ଖୋର୍ଦ୍ଧା: ଯଦି ଦାରିଦ୍ର୍ୟତାର କଷାଘାତରେ, ପିତା-ମାତାଙ୍କ ଚାପରେ ବାଲ୍ୟ ବିବାହ କରି ଏକ ଅଜଣା ବ୍ୟକ୍ତିର ହାତ ଧରିବା ପରିବର୍ତ୍ତେ ଜୀବନ ଗଢ଼ିବା ପାଇଁ ପୁସ୍ତକକୁ ନିଜ ହାତରେ ଧରିଲେ। ବାଲ୍ୟ ବିବାହ ଭଳି ସାମାଜିକ କୁସଂସ୍କାରକୁ ପାଦତଳେ ଦଳି ଆଜି ପାଠ ପଢ଼ିବା ସହ ଜିଲ୍ଲାର ଜଣେ ଉଦୀୟମାନ ଛାତ୍ରୀ ଭାବେ ପ୍ରତିଷ୍ଠା କରିପାରିଛନ୍ତି ଚିଲିକା ହାଟବରଡ଼ି ଗାଁର ଦୀପା ବେହେରା (୧୭)।

Advertisment

ଗତ ନ‌ଭେମ୍ବର ୧ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ୧୩ ତମ ପ୍ରତିଷ୍ଠା ଦିବସରେ ଦୀପା ବେହେରାଙ୍କୁ ଜିଲ୍ଲାର କିଶୋରୀ ଚାମ୍ପିଅନ୍‌ ଭାବେ ପୁରସ୍କୃତ କରାଯାଇଛି। ଦୀପାଙ୍କ ପାଇଁ ଏହି ପୁରସ୍କାର ଆରମ୍ଭ ମାତ୍ର, କିନ୍ତୁ ଏହି ସ୍ଥାନରେ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା। ଦୀପାଙ୍କ ବାପା-ମାଙ୍କ ଦୀପା ହେଉଛନ୍ତି ବଡ଼ ଝିଅ। ତାଙ୍କର ଜଣେ ସାନ ଭଉଣୀ ଅଛନ୍ତି। କେବଳ ଦୁଇଟି ଝିଅ ତା’ ସାଙ୍ଗକୁ ଦରିଦ୍ର ଅବସ୍ଥା। ଏହାର ନିବାରରଣ ପାଇଁ ବାପା-ମା ତାଙ୍କୁ ବିବାହ କରାଇଦେବାକୁ ନିଷ୍ପତ୍ତି ନେଲେ।  ଦୀପା ୭ମ ଶ୍ରେଣୀ ପଢ଼ିବା ପେଳେ ନିକଟ ଗାଁ‌ର ଜଣେ ପୁଅକୁ ବିବାହ ଦେଇ ପୁଅକୁ ‌ଘରେ ରଖିବାକୁ ଯୋଜନା କଲେ। କିନ୍ତୁ ଦୀପା ଏହାକୁ ମନେମନେ ବିରୋଧ କଲେ, ମୁହଁ ଖୋଲି କିଛି କରିପାରିନଥିଲେ।

ବିବାହ ପୂର୍ବରୁ ସେ ଲୁଚି ଆସି ଅଙ୍ଗନବାଡ଼ି ଦିଦି ରଞ୍ଜିତା ବେହେରାଙ୍କ ଘରେ ରହିଥିଲେ। ପରେ ଏହାଜାଣି ତାଙ୍କ ବାପା-ମା ଦୀପାଙ୍କୁ ଅଙ୍ଗନବାଡ଼ି ଦିଦିଙ୍କ ଘରୁ ନେଇ ମାଡ଼ ମାରିଥିଲେ। ଏହାପରେ ଅଙ୍ଗନବାଡ଼ି ଦିଦି ବାଲ୍ୟବିବାହ ନିଷେଧ ଅଧିକାରୀ ଅନସୂୟା ମିଶ୍ରଙ୍କୁ ସୂଚିତ କରିଥିଲେ। ପୁଲିସକୁ ଜଣାଇବା ପରେ ଆକ୍ସନ ଏଡ୍‌ର ଜିଲ୍ଲା ସଂଯୋଜକ ସ୍ବାତୀ ତନୟା ମିଶ୍ର, ସ୍ଥାନୀୟ ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦୀପାଙ୍କୁ ଉଦ୍ଧାର କରି ଆଣିଲେ। ବାଣପୁର ନେହେରୁ ସେବା ସଦନ (ଶିଶୁ ଯତ୍ନ ଅନୁଷ୍ଠାନ)ରେ ରଖାଇଲେ। କିନ୍ତୁ ପୁଣିଥରେ ଦୀପାଙ୍କ ବାପା-ମା ତାଙ୍କୁ ନେଇ ବିବାହ କରାଇବାକୁ ଯୋଜନା କଲେ। ଏହି ସମୟରେ ସେ ନିଜର ସାନ ଭଉଣୀର ସହାୟତାରେ ସେଠାରୁ ଫେରି ପୁଲିସର ସହାୟତା ନେଇଥିଲେ। ପୁଣିଥରେ ପୁଲିସ ତାଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଇଲେ। ଚଳିତ ଦୀପା ୧୦ମ‌ ଶ୍ରେଣୀ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ସହ ନିକଟରେ ଅନୁଷ୍ଠିତ ସୁରଭି ପ୍ରତିଯୋଗିତାରେ ସେ କ୍ଲଷ୍ଟର, ବ୍ଲକରୁ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲାସ୍ତରରେ ଚାମ୍ପିଅନ୍‌ ହୋଇଛନ୍ତି।

ତାଙ୍କର ଆଜିର ଏହି କୃତିତ୍ବକୁ ନେଇ ଦୀପା ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଆହୁରି ପାଠପଢ଼ିବେ। ବଡ଼ ହୋଇ ତାଙ୍କ ଭଳି ଯେଉଁ ଝିଅମାନେ ବାଲ୍ୟ ବିବାହର କବଳରେ ପଡ଼ିବାକୁ ଯାଉଛନ୍ତି ସେମାନଙ୍କ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।