ଏନସିଆରବି ରିପୋର୍ଟ ତଥ୍ୟ: ଦୁଇ ବର୍ଷରେ ବାଲ୍ୟ ବିବାହ ୫୦% ବୃଦ୍ଧି

ମାମଲା ରୁଜୁ ୫୦ ପ୍ରତିଶତ ବଢ଼ିଲା: ରାଜସ୍ଥାନ ଠାରୁ ତାମିଲନାଡ଼ୁରେ ଅଧିକ ମାମଲା

ଭୁବନେଶ୍ବର: ଓଡ଼ିଶାରେ ଦୁଇ ବର୍ଷ ମଧ୍ୟରେ ବାଲ୍ୟ ବିବାହ ୫୦% ବୃଦ୍ଧି ପାଇଥିବା ଏନସିଆରବି ରିପୋର୍ଟରେ ପ୍ରକାଶ ପାଇଛି। ଅର୍ଥାତ ୨୦୧୯ ମସିହାରେ ୨୨, ୨୦୨୦ ମସିହାରେ ୨୪ ଏବଂ ୨୦୨୧ ମସିହାରେ ୬୪ଟି ବାଲ୍ୟ ବିବାହ ନିରୋଧ ଆଇନ ଜନିତ ମାମଲା ରୁଜୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶିତ ହୋଇଛି। ମାତ୍ର ରାଜ୍ୟରେ ଏହା ଠାରୁ ଆହୁରି ଅନେକ ଅଧିକ ସଂଖ୍ୟାରେ ବାଲ୍ୟ ବିବାହ ହେଉଛି। ପରିବାର ଏବଂ ସମାଜର ସ୍ବୀକୃତିରେ ଏହା ହେଉଥିବାରୁ ଅଧିକାଂଶ ମାମଲା ଥାନାକୁ ଆସିପାରୁନଥିବା ଶିଶୁ ସୁରକ୍ଷା କର୍ମୀମାନେ ଅଭିଯୋଗ କରୁଛନ୍ତି।

ଏନସିଆରବିର ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ବାଲ୍ୟ ବିବାହ ନିରୋଧ ଆଇନ-୨୦୧୬ ଅନୁଯାୟୀ ଦେଶରେ ୧୦୪୫ଟି ମାମଲା ରୁଜୁ ହୋଇଛି। ଏଥିରେ କର୍ଣ୍ଣାଟକରେ ସର୍ବାଧିକ ୨୭୩, ତାମିଲନାଡ଼ୁରେ ୧୬୯, ଆସାମ ୧୫୫, ପଶ୍ଚିମବଙ୍ଗ ୧୦୫, ମହାରାଷ୍ଟ୍ର ୮୨, ତେଲେଙ୍ଗାନା ୫୭, ହରିୟାଣା ୩୩, ଆନ୍ଧ୍ରପ୍ରଦେଶ ୧୯, ବିହାର ୧୧, ଗୁଜରାଟ ୧୨, କେରଳ ୧୨, ଉତ୍ତରପ୍ରଦେଶ ୬, ଉତ୍ତରାଖଣ୍ଡରେ ୧୨ଟି ମାମଲା ରୁଜୁ ହୋଇଛି। ରାଜସ୍ଥାନରେ ୧୧ଟି ମାମଲା ରୁଜୁ ହୋଇଛି। ଶିଶୁ ଅଧିକାର କର୍ମୀ ଘାସିରାମ ପଣ୍ଡାଙ୍କ ସୂଚନା ଅନୁସାରେ, ବାଲ୍ୟ ବିବାହର ଅଧିକାଂଶ ମାମଲା ଥାନାରେ ପହଞ୍ଚୁନଥିବାରୁ ରୁଜୁ ମାମଲାକୁ ବାଲ୍ୟ ବିବାହର ଚିତ୍ର କୁହାଯାଇ ପାରିବ ନାହିଁ। ବରଂ ଯେଉଁ ବର୍ଷ ଯେତେ ଅଧିକ ବାଲ୍ୟ ବିବାହ ଜନିତ ମାମଲା ଥାନାକୁ ଗଲା, ସେହି ବର୍ଷ ଏହି କୁପ୍ରଥା ମୁକାବିଲା କରିବାରେ ପ୍ରଶାସନ ସେତେ ସଫଳ ହେଲା ବୋଲି କୁହାଯିବ। ସରକାରୀ ରିପୋର୍ଟ ଅନୁସାରେ ପ୍ରତି ବର୍ଷ ଅଢେଇ ହଜାର ବାଲ୍ୟ ବିବାହକୁ ଅଧାରୁ ବନ୍ଦ କରାଯାଉଛି। ଅର୍ଥାତ ଏହା ଠାରୁ ଅନେକ ସଂଖ୍ୟାରେ ବାଲ୍ୟ ବିବାହ ହେଉଛି, ଯାହା ପାଖକୁ ପ୍ରଶାସନ ପହଞ୍ଚି ପାରୁନାହିଁ।

