ନୟ‌ାଗଡ଼ : ନୟାଗଡ଼ରେ ‌ବେଶ୍‌ ନିର୍ଦ୍ବନ୍ଦରେ ଚାଲିଛି ବାଲ୍ୟ ବିବାହ। ଜିଲ୍ଲା ପ୍ରଶାସନ ତଥା ପ୍ରତି ବ୍ଲକରେ ନିଯୁକ୍ତ ବାଲ୍ୟ ବିବାହ ନି‌ଷେଧ ଅଧିକାରୀଭାବେ କାର୍ଯ୍ୟ କରୁଥିବା ସିଡିପିଓମାନଙ୍କ ନିଷ୍କ୍ରିୟତା ଆଇନ ଉଲ୍ଲଂଘନ କରୁଥିବା ଅଭିଭାବକକୁ ସୁଯୋଗ ଆଣିଦେଇଛି। ଏପରିକି ନୟାଗଡ଼ ଜିଲ୍ଲା ବାଲ୍ୟବିବାହ ବିରୋଧୀ ଆଇନର ପ୍ରଭାବ ଦେଖିବାକୁ ମିଳୁନଥିବାରୁ ଏହ‌ି ଆଇନକୁ ମଧ୍ୟ କେହି ଖାତିର କରୁନାହାନ୍ତି। କରୋନା କଟକଣା , ଲକ୍‌ଡାଉନ୍‌ ଭଳି ସମୟରେ ସାଧାରଣ ବିବାହ ବା ଆଇନ ସମ୍ମତ ବିବାହ ଆୟୋଜନ କରିବାକୁ ଲୋକ ସାହାସ କରି ପାରିନାହାନ୍ତି। ଅନେକ ବିବାହ ମଧ୍ୟ ଘୁଞ୍ଚାଇ ଦେଇଛନ୍ତି। କିନ୍ତୁ ଏଭଳି କଟକଣା ସମୟରେ ଅର୍ଥାତ୍‌ ଗତ ମାର୍ଚ୍ଚରୁ ଅକ୍ଟ‌ୋବର ମଧ୍ୟରେ ୩୬ ଟି ବାଲ୍ୟବିବାହ ଆୟୋଜନ କରାଯାଇଛି। ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ପହଞ୍ଚି ଏହାକୁ ବନ୍ଦ କରିଛନ୍ତି। ହେଲେ ସିଡିପିଓମାନେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ ପଛଘୁଞ୍ଚା ଦେଇଛନ୍ତି।

Advertisment

ଏହି ସମସ୍ତ ବାଲ୍ୟ ବିବାହ ସମ୍ପର୍କରେ ଚାଇଲ୍ଡ ହେଲ୍ପ ଲାଇନ୍‌ ନମ୍ବରରେ ସାଧାରଣ ଲୋକ ଖବର ଦେବା ପରେ ବନ୍ଦ କରାଯାଇଛି। କିନ୍ତୁ ଅନେକ ବାଲ୍ୟ ବିବାହ ସମ୍ପନ୍ନ ହୋଇଛି ଯାହାର ଖବର କାହାରି ପାଖରେ ନାହିଁ। ୩୬ଟି କେବଳ ନଜରକୁ ଆସିଛି। ପ୍ରଥମତଃ ବାଲ୍ୟ ବିବାହ ବେଆଇନ ‌ହୋଇଥିବା ବେଳେ, କରୋନା କଟକଣା ସମୟରେ ବହୁ ଲୋକ ଏକାଠି ହୋଇ ଏଭଳି ବିବାହର ଆୟୋଜନ କରିବା ଆଉ ଏକ ଅପରାଧ। କିନ୍ତୁ ନୟାଗଡ଼ ଜିଲ୍ଲାରେ ଏଥିନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ନିୟମ ପରେ ନିୟମ ଭଙ୍ଗାଯାଇଛି। ଏହି ୩୬ଟି ବାଲ୍ୟ ବିବ‌ାହ ବନ୍ଦ ମଧ୍ୟରେ ଓଡ଼ଗାଁରେ ୬ଟି, ଖଣ୍ଡପଡ଼ାରେ ୧୦ଟି, ଦଶପଲ୍ଲାରେ ୪ଟି, ରଣପୁରରେ ୫, ନୟାଗଡ଼ରେ ୩, ନୂଆଗାଁ, ଗଣିଆ, ଭାପୁର ବ୍ଲକରେ ଗୋଟିଏ ଲେଖାଏଁ ବାଲ୍ୟ ବିବାହ ବନ୍ଦ କରାଯାଇଛି। କିଛି ଜାଗରୁ ଫୋନ୍‌ ଆସିଥି‌ଲେ ମଧ୍ୟ ସେ ସମ୍ପର୍କରେ ବିଶେଷ ସୁରାକ ମିଳିନଥିବାରୁ ସେ ସବୁ ସବୁ ବାଲ୍ୟ ବିବାହ ସମ୍ପର୍କ‌ରେ କିଛି ସୂଚନା ମିଳିନଥିବା ଜଣାପଡ଼ିଛି।

