ୮୦୫ଟି ବାଲ୍ୟବିବାହକୁ ପ୍ରଶାସନ ତରଫରୁ ବନ୍ଦ କରାଯାଇଛି। ୨୦୨୨ରେ ସର୍ବାଧିକ ୩୩୧ଟି ବିବାହ ବନ୍ଦ କରାଯାଇଥିବା ବେଳେ ୨୦୨୧ରେ ୨୦୧, ୨୦୨୦ରେ ୨୨୮ ଓ ୨୦୧୯ରେ ୪୫ଟି ବାଲ୍ୟବିବାହ ବନ୍ଦ କରାଯାଇଥିବା ସୂଚନା ଦିଆଯାଇଛି। ସେହିପରି ୨୦୧୭ରେ ୨୪ଟି ବାଲ୍ୟବିବାହ ବନ୍ଦ କରା ଯାଇଥିବା ବେଳେ ୨୦୧୮ରେ ୨୨ଟି ବାଲ୍ୟବିବାହ ବନ୍ଦ କରାଯାଇଥିଲା। ଆସନ୍ତାକାଲି ଅକ୍ଷୟ ତୃତୀୟ ଥିବାରୁ ପ୍ରଶାସନ ତରଫରୁ ବାଲ୍ୟବିବାହ ଉପରେ କଡ଼ା ନଜର ରଖାଯାଇଛି।