ଅନୁଗୁଳ : ଅନୁଗୁଳ ଜିଲ୍ଲାର ବାଲ୍ୟ ବିବାହ ସ୍ଥିତି ଅତି ସାଙ୍ଘାତିକ। ପ୍ରତି ଶହେଟି ନାବାଳିକାଙ୍କ ମଧ୍ୟରେ ୨୫ଜଣ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ୧୮ବର୍ଷ ହେବା ପୂର୍ବରୁ କେଉଁଠି ଜାଣିଶୁଣି ପରିବାର ଲୋକେ ନିଜ ନାବାଳିକା ଝିଅ ହାତରେ ହାତଗଣ୍ଠି ଭିଡି ଦେଉଛନ୍ତି ତ, ଆଉ କେଉଁଠି ବୟସ ହେବା ପୂର୍ବରୁ କାହା ସାଥୀରେ ନାବାଳିକା ଝିଅ ଘର ଛାଡ଼ି ପଳାଉଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ କରିଥିବା ସର୍ଭେରୁ ଏଭଳି ଚମକାଇଲା ଦେଲା ଭଳି ତଥ୍ୟ ପଦାକୁ ଆସିଛି। ଅନୁଗୁଳର ସ୍ଥିତି ରାଜ୍ୟ ହାରଠୁ ବି ଅଧିକ ହେବା ଜିଲ୍ଲାର ଜଟିଳ ସ୍ଥିତିକୁ କେବଳ ସୂଚାଇ ଦେଉ ନାହିଁ, ବରଂ ସମାଜ ପାଇଁ ଏକ ସତର୍କ ଘଣ୍ଟି ସଦୃଶ ହୋଇଛି। ବାଲ୍ୟ ବିବାହ ଉପରେ ଅଙ୍କୁଶ ନ ଲାଗିଲେ ଆଗାମୀ ବଂଶଧରଙ୍କ ପାଇଁ ବଡ଼ ବିପଦ ତିଆରି କରିବ ଏ ରିପୋର୍ଟ ସୂଚାଇ ଦେଉଛି।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସ୍ନାଲ୍ ଫାମିଲି ହେଲ୍ଥ ସର୍ଭେ (ଏନ୍ଏଫ୍ଏଚ୍ଏସ୍-୫) କରାଯାଇଥିଲା। ୨୦୧୯ ମସିହାରୁ ୨୦୨୧ମସିହାର ତଥ୍ୟ ନେଇ ଏ ସର୍ଭେ ରିପୋର୍ଟ ତିଆରି କରାଯାଇଛି। ଯେଉଁଥିରେ ବାଲ୍ୟ ବିବାହ, ବାଲ୍ୟ ଗର୍ଭବତୀ ମହିଳା ଏବଂ ବାଲ୍ୟ ପ୍ରସୂତିଙ୍କ ବିଷୟରେ ତଥ୍ୟ ଯୋଗାଡ଼ କରାଯାଇଛି। ରିପୋର୍ଟ କହୁଛି, ଅନୁଗୁଳ ଜିଲ୍ଲାର ୨୫ପ୍ରତିଶତ ମହିଳା ଏମିତି ଅଛନ୍ତି, ଯେଉଁମାନେ ୧୮ବର୍ଷ ପୂର୍ବରୁ ବାହାଘର ହୋଇଛନ୍ତି। ଯେଉଁମାନଙ୍କର ବର୍ତ୍ତମାନ ବୟସ ୨୦-୨୪ବର୍ଷ ରହିଛି। ୨୦୧୫-୧୬ ମସିହାରେ ହୋଇଥିବା ନ୍ୟାସ୍ନାଲ୍ ଫାମିଲି ହେଲ୍ଥ ସର୍ଭେ (ଏନ୍ଏଫ୍ଏଚ୍ଏସ୍-୪)ରେ ଏ ସଂଖ୍ୟା ଆହୁରି କମ୍ ଥିଲା। ୫ବର୍ଷ ତଳେ ବାଲ୍ୟ ବିବାହ ସଂଖ୍ୟା ୨୨ପ୍ରତିଶତକୁ ଖସିଥିଲା।
/sambad/media/post_attachments/wp-content/uploads/2021/10/RGD_Inter-Caste-Marriage-300x186.jpg)
ଅନୁଗୁଳ ସହିତ ଓଡ଼ିଶାର ଚିତ୍ର ତୁଳନା କଲେ ଜିଲ୍ଲାର ସ୍ଥିତି ଯେ ଅଧିକ ବିଗିଡ଼ିଛି, ତାହା ଜଳଜଳ ଦିଶୁଛି। ୨୦୧୫-୧୬ ସର୍ଭେରେ ରାଜ୍ୟରେ ବାଲ୍ୟ ବିବାହ ୨୧.୩ ପ୍ରତିଶତ ଥିଲା। ୨୦୧୯-୨୧ ସର୍ଭେରେ ଏ ସଂଖ୍ୟା ୨୦.୫ପ୍ରତିଶତକୁ ଖସିଥିବା ବେଳେ ଗତ ୫ବର୍ଷରେ ଅନୁଗୁଳ ଭଳି ଶିଳ୍ପ ସମୃଦ୍ଧ ଇଲାକାରେ ତିନି ପ୍ରତିଶତ ବାଲ୍ୟ ବିବାହ ବୃଦ୍ଧି ବଡ଼ ଚିନ୍ତାଜନକ ସ୍ଥିତି ତିଆରି କରିଛି।