ଗତବର୍ଷ ପ୍ରକାଶିତ ହୋଇଥିବା ଏନଏଫ୍‌ଏଚ୍‌ଏସ୍‌-୫(୨୦୧୯-୨୧)ର ରିପୋର୍ଟ ଅନୁସାରେ ମହିଳାଙ୍କ ବାଲ୍ୟ ବିବାହ ୨୦.୫%, ପୁରୁଷଙ୍କର ୧୩.୩% ରହିଛି। ଏନଏଫଏଚଏସ-୪(୨୦୧୫-୧୬) ଅନୁସାରେ, ମହିଳାଙ୍କ ବାଲ୍ୟ ବିବାହ ହ୍ରାସ ପାଇଥିଲେ ମଧ୍ୟ ପୁରୁଷଙ୍କ ମଧ୍ୟରେ ଏହା ବୃଦ୍ଧି ପାଇଛି। ଦେଶରେ ବାଲ୍ୟ ବିବାହ ୨୩.୩ % ରହିଛି। ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକ ନାଲି ତାଲିକାଭୁକ୍ତ ଅର୍ଥାତ ଦେଶର ହାର ଠାରୁ ଅଧିକ ରହିଛି ସେଗୁଡ଼ିକ ମଧ୍ୟରେ ନବରଙ୍ଗପୁର ୩୯.୪%, ନୟାଗଡ଼ ୩୫.୭%, କୋରାପୁଟ ୩୫.୫%, ରାୟଗଡ଼ା ୩୩.୨%, ମାଲକାନଗିରି ୩୨.୪%, ମୟୂରଭଞ୍ଜ ୩୧.୩%, କେନ୍ଦୁଝର ୨୯%, ଗଜପତି ୨୮.୧%, ବାଲେଶ୍ବର ୨୬.୪%, ବୌଦ୍ଧ ୨୫.୩%, ଅନୁଗୁଳ ୨୫%, ଢେଙ୍କାନାଳ ୨୩.୭%, ଗଞ୍ଜାମରେ ୨୨.୩% ରହିଛି। ହଳଦିଆ ତାଲିକାଭୁକ୍ତ ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ ୨୦%, ଦେବଗଡ଼ ୧୯.୨%, ଖୋର୍ଧା ୧୭.୧%, ସୁବର୍ଣ୍ଣପୁର ୧୬.୯%, କଳାହାଣ୍ଡି ୧୬.୩%, ନୂଆପଡ଼ା ୧୫.୬%, କଟକ ୧୪.୨%, ବଲାଙ୍ଗୀର ୧୪%, ସୁନ୍ଦରଗଡ଼ ୧୨.୯%, ଜଗତସିଂହପୁର ୧୨%, ଯାଜପୁର ୧୧.୪%, ଭଦ୍ରକ ୧୦.୪%, ପୁରୀ ୧୦.୨%।

ସବୁଜତାଲିକାଭୁକ୍ତ ଜିଲ୍ଲାଗୁଡ଼ିକ ହେଲା କେନ୍ଦ୍ରାପ଼ଡ଼ା ୯.୪%, ବରଗଡ଼ ୮.୬%, ଝାରସୁଗୁଡ଼ା ୮.୫% ଓ ସମ୍ବଲପୁର ୭.୪%। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର, ନୟାଗଡ଼ରେ ୧୨ରୁ ୧୪ ବର୍ଷରୁ ଝିଅମାନଙ୍କୁ ବିବାହ କରାଯାଉଛି। ଏପରିକି ସରକାରୀ କର୍ମଚାରୀ, ପୁଲିସ ମଧ୍ୟ ଏହି କୁପ୍ରଥାରୁ ମୁକୁଳି ପାରି ନାହାନ୍ତି। ସାମାଜିକ, ଧାର୍ମିକ ପ୍ରଥା ଯୋଗୁଁ ବାଲ୍ୟ ବିବାହ ବଢୁଛି। ଯୌତୁକ ପ୍ରଥା ମଧ୍ୟ ଏହାର ଏକ କାରଣ ବୋଲି କୁହାଯାଏ। ଶୀଘ୍ର ବିବାହ ହେବାରୁ ଝିଅମାନେ ଶୀଘ୍ର ମା’ ହେଉଛନ୍ତି ଏବଂ ଅଧାରୁ ପାଠ ଛାଡ଼ୁଛନ୍ତି। ଅନ୍ୟଦିଗରେ ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ, ରାଜ୍ୟର ୧୫ଟି ଜିଲ୍ଲାର ୧୦ ହଜାର ୬୯୮ଟି ଗାଁ ବାଲ୍ୟ ବିବାହ ମୁକ୍ତ ହୋଇପାରିଛି।

ସମ୍ବନ୍ଧିତ ଖବର