publive-image southreelnews.com

ବାଲ୍ୟ ବିବାହ କରାଉଥିବା ଅଭିଭାବକ, ନାବାଳିକାଙ୍କୁ ବିବାହ କରୁଥିବା ବ୍ୟକ୍ତି, ତାଙ୍କ ପରିବାର ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାର ନିୟମ ରହିଛି। କିନ୍ତୁ ନୟାଗଡ଼ ଜିଲ୍ଲାରେ ବାଲ୍ୟ ବିବାହ ନିରୋଧ ଆଇନ ୨୦୦୬ କୋମା‌‌ରେ ପଡ଼ିଥିଲା ଭଳି ମନେହେଉଛି। ବିଭିନ୍ନ ବ୍ଲକ୍‌ରେ ସିଡିପିଓମାନଙ୍କୁ ବାଲ୍ୟ ବିବାହ ନି‌‌ଷେଧ ଅଧିକାରୀ ଭାବେ ସରକାର ନିଯୁକ୍ତ ଦେଇଛନ୍ତି। କିନ୍ତୁ ବାଲ୍ୟବିବାହ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ନେଇ ଏମାନେ ଏକରକମ ନିଦାବିଷ୍ଣୁ ପାଲଟିଛନ୍ତି। ଜିଲ୍ଲାରେ କାର୍ଯ୍ୟ କରୁଥିବା ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ବାଲ୍ୟ ବିବାହ ଖବର ପାଇବା ମା‌ତ୍ରେ ପୁଲିସ ସହଯୋଗରେ ‌ସେଠାରେ ଚଢ଼ଉ କରି, ଏହାକୁ ବନ୍ଦ କରୁଛନ୍ତି। ଅଣ୍ଡରଟେକିଂ ଲେଖା‌ଇଆଣି ଏଭଳି ନକରିବାକୁ ବାରଣ କରୁଛନ୍ତି। କିନ୍ତୁ ବାଲ୍ୟ ବିବା‌ହ କରାଉଥିବା‌ ବା ଉଦ୍ୟମ କରିଥିବା ଅଭିଭାବକ,ଅନ୍ୟାନ୍ୟ ସହଯୋଗୀଙ୍କ ନାମରେ ଆଇନ ଅନୁଯାୟୀ ମାମଲା କରିବା ପାଇଁ ସିଡିପିଓମାନଙ୍କୁ କ୍ଷମତା ଦିଆଯାଇଛି। ଆଇନ ଅନୁଯାୟୀ, ବାଲ୍ୟ ବିବାହ ଅର୍ଥାତ୍‌ ୨୧ ବର୍ଷରୁ କମ୍‌ ପୁଅ ଓ ୧୮ ବର୍ଷରୁ କମ୍‌ ଝିଅର ବିବାହ କିମ୍ବା ଅଧିକ ବୟସ୍କ ପୁଅ ସହିତ ୧୮ ବର୍ଷରୁ କମ୍‌ ଝିଅର ବିବାହ ବାଲ୍ୟ ବିବାହ ଭା‌ବେ ବିଚାର କରାଯିବ। ଏଥିନିମନ୍ତେ ଅଭିଭାବକଙ୍କ ସମେତ ମଧ୍ୟସ୍ଥିଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ, ୧ ଲକ୍ଷ ଟଙ୍କାର ଜରିମାନା ଅଥବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ। ହେ‌‌ଲେ ଏଭଳି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନୟାଗଡ଼ ଜିଲ୍ଲାରେ ଦେଖାଯାଉନାହିଁ। ଯାହା ପରୋକ୍ଷରେ ପ୍ରଶାସନ ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରୁଛି।

କେବଳ ବାଲ୍ୟ ବିବାହ ନେଇ ସଚେତନତା ରଥ, ଶୋଭାଯାତ୍ରା ,ବୈଠକ କରି ସରକାରୀ ଅର୍ଥ ଶ୍ରାଦ୍ଧ କରିବାରେ ଅଧିକାରୀମାନେ ଖୁସି ହେଉଛନ୍ତି। କେବଳ ବୈଠକରେ ବାଲ୍ୟ ବିବାହ ରୋକିବାକୁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ଗର୍ଜନ କରୁଥିବା ବେ‌ଳେ, ବାସ୍ତବତାରେ ଏହା ରୋକିବା ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉନାହିଁ। ଏବାବଦ‌େରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିଡିପିଓମାନେ ଆମକୁ ଏନେଇ ସୂଚନା ପ୍ରଦାନ କରୁନଥିବା କହୁଥିବା ବେଳେ, ସିଡିପିଓମାନେ ମାମଲା ରୁଜୁ କଲେ ଏନେଇ ବାରମ୍ବାର କୋର୍ଟକୁ ଦୈଡ଼ିବାକୁ ପଡ଼ିବ ବୋଲି, ଜାଣି ଜାଣି ଆଇନଗତ ପ୍ରକ୍ରିୟାକୁ ମୋଡ଼ି ଦେଉଥିବା ଜଣେ ବିଭାଗୀୟ ଅଧିକା‌ରୀ କହିଛନ୍ତି।