ସର୍ଭେ ସମୟରେ କେତେ ଜଣ ନାବାଳିକା ଗର୍ଭବତୀ ହୋଇଥିଲେ କିମ୍ବା ଶିଶୁ ପ୍ରସବ କରାଇଥିଲେ? ସେନେଇ ସର୍ଭେ ହୋଇଥିଲା। ତା’ର ତଥ୍ୟ ମଧ୍ୟ ବେଶ୍ ଚିନ୍ତାଜନକ। ତଥ୍ୟ ମୁତାବକ, ୨୦୧୫-୧୬ରେ ରାଜ୍ୟରେ ନାବାଳିକା ଗର୍ଭବତୀ କିମ୍ବା ପ୍ରସୂତିଙ୍କ ସଂଖ୍ୟା ୭.୬ ପ୍ରତିଶତ ଥିଲା। ୨୦୧୯-୨୧ ସର୍ଭେରେ ବି ଅନୁରୂପ ନାବାଳିକା ଗର୍ଭବତୀ କିମ୍ବା ପ୍ରସୂତିଙ୍କ ସଂଖ୍ୟା ସ୍ଥିର ରହିଛି। କିନ୍ତୁ, ଗଲା ୫ବର୍ଷ ମଧ୍ୟରେ ଅନୁଗୁଳରେ ନାବାଳିକା ଗର୍ଭବତୀ ଏବଂ ନାବାଳିକା ପ୍ରସୂତିଙ୍କ ସଂଖ୍ୟା ବଢ଼ିଛି। ୨୦୧୫-୧୬ ସର୍ଭେରେ ଏମାନଙ୍କ ସଂଖ୍ୟା ୯.୯ପ୍ରତିଶତ ଥିଲା। କିନ୍ତୁ, ୨୦୧୯-୨୧ ସର୍ଭେରେ ୧୫-୧୯ବର୍ଷ ବୟସର ୧୨.୨ପ୍ରତିଶତ ଝିଅ ଗର୍ଭବତୀ ଅଥବା ମା’ ହୋଇଥିବା ସର୍ଭେ ତଥ୍ୟ ସ୍ପଷ୍ଟ କରୁଛି। ଅର୍ଥାତ୍ ଗତ ୫ବର୍ଷ ମଧ୍ୟରେ ଏ ସଂଖ୍ୟା ବି ତିନି ପ୍ରତିଶତ ବୃଦ୍ଧି ପାଇଛି। ସର୍ଭେ ରିପୋର୍ଟକୁ ବେଶ୍ ଗୁରୁତର ସହିତ ଗ୍ରହଣ କରାଯାଇଛି। ତେଣୁ, ରାଜ୍ୟ ସରକାର, ୟୁନିସେଫ୍ ଏବଂ ଆକ୍ସନଏଡ୍ ଅନୁଷ୍ଠାନ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ବିଭାଗ ପକ୍ଷରୁ ଅନୁଗୁଳ ଜିଲ୍ଲାରେ ସ୍ବତନ୍ତ୍ର ମାନବ ସମ୍ବଳ ଦେଇ ବାଲ୍ୟ ବିବାହକୁ ରୋକିବାକୁ ଉଦ୍ୟମ ଆରମ୍ଭ ହୋଇଛି।
୩ ମାସରେ ଭାଙ୍ଗିଲେଣି ୨୬ ବାହାଘର
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ବାଲ୍ୟ ବିବାହ ଜାରି ରହିଛି। ଗତ ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ଅନୁଗୁଳ ଜିଲ୍ଲା ପ୍ରଶାସନ ତିନି ମାସରେ ପ୍ରାୟ ୩୦ ବାଲ୍ୟ ବିବାହ ଧରପଗଡ଼ ହେବା ଘଟଣା ଏହାର ପ୍ରମାଣ ଦେଉଛି। ସବୁଠାରୁ ବେଶି ବାଲ୍ୟ ବିବାହ ପଦାକୁ ଆସିଛି ବଅଁରପାଳ, ଛେଣ୍ଡିପଦା, ତାଳଚେର, କଣିହାଁ ଏବଂ ଆଠମଲ୍ଲିକ ବ୍ଲକ୍ରେ। ବଅଁରପାଳ ଓ ଆଠମଲ୍ଲିକ ବ୍ଲକ୍ରେ ୫ଟି ଲେଖାଏ ବାଲ୍ୟ ବିବାହ ଧରପଗଡ଼ ହୋଇଥିବା ବେଳେ ଛେଣ୍ଡିପଦା, ତାଳଚେର, କଣିହାଁ ବ୍ଲକ୍ରେ ଚାରୋଟି ଲେଖାଏ ଏବଂ ଅନୁଗୁଳ ଓ ପାଳଲହଡ଼ା ବ୍ଲକ୍ରେ ଦୁଇଟି ଲେଖାଏ ବାଲ୍ୟ ବିବାହକୁ ଭାଙ୍ଗି ଦିଆଯାଇଛି।